

ସତ୍ୟଶିଖା ( ଭୁବନେଶ୍ୱର ) ୨୭.୦୭.୨୦୨୦ : ରାଜଧାନୀରେ କରୋନା ଅତି ଗୁରୁତର ପରିସ୍ଥିତି ସୃଷ୍ଟି କଲାଣି । ବିଏମ୍ସି ହିସାବ କହୁଛି ୧୪ଦିନରୁ କମ୍ ସମୟରେ ଆକ୍ରାନ୍ତସଂଖ୍ୟା ଦୁଇ ଗୁଣା ହେଲେ ଗୁରୁତର ପରିସ୍ଥିତି ବୋଲି କୁହାଯିବ । ଜୁଲାଇ ୧୬ରେ ରାଜଧାନୀରେ ୯୧୯ ଜଣ ଆକ୍ରାନ୍ତ ଥିଲେ । ଏଥିରୁ ୫୦୪ଟି ଥିଲା ଆକ୍ଟିଭ୍ କେସ୍ । ଜୁଲାଇ ୨୬ରେ ୧୯୯୧ ଆକ୍ରାନ୍ତ ଥିବାବେଳେ ୧୦୬୯ଟି ଆକ୍ଟିଭ୍ କେସ୍ ଅଛି । ମାତ୍ର ୭ଦିନରେ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା, ଆକ୍ଟିଭ୍ କେସ୍ ଦୁଇଗୁଣା ହୋଇଯାଇଛି । ୧୪ଦିନରେ ଦୁଇ ଗୁଣା ହେଲେ ଗୁରୁତର ପରିସ୍ଥିତି ହୋଇଥାନ୍ତା । କିନ୍ତୁ ଏବେ ଏହା ଗୁରୁତରରୁ ଅତି ଗୁରୁତର ହୋଇଯାଇଛି ।
ରାଜଧାନୀରେ ଗତ ୪ଦିନ ହେଲା ଲଗାତାର ଭାବେ ୧୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏପରିକି ଥରେ ଦୁଇ ଶହ ଟପିଯାଇଛି । ଜୁଲାଇ ୨୩ତାରିଖରେ ୧୨୬ଜଣ, ୨୪ରେ ୨୪୮ଜଣ, ୨୫ରେ ୧୧୧ଜଣ , ୨୬ରେ ୧୬୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ବିଏମ୍ସିର ସବୁ ଅଙ୍କକୁ ଭୁଲ୍ ପ୍ରମାଣିତ କରିଦେଇଛି । ଆଉ ରାଜଧାନୀରେ କରୋନା ବେକାବୁ ହୋଇଛି ବୋଲି ସ୍ପଷ୍ଟ ହୋଇଯାଉଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ରାଜ୍ୟ ସରକାର ଜୁଲାଇ ୩୧ ପର୍ଯ୍ୟନ୍ତ ଭୁବନେଶ୍ବରକୁ ଲକ୍ଡାଉନ୍ କରିଛନ୍ତି । ବିଏମ୍ସି କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ଲକ୍ଡାଉନ୍ ନେଇ ପ୍ରସ୍ତାବ ଦେବା ପୂର୍ବରୁ ଜୁଲାଇ ୩୧ସୁଦ୍ଧା କେତେ ଆକ୍ରାନ୍ତ ଚିହ୍ନଟ ହେବେ, ରାଜଧାନୀର ସ୍ଥିତି କ’ଣ ହେବ ସେନେଇ ଯେଉଁ ଆକଳନ କରିଥିଲେ ତାହା ୪ଦିନରେ ଅତିକ୍ରମ କରିଯାଇଛି ।
ଗଞ୍ଜାମ ଜିଲ୍ଲା ପରେ ରାଜ୍ୟର ସବୁଠୁ ଅଧିକ ସମ୍ବେଦନଶୀଳ ସହର ପାଲଟିଯାଇଛି ଭୁବନେଶ୍ୱର । ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ତାଲିକାରେ ଗଞ୍ଜାମ ପଛକୁ ଖୋର୍ଦ୍ଧା ଜିଲ୍ଲା ରହୁଛି । ଆଉ ଖୋର୍ଦ୍ଧା ଜିଲ୍ଲାର ୭୦%ରୁ ଅଧିକ ଆକ୍ରାନ୍ତ କେବଳ ଭୁବନେଶ୍ୱରରୁ ହିଁ ଚିହ୍ନଟ ହେଉଛନ୍ତି l ରାଜଧାନୀରେ ଏମିତି କୌଣସି ଅଞ୍ଚଳ ନାହିଁ ଯେଉଁଠାରୁ କରୋନା ଆକ୍ରାନ୍ତ ବାହାରିନାହାନ୍ତି । କେବଳ ଜୁଲାଇ ମାସରେ ୧୬୭୧ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ କରୋନା ଏଠାରେ କିପରି କାୟା ମେଲାଉଛି ତାହା ଜଳଜଳ ଦିଶିଲାଣି ।