ଚୀନର ବ୍ୟବସାୟିକ ପ୍ରଭାବ ଉପରେ ଲାଗିଲା ରୋକ୍, WTO ଦେଲା ଝଟକା


ଜେନେଭା: ଲଦାଖ ସୀମାକୁ ନେଇ ଭାରତ ସହିତ ଚୀନର ସୀମା ବିବାଦ ଜାରି ରହିଛି। ଏହାରି ଭିତରେ ଚୀନକୁ ଅନ୍ତର୍ଜାତୀୟ ବଜାରରେ ଜବରଦସ୍ତ ଝଟକା ଲାଗିଛି। ୟୁରୋପୀୟ ସଂଘ ସହିତ ଚୀନର ବ୍ୟବସାୟିକ ବିବାଦ ଚାଲିଥିଲା ସେଥିରେ ଶୋଚନୀୟ ପରାଜୟ ବରଣ କରିଛି ଚୀନ୍। ଓ୍ୱାର୍ଲଡ ଟ୍ରେଡ୍ ଅରଗାନାଇଜେସନ (WTO)ରେ ଏହି ବିବାଦ ପହଞ୍ଚିଥିଲା। ଫଳରେ ବିଶ୍ୱ ବଜାରରେ ଚୀନର ଯେଉଁ ଅର୍ଥନୀତିକ ଷ୍ଟାଟସ ବା ସ୍ଥିତି ଥିଲା ତାହା ଶେଷ ହୋଇଛି। ଚୀନ୍ ୟୁରୋପୀୟ ସଂଘରେ ନିଜର ଉତ୍ପାଦକୁ କମ୍ ଦାମରେ ବିକ୍ରି କରିବା ନିଷ୍ପତ୍ତିକୁ ୟୁରୋପ ସଂଘ ବିରୋଧ କରିଥିଲା। ଚୀନ ଜିନିଷର ଗୁଣବତ୍ତା ଅନ୍ତର୍ଜାତୀୟ ମୂଲ୍ୟ ତୁଳନାରେ ଯୁକ୍ତିଯୁକ୍ତ ରଖୁନଥିବାରୁ ଆମେରିକା ସମେତ ୟୁରୋପ ସଂଘ WTOରେ ବିରୋଧ କରିଥିଲା।
ୟୁରୋପୀୟ ସଂଘ କହିଛି, ଚୀନର ଶାସକ ଦଳ ଚୀନ୍ କମ୍ୟୁନିଷ୍ଟ ପାର୍ଟି (ସିସିପି) ଷ୍ଟିଲ୍ ଏବଂ ଆଲୁମିନିୟମ ସମେତ ଅନେକ ଉତ୍ପାଦରେ ସବସିଡି ଦେଉଛି। ଏହାଦ୍ୱାରା ଅନ୍ତର୍ଜାତୀୟ ବଜାରରେ ଚୀନ ଉତ୍ପାଦର ମୂଲ୍ୟ ଯୁକ୍ତିଯୁକ୍ତ ରଖୁନାହିଁ। ଏବେ ସିସିପି ବିରୋଧରେ ଆସିଥିବା ଏହି ନିଷ୍ପତ୍ତି ପରେ ଆମେରିକା ଏବଂ ୟୁରୋପର ଘରୋଇ ଉତ୍ପାଦର ଚାହିଦା ବଢ଼ିବ। ଚୀନ ସାଧାରଣତଃ ନିଜର ଉତ୍ପାଦକୁ ଅନ୍ୟ ଦେଶରେ କମ୍ ଦାମରେ ବିକ୍ରି କରିବାକୁ ଚେଷ୍ଟା କରେ। ଏହାଦ୍ୱାରା ସେହି ଦେଶର ସ୍ଥାନୀୟ ବ୍ୟବସାୟୀ ଅନେକ କ୍ଷତି ସହିଥାନ୍ତି। ଚୀନର ଉତ୍ପାଦ କମ୍ ଦାମରେ ବିକ୍ରି ହେବା ପରେ ସେହି ଦେଶର ବଜାରକୁ ଚୀନ୍ ନିଜ ନିୟନ୍ତ୍ରଣକୁ ପରୋକ୍ଷରେ ନେଇଥାଏ। ଲୋକଙ୍କ ପାଖରେ ଧୀରେ ଧୀରେ ଚୀନର ଉତ୍ପାଦ ଗ୍ରହଣୀୟ ହେବା ପରେ ଦାମ ବଢ଼ାଇଥାଏ ବେଜିଂ। ଏବେ ଓ୍ୱାର୍ଲ ଟ୍ରେଡ୍ ଅରଗାନାଇଜେସନର ନିଷ୍ପତ୍ତି ପରେ ଚୀନର ଉତ୍ପାଦ ଉପରେ ଆଣ୍ଟି ଡମ୍ପିଂ ଶୁଳ୍କ ବଢ଼ାଇ ଚୀନ ଜିନିଷର ବିକ୍ରି ଉପରେ ଏହି ଦେଶ ରୋକ୍ ଲଗାଇବେ।
ଆହୁରି ପଢ଼ନ୍ତୁ
ଆମେରିକା ସରକାରଙ୍କ ବ୍ୟବସାୟିକ ପ୍ରତିନିଧି ରବର୍ଟ ଲାଇଟନଜର କହିଛନ୍ତି WTOରେ ଚାଲିଥିବା ଏହି ମାମଲାକୁ ଗୁରତ୍ୱପୂର୍ଣ୍ଣ ବୋଲି କହିଥିଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଯଦି WTOର ନିଷ୍ପତ୍ତି ଯଦି ସଠିକ୍ ନ ହେବ ତା’ହେଲେ ଆମେରିକା ଏହି ଗ୍ରୁପରୁ ବାହାରିଯିବ।
ତେବେ ଚୀନ WTOରେ ହାରିବା ପରେ ଏହାକୁ ଐତିହାସିକ ପରାଜୟ ବୋଲି କୁହାଯାଉଛି। କାରଣ ଦି ବିଏଲର ରିପୋର୍ଟ ଅନୁଯାୟୀ ସିସିପି ଜାତିସଂଘ, ବିଶ୍ୱ ବ୍ୟାଙ୍କ, ଆଇଏମଏଫ୍ ସମେତ ଅନେକ ଅନ୍ତର୍ଜାତୀୟ ସଂସ୍ଥାରେ ପ୍ରବେଶ କରିସାରିଥିଲା। ଏବେ WTOରୁ ହାରିବା ପରେ ଚୀନକୁ ଅନ୍ତର୍ଜାତୀୟ ମଞ୍ଚରେ ବ୍ୟବସାୟିକ ଝଟକା ଲାଗିଛି। ଚୀନ୍ ସବୁବେଳେ ବ୍ୟବସାୟିକ ମନୋଭାବ ରଖି ଅନ୍ୟ ଦେଶ ସହିତ ସମ୍ପର୍କ ରଖେ। ସମ୍ପର୍କ ବଢ଼ିବା ପରେ ସେହି ଦେଶର ବଜାରରେ ମନମୁଖୀ ଶାସନ ଆରମ୍ଭ କରିଥାଏ। କରୋନା ମହାମାରୀ ପାଇଁ ସାରା ବିଶ୍ୱ ଯେତେବେଳେ ଚୀନକୁ ସମାଲୋଚନା କରୁଛି ସେତେବେଳେ WTOର ନିଷ୍ପତ୍ତି ବେଜିଂର ବ୍ୟବସାୟିକ ସ୍ୱପ୍ନରେ ପାଚେରୀ ଛିଡ଼ା କରିଛି।