ଦେଶ

ପାଲଘରରେ ସାଧୁଙ୍କୁ ହତ୍ୟା ଘଟଣା: କେନ୍ଦ୍ର ଓ ମହାରାଷ୍ଟ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପାଲଘରରେ ୨ ଜଣ ସାଧୁଙ୍କୁ ପିଟିପିଟି ହତ୍ୟା ଘଟଣାର ସିବିଆଇ ଓ ଏନଆଇଏ ତଦନ୍ତ ହେବ କି ନାହିଁ, ତା’ର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ଏଥିସହ ସୁପ୍ରିମକୋର୍ଟ ମହାରାଷ୍ଟ୍ର, କେନ୍ଦ୍ର ସରକାର, ରାଜ୍ୟ ପୁଲିସ ମୁଖ୍ୟ ଓ ସିବିଆଇକୁ ଏ ସମ୍ପର୍କରେ ଜବାବ ତଲବ କରିଛନ୍ତି। ଦୁଇ ସପ୍ତାହ ପରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାର ଶୁଣାଣି କରିବେ।

ବର୍ତ୍ତମାନ ଏହି ମାମଲାର ତଦନ୍ତ ମହାରାଷ୍ଟ୍ର ସିଆଇଡି କରୁଛି। ହେଲେ ସିଆଇଡି ପକ୍ଷପାତିତା କରିବାର ଆଶଙ୍କା ଥିବାରୁ ଏହାର ତଦନ୍ତ ଦାୟିତ୍ୱ ସିବିଆଇ ଓ ଏନଆଇଏକୁ ଦେବାକୁ ଦାବି କରି ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ଏପ୍ରିଲ ୧୬ରେ ୨ ଜଣ ସାଧୁ ଓ ତାଙ୍କର ଡ୍ରାଇଭରଙ୍କୁ କିଛି ଲୋକ ପୁଲିସ୍‌ ଆଗରେ ପିଟିପିଟି ହତ୍ୟା କରିଥିଲେ। ଏହାକୁ ନେଇ ସମଗ୍ର ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

ଘଟଣାର ସିବିଆଇ ତଦନ୍ତ ଦାବି କରି ଶ୍ରୀ ପଞ୍ଚ ଦଶବନ ଜୁନା ଆଖଡ଼ାର ସାଧୁମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ସୁପ୍ରିମକୋର୍ଟ କୁହାଯାଇଛି ଯେ ମହାରାଷ୍ଟ୍ର ସରକାର କିମ୍ବା ପୁଲିସ ଉପରେ ସେମାନଙ୍କର କୌଣସି ବିଶ୍ୱାସ ନାହିଁ।

ଆହୁରି ପଢ଼ନ୍ତୁ

ହତ୍ୟାକାଣ୍ଡରେ ସରକାର ଏବଂ ପୁଲିସର ସମ୍ପୃକ୍ତି ଥିବା ମଧ୍ୟ ସେମାନେ ସନ୍ଦେହ କରିଛନ୍ତି। ତେଣୁ ମାମଲାର ନିରପେକ୍ଷ ତଦନ୍ତ ପାଇଁ ମାମଲାକୁ ସିବିଆଇ ଓ ଏନଆଇଏକୁ ହସ୍ତାନ୍ତର କରାଯାଉ।

ଶୁଣାଣି ବେଳେ ମହାରାଷ୍ଟ୍ର ସରକାରୀ ଓକିଲ ଏହି ଆବେଦନକୁ ବିରୋଧ କରିଥିଲେ। ସେ କହିଥିଲେ ଯେ ବମ୍ବେ ହାଇକୋର୍ଟରେ ମଧ୍ୟ ସମାନ ମାମଲା ବିଚାରାଧୀନ ଅଛି। ତେଣୁ ସୁପ୍ରିମକୋର୍ଟ ଏହାର ଚୂଡ଼ାନ୍ତ ନିଷ୍ପତ୍ତି ନିଅନ୍ତୁ ନାହିଁ।

ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ଏମଆର ଶାହ ଓ ଜଷ୍ଟିସ ଭି ରାମାସୁବ୍ରମଣିଅନଙ୍କ ଖଣ୍ଡପୀଠ ଦୁଇ ସପ୍ତାହ ପରେ ମାମଲାର ଶୁଣାଣି କରାଯିବ ବୋଲି କହିଛନ୍ତି।

[ad_2]
Show More
Back to top button