ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରୁ ଆରମ୍ଭ ହୋଇପାରେ ସଂସଦର ମୌସୁମୀ ଅଧିବେଶନ ଦିନେ ଲୋକସଭା-ଦିନେ ରାଜ୍ୟସଭା l


ସତ୍ୟଶିଖା ( ନୂଆଦଲ୍ଲୀ ) ୨୧ . ୦୮.୨୦୨୦ : କରୋନା ସଙ୍କଟ ମଧ୍ୟରେ ଖୁବଶୀଘ୍ର ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । ଏ ନେଇ ପୁରା ପ୍ରସ୍ତୁତ ହୋଇଛି ଉଭୟ ଲୋକସଭା ଏବଂ ରାଜ୍ୟସଭା । ଅଧିବେଶନ ନେଇ ବାରମ୍ବାର ରାଜ୍ୟସଭା ଅଧକ୍ଷ ଏବଂ ଲୋକସଭା ବାଚସ୍ପତିଙ୍କ ମଧ୍ୟରେ ଆଲୋଚନା ହୋଇଛି । ସୂଚନା ଅନୁଯାୟୀ ସଂସଦର ମୌସୁମୀ ଅଧିବେଶନ ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରୁ ଆରମ୍ଭ ହେବ । ଅଧିବେଶନ 10 ସେପ୍ଟେମ୍ବରରୁ ଆରମ୍ଭ ହୋଇପାରେ । ସଂସଦ ପରିସର ମଧ୍ୟରେ ଭିଡ଼ କମ କରିବାକୁ ଏବଂ ସାଂସଦ ମାନଙ୍କ ସୁରକ୍ଷା ପାଇଁ ଦିନେ ଲୋକସଭା ଏବଂ ପରଦିନ ରାଜ୍ୟସଭା ଅନୁଷ୍ଠିତ ହୋଇପାରେ । ଏହି ଅଧିବେଶନ ମଧ୍ୟ ଚାରି ସପ୍ତାହ ହୋଇପାରେ ।
ସମାଜିକ ଦୂରତା ପାଇଁ ଲୋକସଭାର ସମସ୍ତ ସାଂସଦ ସେଣ୍ଟ୍ରାଲ ହଲରେ ଏବଂ ରାଜ୍ୟସଭା ସାଂସଦମାନେ ଉଭୟ ଲୋକସଭା ଓ ରାଜ୍ୟସଭାରେ ଗୃହ ରେ ବସି ଗୃହ କାର୍ଯ୍ୟ କରି ପାରନ୍ତି । ଉଭୟ ସ୍ଥାନରେ ବଡ଼ ବଡ଼ ସ୍କ୍ରିନ ରହିବ । ସମସ୍ତ ସାଂସଦଙ୍କ ପାଇଁ ଆରୋଗ୍ୟ ସେତୁ ଆପ୍ ବାଧ୍ୟତାମୂଳକ ହେବ। ସ୍କ୍ରିନିଂ ଏବଂ ସାନିଟାଇଜ ବ୍ୟବସ୍ଥା ସବୁଠାରେ ରହିବ । ସାଂସଦ ମାନଙ୍କ ଷ୍ଟାଫ ମାନଙ୍କୁ ଗୃହକୁ ଆସିବାକୁ ଅନୁମତି ଦିଆଯିବ ନାହିଁ । କରୋନା ମହାମାରୀ ହେତୁ ସଂସଦର ବଜେଟ୍ ଅଧିବେଶନକୁ ଅଧାରୁ ସ୍ଥଗିତ ରଖା ଯାଇଥିଲା । ତେଣୁ ନିୟମ ଅନୁସାରେ 6 ମାସ ମଧ୍ୟରେ ଅର୍ଥାତ ସେପ୍ଟେମ୍ବର 22 ରେ ଅଧିବେଶନ ଡାକିବାର ଅବଧି ଶେଷ ହେବ।
ମୌସୁମୀ ଅଧିବେଶନ ବେଶ ସରଗରମ ରହିବ । ସରକାରଙ୍କୁ ଘେରିବା ପାଇଁ ବିରୋଧୀ ମଧ୍ୟ ପ୍ରସ୍ତୁତ ହେଉଛନ୍ତି ।ବିରୋଧୀମାନେ ଗାଲଭାନ ଉପତ୍ୟକାରେ ଚୀନ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ସହ କରୋନା ପରିଚଳନ ଭଳି ପ୍ରସଙ୍ଗ କଂଗ୍ରେସ ଆଣିପାରେ । ଲୋକସଭାରେ କଂଗ୍ରେସ ସଂସଦୀୟ ଦଳ ନେତା ସାଂସଦ ଆଧୀର ରଂଜନ ବାଚସ୍ପତି ଓମ ବିର୍ଲାଙ୍କୁ ଏକ ଚିଠି ଲେଖିଛନ୍ତି । ଯେଉଁଥିରେ ସେ ଶାରୀରିକ ଉପସ୍ଥିତି ସହିତ ଡିଜିଟାଲ ଉପସ୍ଥାନକୁ ମଧ୍ୟ ଅନୁମତି ଦିଆଯିବା ଉଚିତ ବୋଲି କହିଛନ୍ତି । ଏଥିସହ ଲୋକସଭାର ଆପ୍ ମାଧ୍ୟମରେ ସାଂସଦମାନଙ୍କୁ କହିବାର ସୁଯୋଗ ଦେବାପାଇଁ ଦାବି କରିଛନ୍ତି । ତେବେ ସଂସଦ ଆରମ୍ଭ ନେଇ ଖୁବଶୀଘ୍ର ସଂସଦୀୟ ବ୍ୟାପର ମନ୍ତ୍ରାଳୟ ଘୋଷଣା କରିବେ ।