ରାସ୍ତାକଡ଼ରୁ ୮୦ ଦୋକାନ ଉଚ୍ଛେଦ


ସତ୍ୟଶିଖା ୨୬/୧୨/୨୦୨୦ : ଜୟଦେବ ବିହାରର-ନନ୍ଦନକାନନ ରାସ୍ତାରେ ଭିଡ଼ ନିୟନ୍ତ୍ରଣ ପାଇଁ ବିଡିଏ ଓ ବିଏମ୍ସି ପକ୍ଷରୁ ରାସ୍ତାକଡ଼ ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି । ଗତକାଲି ଡମଣା ଛକରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ରାସ୍ତାକଡ଼ରୁ ୩୦ ଦୋକାନ ଭଙ୍ଗା ଯାଇଥିଲା । ଆଜି ନୀଳାଦ୍ରିବିହାର ପେଟ୍ରୋଲ୍ ପମ୍ପଠାରୁ ଆଗକୁ ୮୦ଟି ଦୋକାନକୁ ଉଚ୍ଛେଦ କରାଯାଇଛି । ଥଇଥାନ ଦାବିରେ ଦୋକାନୀମାନେ ପ୍ରତିବାଦ କରିଥିଲେ ବି ପୁଲିସ ବଳ ଆଗରେ ସେମାନଙ୍କ ପ୍ରତିବାଦ ନରମି ଯାଇଥିଲା ଓ ସେମାନେ ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇଥିଲେ । ତେବେ ପରେ ସେମାନଙ୍କ ପାଇଁ ଥଇଥାନ ବ୍ୟବସ୍ଥା କରିବା ନେଇ ଆଲୋଚନା ହେବ ବୋଲି ସୂଚନା ମିଳିଛି ।
ଆଜି ଚନ୍ଦ୍ରଶେଖରପୁର ମୌଜା ଅଧୀନ ନୀଳାଦ୍ରିବିହାର ପେଟ୍ରୋଲ ପମ୍ପ ନିକଟରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା । ଗତକାଲିଠାରୁ ବ୍ୟବସାୟୀମାନଙ୍କ ମଧ୍ୟରେ ଥିବା ଅସନ୍ତୋଷ କାରଣରୁ ଗଣ୍ଡଗୋଳ ଆଶଙ୍କା କରି ଆଜି ୫ ପ୍ଲାଟୁନ୍ ପୁଲିସ ବଳ ନିୟୋଜିତ ହୋଇଥିଲେ । ଇନ୍ଫୋସିଟି ଓ ଚନ୍ଦ୍ରଶେଖରପୁର ଥାନା ଅଧିକାରୀମାନେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ସଜାଗ ଥିଲେ । ତଥାପି ସେଠାରେ ଉତ୍ତେଜନା ଦେଖାଯିବାରୁ ପୁଲିସ ଅଧିକାରୀମାନେ ପ୍ରଥମେ ବ୍ୟବସାୟୀମାନଙ୍କୁ ବୁଝାସୁଝା କରିଥିଲେ । ଶେଷରେ ପୁଲିସ ବଳ ପ୍ରୟୋଗ କରିବାକୁ ନିଷ୍ପତ୍ତି ନେବା ଜଣାପଡ଼ିବା ପରେ ବ୍ୟବସାୟୀମାନେ ହଟି ଯାଇଥିଲେ । ଏହି ଉଚ୍ଛେଦ କାର୍ଯ୍ୟରେ ବିଡିଏ ପକ୍ଷରୁ ଅଧିକାରୀ ହରୀଶ ଚନ୍ଦ୍ର ନାୟକ, ପ୍ରମୋଦ କୁମାର ପାତ୍ର, ସାଧାରଣ ପ୍ରଶାସନ ପକ୍ଷରୁ ମାନସ ରଂଜନ ସାମଲ, ଅମୀୟ ଦାସ, ଜୋନ୍ ଏସିପି ପ୍ରକାଶ ଚନ୍ଦ୍ର ପାଲ, ଆଇଆଇସି ଯୁବରାଜ ସ୍ବାଇଁ ଓ ବିଶ୍ବରଂଜନ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ ।