ପୂର୍ଣ୍ଣିମା ଯୋଗୁଁ ଜୁଆରିଆ ସମୁଦ୍ର, କମୁନି ବନ୍ୟା ପାଣି l


ସତ୍ୟଶିଖା ( ଭୁବନେଶ୍ୱର ) ୧ .୦୯ .୨୦୨ ୦ : ପୂର୍ଣ୍ଣିମା ବଢ଼ାଉଛି ସମସ୍ୟା । ପୂର୍ଣ୍ଣିମା ଯୋଗୁଁ ନଦୀରୁ ପାଣି ଟାଣୁନି ସମୁଦ୍ର । ଫଳରେ ତଳି ଅଞ୍ଚଳରେ ଏବେବି ବନ୍ୟା ସ୍ଥିତି ଲାଗି ରହିଛି । ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ବଛାଳ ପଞ୍ଚାୟତ ବ୍ରାହ୍ମଣି ଗାଁର ସ୍ଥିତି ଗମ୍ଭୀର ରହିଛି । ୪ ଦିନରୁ ଅଧିକ ହେବ ପାଣିଘେରରେ ପାଖାପାଖି ୫୦ ପରିବାର । ଗାଁରୁ ବାହାରିବାକୁ ବୋଟ୍ ହିଁ ଏକମାତ୍ର ଭରସା । ସେହିପରି ତିର୍ତ୍ତୋଲ, ବାଲିକୁଦା, କୁଜଙ୍ଗ, ଜଗତସିଂହପୁର ସଦର ବ୍ଲକର ୩୧ ରୁ ଅଧିକ ଗାଁ ଏବେବି ଉବୁଟୁବୁ ହେଉଛି । ଅନେକ ସ୍ଥାନରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ମହାନଦୀ, ଦେବୀ, ପାଇକା । ପାଣି ଛାଡିବାକୁ ଆହୁରି ୩ ରୁ ୪ ଦିନ ଲାଗିବ ବୋଲି ଅନୁମାନ କରାଯାଉଛି ।
ଯାଜପୁର ଜିଲ୍ଲାରେ ପାଣି କମିଥିଲେ ବି କମିନି ବିପନ୍ନଙ୍କ ଦୁର୍ଦ୍ଦଶା । ଜିଲ୍ଳାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ବରୀ । ବରୀ ବ୍ଲକର ୧୩ ଟି ପଞ୍ଚାୟତରୁ ଏଯାଏ ଛାଡିନି ପାଣି । ୪ ଦିନ ହେଲା ଜଳବନ୍ଦୀରେ ଥିବା ବରୀବାସୀ ଏବେ ବି ଜୀବନ ପାଇଁ ସଂଗ୍ରାମ କରୁଛନ୍ତି । ରତ୍ନଗିରି ପଞ୍ଚାୟତର ଦୃଶ୍ୟ ଉପରେ ଟିକେ ନଜର ପକାନ୍ତୁ । ସାପ କାମୁଡ଼ା ରୋଗୀକୁ ମେଡିକାଲ ନେବାକୁ ଡିସ୍ ହିଁ ସାଜିଛି ଭରସା । ଧର୍ମଶାଳା ବ୍ଲକ କୋତପୁରୁ ନିକଟସ୍ଥ ବ୍ରାହ୍ମଣୀର ଶାଖା ନଦୀରେ ୩୦ ଫୁଟର ଘାଇ ହୋଇଛି ଫଳରେ ଧର୍ମଶାଳା ଓ ବଡ଼ଚଣା ବ୍ଳକର ୨୫ଟି ପଞ୍ଚାୟତରେ ପାଣି ପଶିଛି । ଅନେକ ଲୋକଙ୍କ ଘରେ ଲହଡି ଭାଙ୍ଗୁଛି ପାଣି । ଯାଜପୁର ଜିଲ୍ଲାର ୧୮୦ ପଞ୍ଚାୟତର ୮୩୬ ଗାଁରେ ପଶିଛି ପାଣି । ପାଖାପାଖି ୧୦ ଲକ୍ଷ ଲୋକ ପ୍ରଭାବିତି ହୋଇଛନ୍ତି । ଏବେ ଆଶ୍ଵସ୍ତିକର ବିଷୟ ହେଲା ବିଭିନ୍ନ ନଦୀର ଜଳସ୍ତର ହ୍ରାସ ପାଇବା ।
କେନ୍ଦ୍ରାପଡା ଜିଲ୍ଲା ପାଟକୁରା ପଞ୍ଚାୟତ ଚିତ୍ରୋତ୍ପଳା ନଦୀର ଦକ୍ଷିଣ ପାର୍ଶ୍ଵ ଜଗନ୍ନାଥପୁର ନିକଟରେ ନଦୀ ବନ୍ଧରେ ପଡିଛି ଘଳିଆ । ଘଳିଆ ବନ୍ଦ ପାଇଁ ୨୪ ଘଣ୍ଟିଆ ସଜାଗ ରହିଛନ୍ତି ଜଳ ସେଚନ ବିଭାଗର କର୍ମଚାରୀ । ଲୁଣା, କରାଣ୍ଡିଆ, ଚିତ୍ରୋତ୍ପଳା, ପାଇକା, କାଣୀ ନଦୀରେ ଜଳସ୍ତର କମିଛି । ପଟ୍ଟାମୁଣ୍ଡାଇ, ଆଳି, ଗରଦପୁର, ମାର୍ଶାଘାଇ, ଡେରାବିଶ, ମହାକାଳପଡା ବିଶେଷ ପ୍ରଭାବିତ ହୋଇଛି । ପାଣି କମିଥିଲେ ମଧ୍ୟ ଜୀବନ ସ୍ଵlଭାବିକ ହୋଇନି । ଖାଲୁଆ ଅଞ୍ଚଳରେ ଜମି ରହିଛି ପାଣି ।
କଟକ ଜିଲ୍ଲା ବାଙ୍କୀ ସିମିଳିପୁର ପଂଚାୟତରେ ଘରେ ଲହଡି ମାରୁଛି ବନ୍ୟାପାଣି । ନଦୀ ବନ୍ଧ ଉପରେ ଆଶ୍ରୟ ନେଇଛନ୍ତି ବିପନ୍ନ । (ଖୋର୍ଦ୍ଧା) ରାଜୁଆ ନଦୀର ବନ୍ୟାରେ ଏବବି ଉବୁଟୁବୁ ହେଉଛି ଖୋର୍ଦ୍ଦା ଜିଲ୍ଲାର କିଛି ଅଞ୍ଚଳର । ଓରବରସିଂହ ପଞ୍ଚାୟତରେ ପଶିଛି ପାଣି । ସେହିପରି ଦୟାରେ ମଧ୍ୟ ଉଛୁଳୁଛି ପାଣି । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକରେ ବନ୍ୟାରେ ଫସି ରହିଥିବା ଲୋକଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଉଛି । ଡେଲାଙ୍ଗର କିଛି ତଳି ଅଞ୍ଚଳରେ ପାଣି ଜମି ରହିଛି ।
ଅନୁଗୁଳ ଆଠମଲ୍ଲିକ ବ୍ଲକର ଅନେକ ଗାଁ ଏବେ ପାଣି ଘେରରେ ରହିଛି । ଜାମୁଡେଲି ଓ କୁଦଗାଁ ପଞ୍ଚାୟତରେ ଜଳବନ୍ଦୀ ଅବସ୍ଥାରେ ଜୀବନ ବିତାଉଛନ୍ତି ଶହ ଶହ ଗ୍ରାମବାସୀ । ଘରେ ଚୁଲି ଜଳୁନି କି ପାଖରେ ଖାଦ୍ୟ ନାହିଁ । ଅନେକ ସ୍ଥାନରେ ପ୍ରଶାସନ ପହଞ୍ଚି ନଥିବା ଅଭିଯୋଗ ହୋଇଛି । ବରଗଡ ଜିଲ୍ଲା ପଦ୍ମପୁର ଘନାମାଲରେ ଫସିରହିଛନ୍ତି ୪ଟି ହାତୀ । ଗତକାଲି ରାତିରେ ଝାଞ୍ଜ ପାହାଡ଼ରୁ କୁଠେଲା ଡୁଙ୍ଗୁରି ଦେଇ ବୁଢାପହାଡ଼କୁ ଅତିକ୍ରମ କରୁଥିଲେ ଏହି ହାତୀ ପଲ । ତେବେ ଅଙ୍ଗନଦୀରେ ପାଣି ଯୋଗୁଁ ହାତୀ ନଦୀପାର ହୋଇନପାରି ଏଠାରେ ଡେରା ପକାଇଛନ୍ତି ।