

ସତ୍ୟଶିଖା ୧୦/୦୨/୨୦୨୧ : ବ୍ୟାଙ୍କ ବିରୋଧରେ ଗ୍ରାହକମାନଙ୍କ ଅଭିଯୋଗ ବଢ଼ିବାରେ ଲାଗିଛି । ୨୦୧୯-୨୦ରେ ବିଭିନ୍ନ ବ୍ୟାଙ୍କ ବିରୋଧରେ ବ୍ୟାଙ୍କ ଲୋକପାଳ କାର୍ଯ୍ୟାଳୟଗୁଡ଼ିକରେ ୩,୩୦,୫୪୩ ଅଭିଯୋଗ ଦାଖଲ ହୋଇଥିଲା । ୨୦୧୮-୧୯ରେ ଦାଖଲ ହୋଇଥିବା ୨,୦୦,୩୬୨ ଅଭିଯୋଗ ତୁଳନାରେ ଏହା ୬୪.୯୭% ଅଧିକ । ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା ବ୍ୟାଙ୍କ ଲୋକପାଳ ସମ୍ପର୍କିତ ରିପୋର୍ଟରୁ ଏହା ଜଣାପଡ଼ିଛି ।
ବ୍ୟାଙ୍କ ଲୋକପାଳ ସ୍କିମ୍ ଅଧୀନରେ ୨୦୧୯-୨୦ରେ ୩,୦୮,୬୩୦ ଅଭିଯୋଗ ଆସିଥିଲା । ସେଥିରୁ ୮୫.୬୫% ଅଭିଯୋଗ ଇଲେକ୍ଟ୍ରୋନିକ୍ସ ମାଧ୍ୟମରେ ଆସିଛି । ଅଭିଯୋଗ ଗ୍ରହଣ କରିବା ଲାଗି ରିଜର୍ଭ ବ୍ୟାଙ୍କ ଦ୍ବାରା ‘ଅଭିଯୋଗ ପରିଚାଳନା ବ୍ୟବସ୍ଥା (ସିଏସ୍ଏମ୍) ବିକଶିତ କରାଯାଇଛି । ଏହା ଜରିଆରେ ଆସିଥିବା ଅଭିଯୋଗ ମଧ୍ୟରୁ ୭୨.୧୯% ଇ-ମେଲ୍ ଜରିଆରେ ଆସିଛି । ବ୍ୟାଙ୍କ ଲୋକପାଳ ୯୨.୩୬% ଅଭିଯୋଗର ସମାଧାନ କରିଛନ୍ତି । ଏଟିଏମ୍, ଡେବିଟ୍ କାର୍ଡ ଓ ମୋବାଇଲ୍ ତଥା ଇଲେକ୍ଟ୍ରୋନିକ୍ସ ବ୍ୟାଙ୍କିଙ୍ଗ୍କୁ ନେଇ ସର୍ବାଧିକ ଅଭିଯୋଗ ହୋଇଛି । ମୋଟ ଅଭିଯୋଗରେ ଏଟିଏମ୍ ଓ ଡେବିଟ୍ କାର୍ଡ ସମ୍ପର୍କିତ ଅଭିଯୋଗ ମାତ୍ରା ୨୧.୯୭% ଥିବା ବେଳେ ମୋବାଇଲ୍ ଓ ଇଲେକ୍ଟ୍ରୋନିକ୍ସ ବ୍ୟାଙ୍କିଙ୍ଗ୍ ସମ୍ପର୍କିତ ଅଭିଯୋଗ ୧୩.୩୮% ରହିଛି । କ୍ରେଡିଟ୍ କାର୍ଡ, ପ୍ରତିଶ୍ରୁତି ପାଳନ ନକରିବା, ସୂଚନା ନଦେଇ ଶୁଳ୍କ ଲାଗୁ କରିବା, ଋଣ ଓ ଅଗ୍ରୀମ ଏବଂ ବ୍ୟାଙ୍କିଙ୍ଗ୍ କୋଡସ୍ ଆଣ୍ଡ୍ ଷ୍ଟାଣ୍ଡାର୍ଡସ୍ ବୋର୍ଡ ଅଫ୍ ଇଣ୍ଡିଆର କୋଡ୍ ପାଳନ ନକରିବା ସମ୍ପର୍କିତ ଅଭିଯୋଗ ମଧ୍ୟ ବଢ଼ିଛି । ଡାଇରେକ୍ଟ ସେଲ୍ସ ଏଜେଣ୍ଟ୍ ଓ ରିକଭରି ଏଜେଣ୍ଟ୍ଙ୍କ ସମ୍ପର୍କିତ ୧୪୦୬ଟି ଅଭିଯୋଗ ଦାଖଲ ହୋଇଛି ଯାହା ପୂର୍ବବର୍ଷ ଅଭିଯୋଗ ସଂଖ୍ୟା ତୁଳନାରେ ଦୁଇ ଗୁଣରୁ ଅଧିକ । ଲୋକପାଳଙ୍କ ପାଖକୁ ଅଧା (୪୯%) ଅଭିଯୋଗ ମେଟ୍ରୋ ସହରରୁ ଆସିଥିବା ବେଳେ ଗ୍ରାମାଞ୍ଚଳରୁ ମାତ୍ର ୧୦% ଅଭିଯୋଗ ଆସିଥିଲା ।
ବ୍ୟାଙ୍କ ଲୋକପାଳଙ୍କ କାର୍ଯ୍ୟାଳୟ ନିକଟକୁ ଆସିଥିବା ଗ୍ରହଣଯୋଗ୍ୟ ଅଭିଯୋଗ ମଧ୍ୟରୁ କାର୍ଯ୍ୟାଳୟର ହସ୍ତକ୍ଷେପ, ମଧ୍ୟସ୍ଥତା ଓ ଆପୋଷ ବୁଝାମଣା ଜରିଆରେ ୭୨.୩୫% ଅଭିଯୋଗର ସମାଧାନ କରାଯାଇଛି । ପ୍ରତି ଅଭିଯୋଗ ପରିଚାଳନା ଲାଗି ହେଉଥିବା ଖର୍ଚ୍ଚ ମଧ୍ୟ ୨୪୧୨ ଟଙ୍କାକୁ ହ୍ରାସ ପାଇଛି । ୨୦୧୮-୧୯ରେ ୩୧୪୫ ଟଙ୍କା ଖର୍ଚ୍ଚ ହେଉଥିଲା । ଅଣ ବ୍ୟାଙ୍କିଙ୍ଗ୍ ଆର୍ଥିକ ସଂସ୍ଥା ଲୋକପାଳ ସ୍କିମ୍ ଅଧୀନରେ ୨୦୧୯-୨୦ରେ ୧୯,୪୩୨ଟି ଆସିଛି ଯାହା ପୂର୍ବବର୍ଷ ତୁଳନାରେ ୩୮୬.୮୯% ଅଧିକ । ସେଥି ମଧ୍ୟରୁ ୯୫.୩୪% ଅଭିଯୋଗର ସମାଧାନ କରାଯାଇଛି । ଡିଜିଟାଲ୍ କାରବାର ବିରୋଧରେ ଅଭିଯୋଗ ପରିମାଣ ୯୯.୪୦% ବୃଦ୍ଧି ପାଇ ୨୩୮୧ରେ ପହଞ୍ଚିଛି । ସେଥି ମଧ୍ୟରୁ ୯୦.୯୨% ମାମଲାର ସମାଧାନ ହୋଇଛି ।