ବିଜେପିର ଭର୍ଚୁଆଲ ର୍ୟାଲିକୁ କଡ଼ା ସମାଲୋଚନା କଲେ ନିରଞ୍ଜନ


ଭୁବନେଶ୍ୱର(ସତ୍ୟଶିଖା): କରୋନା ବିପତ୍ତି ସମୟରେ ଓଡ଼ିଶାରେ ବିଜେପି ପକ୍ଷରୁ ଭର୍ଚୁଆଲ ର୍ୟାଲି କରାଯିବା ଓ ଦଳୀୟ ସଂଗଠନକୁ ସୁଦୃଢ଼ ପାଇଁ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଆହ୍ୱାନ ଦେବାକୁ ପ୍ରଦେଶ କଂଗ୍ରେସ କମିଟି କଡ଼ା ଭାଷାରେ ନିନ୍ଦା କରିଛି। କରୋନା ବିପତ୍ତିବେଳେ ସାଧାରଣ ଲୋକଙ୍କ ଜୀବନ ଓ ଜୀବିକା କଥା ଚିନ୍ତା ନକରି ଅମିତ୍ ଶାହ ଯେଉଁ ଭର୍ଚୁଆଲ ର୍ୟାଲି କରୁଛନ୍ତି ତାହା ଦେଶ ଓ ରାଜ୍ୟ ପାଇଁ ହିତକର ନୁହେଁ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।
ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଗତ ମାର୍ଚ୍ଚ ମାସ ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାଭାରତ ୧୮ ଦିନରେ ସରିଥିଲା ଓ ସେ କରୋନା ମହାମାରୀକୁ ୨୧ ଦିନରେ ଦେଶରୁ ମୁକ୍ତ କରିଦେବେ ବୋଲି କହିଥିଲେ। କିନ୍ତୁ ଏବେ ପ୍ରାୟ ୭୫ ଦିନରୁ ଅଧିକ ହୋଇଗଲାଣି, ଭାରତରେ କରୋନା ମହାମାରୀ ସଂକ୍ରମଣ କରିବାରେ ବିଶ୍ୱରେ ପଂଚମ ସ୍ଥାନରେ ପଂହଚିଥିବା ବେଳେ ଏସିଆ ମହାଦେଶରେ ପ୍ରଥମ ସ୍ଥାନରେ ପଂହଚିଲାଣି।
ଆହୁରି ପଢ଼ନ୍ତୁ
କଳକାରଖାନାର ମାଲିକମାନେ ଶ୍ରମିକମାନଙ୍କୁ କୌଣସି ସାହାଯ୍ୟ ନକରିବାରୁ ଭୋକ ଉପାସ ସହି ନପାରି ଲକ୍ଷାଧିକ ଶ୍ରମିକ ସାଇକେଲରେ, ଚାଲିଚାଲି, ଟ୍ରେନରେ, ବସରେ ନିଜ ବ୍ୟବସ୍ଥାରେ ଆସି ଗାଁ ମାଟିରେ ପହଂଚିଛନ୍ତି। ଏବେ ଶ୍ରୀ ଶାହା ବିଜେପି କର୍ମୀମାନେ ୧୧ କୋଟି ଲୋକଙ୍କୁ ଭୋଜନ କରାଇଥିବାର ତଥ୍ୟ କେଉଁଠୁ ଆଣିଲେ? ଦେଶରେ ଦୁର୍ଗତି ସମୟରେ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରି ଅତ୍ୟାଧୁନିକ ବ୍ୟବସ୍ଥାରେ ଭର୍ଚୁଆଲ ର୍ୟାଲିର ଆୟୋଜନ କେବଳ ଏ ଦେଶର କୋଟି କୋଟି ଗରିବଙ୍କ ପ୍ରତି ଉପହାସ ଛଡ଼ା ଆଉ କିଛି ନୁହେଁ। ଏଭଳି ଶସ୍ତା ରାଜନୀତି ଓ ହୀନ ଚକ୍ରାନ୍ତ କରି କ୍ଷମତାରେ ରହିବାର ଇତିହାସ ସ୍ୱାଧୀନତ୍ତୋର ଭାରତ ଇତିହାସରେ କେବେ ଦେଖିବାକୁ ମିଳିନଥିଲା।
ଯେଉଁ ଭର୍ଚୁଆଲ ର୍ୟାଲି କରିଛନ୍ତି ତାହା କେବଳ ନିରୀହ ଜନତାଙ୍କୁ ସୁନେଲି ସ୍ୱପ୍ନ ଦେଖାଇ ଏବଂ ନିଜ ଦଳର ବାହାଦୁରି ବଖାଣି ପ୍ରଚାର ଓ ପ୍ରସାରକରି ଗାଦିରେ ବସି ଶାସନ କରିବାର ଅଭିଳାଷ ପୂର୍ଣ୍ଣ କରିବାପାଇଁ ଉଦ୍ଦିଷ୍ଟ। ଅମିତ ଶାହା ଗତ ତିନିମାସ ଧରି କୁଆଡ଼େ ଥିଲେ। ପ୍ରବାସୀ ଶ୍ରମିକମାନଙ୍କର ଦୁଃଖ ଦୁର୍ଦ୍ଦଶାବେଳେ ଅମିତ୍ ଶାହା କୁଆଡ଼େ ଥିଲେ ଓ ତାଙ୍କ ରାଜ୍ୟ ଗୁଜୁରାଟରେ ଓଡ଼ିଆ ଶ୍ରମିକ ପୁଲିସ୍ ଲାଠିର ଶୀକାର ହୋଇ ମୃତ୍ୟୁବରଣବେଳେ ସେ ଚୁପ୍ କାହିଁକି ଥିଲେ ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି।
ଏହାବ୍ୟତୀତ ସରକାର ନିଜେ ନୟମ କରି କରୋନା ସମୟରେ କୌଣସି ରାଜନୈତିକ ସଭା ସମିତି,ଉତ୍ସବ, ଦେବଦର୍ଶନ ଓ ସ୍କୁଲରେ ପାଠପଢ଼ା ଆଦି କାର୍ଯ୍ୟକୁ ନିଷିଦ୍ଧ କରିଥିଲାବେଳେ ଏଭଳି ଭର୍ଚୁଆଲ ର୍ୟାଲି କରୋନା ନିୟନ୍ତ୍ରଣରେ କିଭଳି ସହାୟକ ହେବ ବୋଲି ଶ୍ରୀ ପଟ୍ଟନାୟକ କହିବା ସହ ଏହି ଦେଶ ଓ ରାଜ୍ୟକୁ କେବଳ ମହାପ୍ରଭୁ ଶ୍ରୀଜଗନ୍ନାଥ ଭରସା ବୋଲି କହିଛନ୍ତି।