ସତ୍ୟଶିଖା(ଆଲିଗଡ ) ୨୮.୦୫.୨୦୨୧: ଉତ୍ତରପ୍ରଦେଶର ଆଲିଗଡରେ ବିଷାକ୍ତ ମଦ ପିଇ ୭ ଜଣ ଜୀବନ ହାରିଛନ୍ତି । ଆହୁରି ଅନେକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଭିଯୁକ୍ତଙ୍କ ବିରୋଧରେ ଏନଏସଏ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ମୃତକଙ୍କ ମଧ୍ୟରେ ଜଣେ ଟ୍ରକ୍ ଡ୍ରାଇଭର ରହିଛନ୍ତି । ଆହୁରି ମଧ୍ୟ ଲୋଧା ଥାନା ଅଞ୍ଚଳର କରସୁଆ, ନିମାନା, ହୈବତପୁର, ଅଣ୍ଡାଲା ଗ୍ରାମରେ କିଛି ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଅସୁସ୍ଥମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଆଲିଗଡର ବିଭିନ୍ନ ଗ୍ରାମରେ ବିଷାକ୍ତ ମଦମୃତ୍ୟୁ ପରେ ଆତଙ୍କ ଖେଳିଯାଇଛି । ଜିଲ୍ଲା ଅଧିକାରୀ ଚନ୍ଦ୍ରଭୂଷଣ ସିଂ କହିଛନ୍ତି ଯେ, ଏବେସୁଦ୍ଧା ସାତ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାର ତଦନ୍ତ କରାଯାଉଛି । ତଦନ୍ତ ପରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ସ୍ଥାନୀୟ ଲୋକଙ୍କ କହିବାନୁସାରେ, କରସୁଆ ଗ୍ରାମରେ ବିଷାକ୍ତ ମଦ ପିଇ ସାତ ଜଣ ପ୍ରାଣ ହରାଇଛନ୍ତି । ମୃତକମାନେ ଗ୍ରାମରେ ଥିବା ଦେଶି ମଦ ଭାଟିରୁ ମଦ ପିଇଥିଲେ । ଖବର ପାଇଁ ପୋଲିସ ଓ ସରକାରୀ ଅଧିକାରୀ ମୃତଦେହକୁ ପୋଷ୍ଟମଟର୍ମ ପାଇଁ ପଠାଇଛନ୍ତି । ଦେଶି ମଦ ଭାଟିକୁ ସିଲ୍ କରିଦିଆଯାଇଛି । ବ୍ୟବସାୟୀଜଣଙ୍କ ନକଲି ମଦ ବିକ୍ରି କରୁଥିଲେ ନା ନାହିଁ ସେନେଇ ମଧ୍ୟ ତଦନ୍ତ ଜାରି ରହିଛି ।