କରୋନା ସଂକ୍ରମିତ ସଂଖ୍ୟାରେ ଇଟାଲୀକୁ ଟପିଲା ଭାରତ, ତଥାପି ମୃତ୍ୟୁ ହାର କମ


ନୂଆଦିଲ୍ଲୀ: କରୋନା ପ୍ରଭାବିତ ଦେଶ ତାଲିକାରେ ଭାରତ ଷଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛି। ସଂକ୍ରମିତ ତାଲିକାରେ ଭାରତ ଇଟାଲୀକୁ ଟପିଛି। ଇଟାଲୀରେ ମୋଟ୍ ସଂକ୍ରମିତ ସଂଖ୍ୟା ୨୩୪,୫୩୧ ରହିଥିବାବେଳେ ଭାରତରେ ୨୩୭,୩୯୫ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୧୦ ହଜାର ଛୁଇଁଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୨୩୭,୩୯୫୭ ହୋଇଥିବା ସୂଚନା ରହିଛି। ସେହିପରି ୨୪ ଘଣ୍ଟାରେ ୨୯୪ ଜଣଙ୍କର ମୃତ୍ୟୁ ଘଟିବା ପରେ ମୋଟ୍ ମୃତକଙ୍କ ସଂଖ୍ୟା ୬,୬୫୦ ହୋଇଛି। ଆମେରିକାର ଜନ ହାଫିକନ୍ସ ଦ୍ୱାରା ପ୍ରସ୍ତୁତ କରୋନା ଡାସବୋର୍ଡରୁ ଏହି ସୂଚନା ମିଳିଛି। ଏବେ କରୋନାର ହଟସ୍ପଟ ଆମେରିକା ଏବଂ ବ୍ରାଜିଲ ରହିଛି।
ଆହୁରି ପଢ଼ନ୍ତୁ
ସେହିପରି ମୃତ୍ୟୁ ସଂଖ୍ୟା ତୁଳନାରେ ଚୀନକୁ ଟପିଛି ଭାରତ। କରୋନା ଭାଇରସର ଗ୍ଲୋବାଲ୍ ଭିଲେନ କୁହାଯାଉଥିବା ଚୀନରେ ୪,୬୩୮ ଜଣ କରୋନାରେ ମୃତ୍ୟୁ ବରଣ କରିଥିବାବେଳେ ଭାରତରେ ୬,୬୫୦ ଜଣ ମୃତ୍ୟୁ ବରଣ କରିଛନ୍ତି। ଆମେରିକା ଏବଂ ବ୍ରାଜିଲରେ ମୃତ୍ୟୁ ହାର ୫.୮% ରହିଥିବାବେଳେ ଭାରତରେ ଏହି ହାର ୨.୮% ରହିଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯,୮୮୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଯାବତ ଏହା ସର୍ବକାଳୀନ ରେକର୍ଡ। ୧୧୫,୯୪୨ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଥିବାବେଳେ ୧୧୪,୦୭୨ ଜଣ ଆରୋଗ୍ୟ ହୋଇଛନ୍ତି। ଜୁନ୍ ଏବଂ ଜୁଲାଇରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିବ ବୋଲି ଆକଳନ କରାଯାଉଛି।






