ଚାଇନାର ନୂଆ ଭେଳିକି: ଗଲୱାନକୁ ନିଜର କହିଲା, ଭାରତ ଉପରେ ଦୋଷ ଲଦିଲା


ନୂଆଦିଲ୍ଲୀ: ପୁଣିଥରେ ମୁହଁ ଫୁଟାଣି ଦେଖାଇଛି ଚାଇନା। ଲଦାଖର ଯେଉଁ ଗଲୱାନ ଭ୍ୟାଲିରେ ଭାରତର ୨୦ ଜଣ ବୀର ଯବାନ ଚାଇନା ସହ ରକ୍ତାକ୍ତ ସଂଘର୍ଷ କରି ସହିଦ ହୋଇଥିଲେ, ଏବେ ବେଜିଂ ତା’କୁ ନିଜର ଅଞ୍ଚଳ ବୋଲି ଦାବି କରିଛି। ଖାଲି ସେତିକି ନୁହେଁ, ଦୀର୍ଘ ବର୍ଷ ହେଲାଣି କୁଆଡ଼େ ଗଲୱାନ ଘାଟିରେ ଚାଇନା ସେନା ପ୍ୟାଟ୍ରୋଲିଂ କରୁଛନ୍ତି ଓ ନିଜ ଦେଶର ଯବାନମାନେ ଏଠାରେ ମୁତୟନ ଅଛନ୍ତି ବୋଲି ଚାଇନାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ପୁଣିଥରେ ଦାବି କରାଯାଇଛି।
ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ବିଳମ୍ବିତ ରାତିରେ ଏକ ପ୍ରେସ ବିବୃତି ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି)ର ଚାଇନା ପଟ ଅଞ୍ଚଳରେ ଗଲୱାନ ଘାଟି ରହିଛି। ଜୁନ୍ ୬ରେ ଭାରତ ପକ୍ଷରୁ ଆମକୁ ପ୍ରତିଶ୍ରୁତି ଦିଆଯାଇଥିଲା ଯେ ଦେଶର ଯବାନମାନେ କୌଣସି ପ୍ରକାର ଗଲୱାନ ନଦୀ ପାର କରି ଉପତ୍ୟକାରେ ପ୍ୟାଟ୍ରୋଲିଂ କରିବେ ନାହିଁ କିମ୍ବା କିଛି ବି ନିର୍ମାଣ କରିବେ ନାହିଁ। ଦୁଇ ଦେଶ ପର୍ଯ୍ୟାୟକ୍ରମେ ସେନା ପ୍ରତ୍ୟାହାର କରିବେ ବୋଲି କହିଥିଲେ।
କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଜୁନ୍ ୧୫ ତାରିଖ ସନ୍ଧ୍ୟା ବେଳେ ଭାରତୀୟ ଯବାନମାନେ କମାଣ୍ଡର ସ୍ତରରେ ହୋଇଥିବା ବୁଝାମଣାକୁ ଉଲ୍ଲଙ୍ଘନ କରି ଜାଣିଶୁଣି ଏଲଏସି ଅତିକ୍ରମ କରିଥିଲେ। ସେମାନେ ସେଠାରେ ଚାଇନା ଯବାନଙ୍କୁ ଉସକାଇଥିଲେ। ଏପରି କି ଭାରତୀୟ ଯବାନମାନେ କାର୍ଯ୍ୟରତ ଚାଇନିଜ ଯବାନ ଓ ଅଫିସରମାନଙ୍କୁ ଆକ୍ରମଣ କରିଥିଲେ।
ଆହୁରି ପଢ଼ନ୍ତୁ
ଏହାକୁ ନେଇ ଦୁଇ ଦେଶର ଯବାନଙ୍କ ମଧ୍ୟରେ ମାରପିଟ ହୋଇଥିଲା। ଭାରତୀୟ ସେନାର ଏଭଳି କାର୍ଯ୍ୟକଳାପ ନିଶ୍ଚିତ ଭାବେ ସୀମାରେ ସ୍ଥିରତାକୁ ପ୍ରଭାବିତ କରିଛି ବୋଲି କୁହାଯାଇଛି।
ଜୁନ୍ ୧୫ ପରେ ଚାଇନା ପ୍ରଥମଥର ପାଇଁ ଗଲୱାନ ଭ୍ୟାଲି ଉପରେ ତା’ର ସାର୍ବଭୌମତ୍ୱ ଦାବି କରିଛି। ୧୯୫୦ ପରଠାରୁ କେବେ ହେଲେ ଚାଇନା ଏମିତି ଦାବି କରି ନଥିଲା।
ଭାରତ ପକ୍ଷରୁ ଏଭଳି ଅବାସ୍ତବ ଦାବି ନ କରିବାକୁ ଚାଇନାକୁ କୁହାଯାଇଥିଲେ ହେଁ ବେଜିଂ କିନ୍ତୁ ଦୀର୍ଘ ବର୍ଷ ହେଲାଣି ଗଲୱାନ ଭ୍ୟାଲିରେ ପ୍ୟାଟ୍ରୋଲିଂ କରୁଥିବା କହିଛି।