ପୁଲିସ, ଡାକ୍ତରଙ୍କ ନାଁରେ ମାମଲା – Satyasikha


ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ପୁଲିସ୍ ହେପାଜତରେ ଜଣେ ନାବାଳିକାଙ୍କ ଗର୍ଭପାତ ଅଭିଯୋଗ ମାମଲାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ରାଏବଗା ଥାନାରେ ୬ ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ଏହି ୬ଜଣଙ୍କ ମଧ୍ୟରେ ବୀରମିତ୍ରପୁର ଥାନାଧିକାରୀ, ଜଣେ କର୍ମଚାରୀ, ଜଣେ ଡାକ୍ତରଙ୍କ ସମେତ ନାବାଳିକାଙ୍କ ସାବତ ବାପା ଏବଂ ଅନ୍ୟ ଦୁଇଜଣଙ୍କ ନାମରେ ମାମଲା ଦାୟର ହୋଇଛି। ଗର୍ଭପାତ ପରେ ନାବାଳିକାଜଣକ ଏବେ ଚାଇଲ୍ଡ ଲାଇନ ହେପାଜତରେ ରହିଛି। ତେବେ ବୀରମିତ୍ରପୁର ଥାନା ଅଧିକାରୀ ଏବଂ ଡାକ୍ତରଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।
ଆହୁରି ପଢ଼ନ୍ତୁ
ପୁଲିସ୍ର ସୂଚନାଅନୁସାରେ, ଜୁନ୍ ୧୪ ତାରିଖରେ ଅସହାୟ ଅବସ୍ଥାରେ ନାବାଳିକାଜଣକ ବୀରମିତ୍ରପୁର ବସ୍ଷ୍ଟାଣ୍ଡ ନିକଟରେ ବୁଲୁଥିବା ଦେଖି ପୁଲିସ୍ ତାଙ୍କୁ ଉଦ୍ଧାର କରିଥିଲା। ଏହାପରେ ଘରେ ଛାଡ଼ି ଦେବାକୁ କହିବାରୁ ନାବାଳିକା ଜଣକ ଘରକୁ ଯିବାକୁ ମନା କରି ଦେଇଥିଲେ। ସେ ଅସୁସ୍ଥ ଥିବାରୁ ଡାକ୍ତରଖାନା ନେବାକୁ କହିଥିଲେ। ହେଲେ ଡାକ୍ତରଖାନାରେ ସେ ଦୁଇ ମାସର ଗର୍ଭବତୀ ଥିବା ଜଣାପଡ଼ିଥିଲା। ତେବେ ନାବାଳିକାଙ୍କ ଅନୁରୋଧ କ୍ରମେ ସ୍ଥାନୀୟ ଏକ ସରକାରୀ ଚିକିତ୍ସାଳୟରେ ତାଙ୍କର ଗର୍ଭପାତ କରାଯାଇଥିବା ପୁଲିସ୍ କହିଛି।






