ଜିନପିଙ୍ଗ ବିନା ଅନୁମତିରେ ମୃତାହତଙ୍କ ସଂଖ୍ୟା ଜାରି କରିବନି ଚାଇନା


ବେଜିଂ: ଲଦାଖର ଗଲୱାନ ଘାଟିରେ ଭାରତ ଓ ଚାଇନା ମଧ୍ୟରେ ଘଟିଥିବା ରକ୍ତାକ୍ତ ସଂଘର୍ଷକୁ ୩ ଦିନ ବିତିଥିଲେ ହେଁ ଏଯାଏ ବେଜିଂ ତରଫରୁ କ୍ଷୟକ୍ଷତି ସମ୍ପର୍କରେ ରିପୋର୍ଟ ପ୍ରକାଶ ପାଇନାହିଁ। ଅବଶ୍ୟ ବିଭିନ୍ନ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭାରତୀୟ ଯବାନଙ୍କ ପାଲଟା ଆକ୍ରମଣରେ ପ୍ରାୟ ୪୩ରୁ ୪୫ ଜଣ ଚାଇନିଜ ଯବାନ ମୃତାହତ ହୋଇଥିବା ଜଣାପଡ଼ିଛି।
ସେହିପରି ଆମେରିକା ଗୁଇନ୍ଦା ବିଭାଗ ମଧ୍ୟ ଲଦାଖର ଗଲୱାନ ଭ୍ୟାଲି ସଂଘର୍ଷରେ ୩୫ ଜଣ ଚାଇନିଜ ଯବାନ ନିହତ ହୋଇଥିବା ଘୋଷଣା କରିଛି। କିନ୍ତୁ ବିସ୍ତାରବାଦୀ ଚାଇନା ଏଯାଏ କୌଣସି ତଥ୍ୟ ଦେଇନାହିଁ। ଏବେ ଜଣାପଡ଼ିଛି ଯେ ଭାରତର ପାଲଟା ଆକ୍ରମଣରେ ପିଏଲଏର ବହୁ ସଂଖ୍ୟକ ଯବାନ ମୃତାହତ ହୋଇଛନ୍ତି।
ଆହୁରି ପଢ଼ନ୍ତୁ
ତେବେ ରାଷ୍ଟ୍ରପତି ସି ଜିନପିଙ୍ଗ ସଂଖ୍ୟା ପ୍ରକାଶ କରିବାକୁ ଏଯାଏ ଅନୁମତି ଦେଇ ନଥିବାରୁ ସରକାରଙ୍କ ପକ୍ଷରୁ କୌଣସି ବିବୃତି ଜାରି କରାଯାଉ ନାହିଁ। ଯେଉଁ ପର୍ଯ୍ୟନ୍ତ ରିପୋର୍ଟ ପ୍ରକାଶ କରିବାକୁ ଜିନପିଙ୍ଗ ଅନୁମତି ନ ଦେବେ, ସେ ଯାଏ ତଥ୍ୟ ଗୋପନ ରହିବ ବୋଲି କୁହାଯାଉଛି।
ଦକ୍ଷିଣ ଚାଇନା ମର୍ଣ୍ଣିଂ ପୋଷ୍ଟ ପ୍ରକାଶ କରିଥିବା ରିପୋର୍ଟ ଅନୁଯାୟୀ, ମୃତାହତ ସଂଖ୍ୟାକୁ ନେଇ ବେଜିଂ ବେଶ ଚିନ୍ତାରେ ରହିଛି। ଅଧିକ ସଂଖ୍ୟାରେ ସୈନ୍ୟ ପ୍ରାଣ ହରାଇଥିବାରୁ ଏହି ସଂଖ୍ୟା ପ୍ରକାଶ କରାଯିବା ଦରକାର କି ନୁହେଁ, ତା’କୁ ନେଇ ଦ୍ୱନ୍ଦ୍ୱ ପ୍ରକାଶ ପାଇଛି। ତେଣୁ ଜିନପିଙ୍ଗ ଅନୁମତି ଦେବା ପରେ ହିଁ ଯାଇ ସଂଖ୍ୟା ସାର୍ବଜନୀନ କରାଯିବ।