ଜୀବନମନ୍ତ୍ର

ଆଜି ପବିତ୍ର ଗଣେଶ ପୂଜା, ସଂସାରର ବିଘ୍ନ ହାରିବେ ବିଘ୍ନ ବିନାଶକ l

ସତ୍ୟଶିଖା ୨୨ . ୦୮.୨୦୨୦ :   ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ, ମଧ୍ୟାହ୍ନ କାଳ, ସୋମବାର ଓ ସ୍ୱାତୀ ନକ୍ଷତ୍ର ଯୋଗରେ ତୁଳା ରାଶିରେ, ମହାମହିମାମୟ କୁନ୍ଦଧବଳ, ତି୍ରନୟନ ଶ୍ରୀଗଣେଶ ହରପାର୍ବତୀଙ୍କ ପୁତ୍ର, ଜ୍ଞାନ, ସମୃଦ୍ଧି ଓ ସୌଭାଗ୍ୟର ଦେବତା ରୂପେ ପ୍ରକଟ ହୋଇଥିଲେ । “ଗ’ର ଅର୍ଥ “ଗଣ’, “ଗ’ର ଅର୍ଥ ମଧ୍ୟ “ଗତି’ । “ଣ’ର ଅର୍ଥ ଜ୍ଞାନ । “ଈ’ର ଅର୍ଥ ଶକ୍ତି ଓ ମୁକ୍ତି, “ଶ’ର ଅର୍ଥ ସୁଖ ଓ ଶାନ୍ତି । ଏହିପରି ଭାବରେ ଶ୍ରୀଗଣେଶ ହେଲେ ଜ୍ଞାନଦାତା, ଶକ୍ତିଦାତା, ସୁଖଶାନ୍ତି ପ୍ରଦାୟକ, ବିଘ୍ନ ବିନାଶକ, ଗଣଙ୍କର ପତି, ଅଗ୍ରପୂଜ୍ୟ । ଅନ୍ୟ ଏକ ଅର୍ଥରେ ଗଣ ଶବ୍ଦର “ଗ’ ଅର୍ଥ ହେଲା “ବୁଦ୍ଧି’ ଓ “ଣ’ ହେଲା “ବିଜ୍ଞାନ’ର ପ୍ରତୀକ । ଏଣୁ ଗଣପତି ହେଲେ ବୁଦ୍ଧି ଓ ବିଜ୍ଞାନର ପ୍ରଭୁ । ହର ପାର୍ବତୀଙ୍କ ପୁତ୍ର ଗଣେଶ, ପିତାମାତାଙ୍କ ଆଶୀର୍ବାଦରୁ ଅଗ୍ରପୂଜ୍ୟ ।

ପ୍ରତ୍ୟେକ ଶୁଭକାର୍ଯ୍ୟ ଆରମ୍ଭ ପୂର୍ବରୁ ଶ୍ରୀଗଣନାଥଙ୍କ ପୂଜନ ନିଶ୍ଚିତ ଭାବରେ ସଂପାଦିତ ହୋଇଥାଏ । ବୈଜ୍ଞାନିକ ଦୃଷ୍ଟିକୋଣରୁ ଅନୁଧ୍ୟାନ କଲେ ଜଣାଯାଏ ଯେ ହସ୍ତୀମସ୍ତକ ଧାରଣ, ସ୍ଥୂଳ ଉଦର, ବକ୍ରତୁଣ୍ଡ ତଥା ମୂଷିକ ବାହନଧାରୀ ଶ୍ରୀଗଣେଶ ହେଉଛନ୍ତି ସର୍ବଗୁଣ ସମ୍ପନ୍ନ ବ୍ୟକ୍ତିତ୍ୱର ପ୍ରକାଶକ ଏବଂ ବାଧାବିଘ୍ନ ଦୂରୀକରଣର ମୁଖ୍ୟ ସହାୟକ । ଗଣେଶଙ୍କର ଏହି ଦିବ୍ୟ ବିଗ୍ରହ ଅତି ବିଚିତ୍ର ।

ଗଣେଶଙ୍କର ବଡ଼ ପେଟ – ବିଘ୍ନ ବିନାଶକାରୀ ବିଘ୍ନରାଜ ଗଣେଶଙ୍କର ବଡ଼ ପେଟ ଉଦାରତା ଏବଂ ପୂର୍ଣ୍ଣ ସ୍ୱୀକୃତିର ପ୍ରତୀକ । ଏହା ଏହି ବାର୍ତ୍ତା ଦିଏ କି ସାଧନା ପଥର ପଥିକ ହେଲେ ଅନେକ ବାଧାବିଘ୍ନ, ନାନପ୍ରକାର ମନ୍ଦକଥା, ତିରସ୍କାର ଆମ ଉପରକୁ ନିକ୍ଷେପ କରାଯିବ, କଟୁ ସମାଲୋଚନା କରାଯିବ, ମାତ୍ର ସାଧକ ସବୁକୁ ଅତି ସହଜ ଭାବରେ ଗ୍ରହଣ କରି ନିଜ ପଥରେ ଅଗ୍ରସର ହେବା ଉଚିତ ।

ଗଣେଶଙ୍କର ବିଶାଳ ମସ୍ତକ- ଏହା ବିଶାଳ ବୁଦ୍ଧିର ପ୍ରତୀକ ।

କର୍ଣ୍ଣ- ଗଣେଶଙ୍କର ବିରାଟ କୁଲାଭଳି କର୍ଣ୍ଣ ଦୁଇ ଏହି କଥା ସୂଚେଇଦିଏ କି ସବୁ କଥା ଶୁଣିବ କିନ୍ତୁ କୁଲାଭଳି ଭଲ କଥାଗୁଡ଼ିକୁ ସ୍ୱତନ୍ତ୍ର କରି ରଖି ଦେଇ ଅନାବଶ୍ୟକ ମୂଲ୍ୟହୀନ କଥାକୁ ତ୍ୟାଗ କରିବ ।

ଚକ୍ଷୁ- ଗଣେଶଙ୍କର  ଚକ୍ଷୁ ଦୁଇଟି କ୍ଷୁଦ୍ର ଅର୍ଥାତ୍ ପ୍ରତିଟି ଜିନିଷକୁ ହାତୀ ପରି ନିରୀକ୍ଷଣ କରିବାର ଶକ୍ତି ଥିବା ଆବଶ୍ୟକ । କ୍ଷୁଦ୍ର ହେଲେବି ମୂଷିକ ହୋଇପାରିଛି ଶ୍ରୀଗଣେଙ୍କ ବାହନ ।

ଦୀର୍ଘ ଶୁଣ୍ଢ – ଗଣେଶଙ୍କ ପାଟି ଶୁଣ୍ଢ ପଛପଟେ ଲୁଚିକରି ଥାଏ, ଏହାର ଅର୍ଥ ହେଲା ବହୁତ ଶୁଣିବ କିନ୍ତୁ ଖୁବ୍ କମ୍ କହିବ । ଗଣେଶଙ୍କ ଦୀର୍ଘ ଶୁଣ୍ଢ ପ୍ରଚଣ୍ଡ ଧୀ-ଶକ୍ତିର ପ୍ରତୀକ ।

ହାତ- ଅଭୟ ମୁଦ୍ରାରେ ଉଠିଥିବା ଶ୍ରୀଗଣେଶଙ୍କର ହାତ ଆଶ୍ୱାସନାର ପ୍ରତୀକ । ଅନ୍ୟ ହାତଟି ତଳକୁ ଥାଏ ଏବଂ ଏହାର ପାପୁଲି ବାହାରକୁ ଥାଏ । ଏହାର ଅର୍ଥ ଶ୍ରୀଗଣେଶଙ୍କୁ ଯିଏ ଆରାଧନା କରେ ସିଏ ନିରନ୍ତର ଶ୍ରୀଗଣେଶଙ୍କ ଠାରୁ ଶକ୍ତି ଲାଭ କରୁଥାଏ ।

ଦାନ୍ତ- ଗଣେଶଙ୍କର ଗୋଟିଏ ଦାନ୍ତ ଏକାଗ୍ରତାର ପ୍ରତୀକ । ତାଙ୍କ ହାତରେ ଥିବା ଅଙ୍କୁଶ ସଜାଗତାର ପ୍ରତୀକ ଏବଂ ପାଂଶ ନିୟନ୍ତ୍ରଣର ପ୍ରତୀକ ଅଟେ । ବିଘ୍ନରାଜ ବିଗ୍ରହକୁ ଅବଲୋକନ କଲେ ଦେଖିବା ଯେ ସେ ଗୋଟିଏ ପାଦ ଭୂମିରେ ସ୍ଥାପନ କରି ଅପରଟି ଉପରକୁ ଉଠାଇ ବିଶ୍ରାମ ମୁଦ୍ରାରେ ରଖିଛନ୍ତି । ଏହା ପଛରେ ଥିବା ତତ୍ତ୍ୱଟି ହେଲା ଆମ୍ଭମାନଙ୍କୁ ଏହି ପୃଥିବୀରେ ହିଁ ସ୍ଥିର ହୋଇ ରହିବାକୁ ପଡ଼ିବ, ଅର୍ଥାତ୍ ମାଟିକୁ କୌଣସି ପରିସ୍ଥିତିରେ ଭୁଲିବା ଅନୁଚିତ । ଆମେ ସଦାସର୍ବଦା ଚିନ୍ତା ଓ ଚେତନାରେ ଉଦ୍ଧ୍ୱର୍ମନସ୍କ ହୋଇ ରହିବା ଉଚିତ, ଠିକ୍ ଯେପରି ପଙ୍କରୁ ଉଦ୍ଭବ “ପଦ୍ମ’ ଶ୍ରୀଗଣେଶ ଓ ଶ୍ରୀଲକ୍ଷ୍ମୀନାରାୟଣଙ୍କ ହାତର ଶୋଭା ବର୍ଦ୍ଧନ କରିପାରୁଛି । ପଦ୍ମକୁ ପଙ୍କ କିମ୍ବା ପାଣି କେହି ବି ପ୍ରଭାବିତ କରିପାରେ ନାହିଁ । ଗଣେଶଙ୍କୁ ମୁଖ୍ୟତଃ ରାଶିଲଡ଼ୁ, ମୋଦକ, ନଡ଼ିଆ, କଦଳୀ ଓ ଅନ୍ୟାନ୍ୟ ଫଳମୂଳ ନୈବେଦ୍ୟ ରୂପେ ବଢ଼ାଯାଏ । ଗଣେଶଙ୍କର ବର୍ଣ୍ଣ ତୁଷାର ଧବଳ ହୋଇଥିବାର କାରଣ ହେଲା ଏହା ଅଜ୍ଞାନରୂପକ ଅନ୍ଧକାର ନାଶ କରିଥାଏ ।

Show More
Back to top button