

ସତ୍ୟଶିଖା : ରାଜ୍ୟରେ କିଛି ସ୍ଥାନରେ ଗତକାଲି ପ୍ରବଳ ବର୍ଷା ହୋଇଥିବା ବେଳେ କେତେକ ଅଞ୍ଚଳରେ ଅତିପ୍ରବଳ ବର୍ଷା ହୋଇଛି। ଆସନ୍ତା ୨ ଦିନ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ହେବ। ଏହା ପରେ ପାଗ ଶୁଖିଲା ଓ ଖରାଟିଆ ରହିବ। ବିଶେଷ କରି ଆଜି ରାଜ୍ୟର ୬ଟି ଜିଲ୍ଲାରେ ଅତିରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅଞ୍ଚଳଗୁଡ଼ିକରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ବାକି କିଛି ଅଞ୍ଚଳ ପାଇଁ ୟେଲୋ ୱାର୍ଣ୍ଣିଂ ବି ଜାରି ହୋଇଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଘୂର୍ଣ୍ଣିବଳୟଟି ଏବେ ଉତ୍ତର ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳ ଉପରେ ରହିଛି। ଏହା ସମୁଦ୍ର ପତ୍ତନଠାରୁ ୨.୧ କିମିରୁ ୫.୮ କିମି ଉଚ୍ଚରେ ରହିବା ଫଳରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଛି। ଆସନ୍ତା ୨ ଦିନ ଧରି ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୬ଟି ଜିଲ୍ଲାରେ ଅତିରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ବରଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧ, ସମ୍ବଲପୁର ଓ ଝାରସୁଗୁଡ଼ା ଆଦିର କିଛି କିଛି ସ୍ଥାନରେ ଅତିରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ଆଜି ସୁନ୍ଦରଗଡ଼, ଦେବଗଡ଼, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, କଟକ ଓ ଅନୁଗୁଳ ଆଦି ଜିଲ୍ଲାରେ ବି ପ୍ରବଳ ବର୍ଷା ହେବ।