ଚାଇନାକୁ ଉଦ୍ଧବ ଝଟକା: ୩ ପ୍ରକଳ୍ପ ଉପରେ ଲାଗିଲା ରୋକ


ମୁମ୍ବାଇ: ଲଦାଖ ସଂଘର୍ଷ ପରେ ଚାଇନାକୁ ଦୁର୍ବଳ କରିବାକୁ ଉଠିଥିବା ଦାବିକୁ ସମର୍ଥନ ଜଣାଇ ମହାରାଷ୍ଟ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଉଦ୍ଧବ ଠାକରେ ସରକାର ଚାଇନା ସହ ହୋଇଥିବା ୩ଟି ପ୍ରକଳ୍ପ ଉପରେ ଆଜି ରୋକ ଲଗାଇ ଦେଇଛନ୍ତି।
ମ୍ୟାଗ୍ନେଟିକ ମହାରାଷ୍ଟ୍ର ୨.୦ ଇନଭେଷ୍ଟର ମିଟ୍ରେ ଏହି ପ୍ରକଳ୍ପ ପାଇଁ ଡିଲ ହୋଇଥିଲା। ଏହି ୩ ପ୍ରକଳ୍ପ ପାଇଁ ୫ ହଜାର କୋଟିର ପୁଞ୍ଜି ବିନିଯୋଗ ହେବାର ଥିଲା। ତେବେ ଏହା ଉପରେ ମହାରାଷ୍ଟ୍ର ସରକାର ରୋକ ଲଗାଇ ଦେଇଛନ୍ତି।
ଆହୁରି ପଢ଼ନ୍ତୁ
ମହାରାଷ୍ଟ୍ରର ଶିଳ୍ପ ମନ୍ତ୍ରୀ ସୁବାଷ ଦେଶାଇ କହିଛନ୍ତି, “କେନ୍ଦ୍ର ସହ ଆଲୋଚନା କରି ଆମେ ଏଭଳି ନିଷ୍ପତ୍ତି ନେଇଛୁ। ଆମେ ନିଜ ତରଫରୁ ପ୍ରକଳ୍ପ ଉପରେ ରୋକ ଲଗାଇଛୁ ଓ ଏବେ କେନ୍ଦ୍ରର ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିବାକୁ ପ୍ରସ୍ତୁତ ରହିଛୁ।”
ପ୍ରକଳ୍ପ ପାଇଁ ସୋମବାର ଦିନ ଭିଡିଓ କନଫରେନ୍ସିଂ ହୋଇଥିଲା। ଏଥିରେ ଚାଇନାର ରାଷ୍ଟ୍ରଦୂତ ସନ ୱିଡଙ୍ଗ ଉପସ୍ଥିତ ରହିଥିଲେ। ଚାଇନା ମହାରାଷ୍ଟ୍ରରେ ପ୍ରକଳ୍ପ କାମ ଆରମ୍ଭ କରିବାକୁ ଚୁକ୍ତି କରିଥିଲା। କେବଳ ଚାଇନା ନୁହେଁ, ଦକ୍ଷିଣ କୋରିଆ, ସିଙ୍ଗାପୁର ଓ ଆମେରିକାର କମ୍ପାନୀ ମଧ୍ୟ ଚୁକ୍ତି କରିଥିଲେ।
ସେହିଦିନ ସନ୍ଧ୍ୟାରେ ଲଦାଖରେ ଭାରତ ଓ ଚାଇନାର ସଂଘର୍ଷ ହୋଇଥିଲା। ଏଥିରେ ଭାରତର ୨୦ ଜଣ ଯବାନ ସହିଦ ହୋଇଥିଲେ। ଏହାକୁ ନେଇ ସାରା ଦେଶରେ ଚାଇନା ବିରୋଧୀ ନିଆଁ ତୀବ୍ର ହେବାରେ ଲାଗିଛି।