ଦେଶନ୍ୟୁଜ୍ବାଣିଜ୍ୟରାଜ୍ୟ

ଜାନୁଆରିରେ ୬ ନୂଆ କାର୍‌

ସତ୍ୟଶିଖା (ନୂଆଦିଲ୍ଲୀ) ୧୬/୦୧/୨୦୨୧ : ଦୁଇବର୍ଷ କଠିନ ସମୟ ଦେଇ ଗତି କରିବା ପରେ ୨୦୨୧କୁ ଗାଡ଼ି କଂପାନିଗୁଡ଼ିକ ସମ୍ଭାବନାର ବର୍ଷ ଭାବେ ଦେଖୁଛନ୍ତି । ନୂଆବର୍ଷର ପ୍ରଥମ ମାସରେ କଂପାନିଗୁଡ଼ିକ ୬ଟି ନୂଆ ମଡେଲ୍‌ ବଜାରକୁ ଆଣିବା ଲାଗି ପ୍ରସ୍ତୁତ ହୋଇଛନ୍ତି । ଏଥି ମଧ୍ୟରୁ କିଛି ଗାଡ଼ି ଉନ୍ମୋଚିତ ହୋଇସାରିଥିବା ବେଳେ ଆଉ କିଛି କାର୍ ବଜେଟ୍‌ ଉପସ୍ଥାପନ ହେବା ପୂର୍ବରୁ ବଜାରକୁ ଆସିବ ।

୨୦୨୧ ଅଡି ଏ୪ : ଲକ୍‌ଜୁରି କାର୍ ନିର୍ମାତା ଅଡି ଏହାର ନୂଆ କାର୍ ଅଡି ଏ୪ ଫେସ୍‌ଲିଫ୍ଟକୁ ଉନ୍ମୋଚନ କରିଛି । ଏହାର ଏକ୍ସ ସୋ’ରୁମ୍ ମୂଲ୍ୟ ହେଉଛି ୪୬ ଲକ୍ଷ ଟଙ୍କା । ବଜାରରେ ଏହା ମର୍ସିଡିସ୍‌-ବେଞ୍ଜ୍‌ର ସି-କ୍ଲାସ୍‌, ବିଏମ୍‌ଡବ୍ଲୁର ୩ ସିରିଜ୍ ସହ ପ୍ରତିଦ୍ବନ୍ଦ୍ବିତା କରିବ । ଏଥିରେ ସାତ ସ୍ପିଡ୍‌ ଟ୍ବିନ୍ କ୍ଲଚ୍‌ ଡିଏସ୍‌ଜି ଟ୍ରାନ୍ସମିସନ୍ ରହିଛି ।

ଟ‌ୟୋଟା ଫର୍ଚୁନର୍‌ ଫେସ୍‌ଲିଫ୍ଟ : ଟୟୋଟା ଫର୍ଚୁନର୍‌ ଫେସ୍‌ଲିଫ୍ଟ ଚଳିତ ମାସରେ ଉନ୍ମୋଚିତ ହୋଇଛି । ବଜାରରେ ଏହା ଫୋର୍ଡ ଏଣ୍ଡେଭର୍‌, ଏମ୍‌ଜି ଗ୍ଲୋଷ୍ଟର୍‌, ମହିନ୍ଦ୍ରା ଆଲ୍‌ଟ୍ରସ୍‌ ଜି୪ ଓ ଆଇସୁଜୁ ଏମ୍‌ୟୁ-ଏକ୍ସ ସହ ପ୍ରତିଦ୍ବନ୍ଦ୍ବିତା କରିବ । ଏଥିରେ ୨.୮ ଲିଟର୍‌ ଟର୍ବୋ ଡିଜେଲ୍ ଇଞ୍ଜିନ ବ୍ୟବହାର କରାଯାଇଛି । ଏହା ଉଭୟ ପେଟ୍ରୋଲ୍ ଓ ଡିଜେଲ୍ ଇଞ୍ଜିନ ବିକଳ୍ପରେ ଉପଲବ୍ଧ ହୋଇଥିବା ବେଳେ ଗ୍ରାହକମାନେ ଅଟୋମେଟିକ୍ ଓ ମାନୁଆଲ୍ ଟ୍ରାନ୍ସମିସନ୍ ମଧ୍ୟରୁ ନିଜ ପସନ୍ଦକୁ ଚୟନ କରିପାରିବେ ।

ଏମ୍‌ଜି ହେକ୍ଟର ପ୍ଲସ୍‌
ଏହି ଗାଡ଼ିର ବଜାର ପ୍ରବେଶ ତାରିଖ ସ୍ପଷ୍ଟ ହୋଇନଥିଲେ ମଧ୍ୟ କଂପାନି ସୂତ୍ରରୁ କୁହାଯାଇଛି ଯେ ଜାନୁଆରିରେ ଏହାକୁ ଉନ୍ମୋଚନ କରାଯିବ । ୭ ସିଟ୍ ବିଶିଷ୍ଟ ହେକ୍ଟର ପ୍ଲସ୍‌ରେ ୨.୦ ଲିଟର ଟର୍ବୋ ଡିଜେଲ୍ ଇଞ୍ଜିନ ଓ ୧.୫ ଲିଟର ପେଟ୍ରୋଲ୍ ଇଞ୍ଜିନ ରହିବ । ପେଟ୍ରୋଲ୍ ଇଞ୍ଜିନ ସହିତ ୪୮-ଭି ମାଇଲ୍ଡ ହାଇବ୍ରିଡ୍ ସିଷ୍ଟମ୍ ଓ ୭ ସ୍ପିଡ୍‌ ଡିସିଟି ରହିବ ।

ବିଏମ୍‌ଡବ୍ଲୁ ୩ ସିରିଜ୍ ଗ୍ରାନ୍ ଲିମୋସିନ୍
ଏହି କାର୍‌କୁ ଚଳିତ ମାସ ୨୧ରେ ଉନ୍ମୋଚନ କରାଯିବ । ବଜାରରେ ଏହା ୨୦୨୧ ଅଡି ଏ୪, ମର୍ସିଡିସ୍‌ ବେଞ୍ଜ ସି-କ୍ଲାସ୍‌, ଜାଗୁଆର ଏକ୍ସଇ ଓ ଭଲ୍‌ଭୋ ଏସ୍‌୬୦ ସହ ପ୍ରତିଦ୍ବନ୍ଦ୍ବିତା କରିବ । ଏଥିରେ ବ୍ୟବହାର କରାଯାଇଥିବା ଟର୍ବୋ ଚାର୍ଜଡ୍‌ ଇଞ୍ଜିନ ୨୫୫ ବିଏଚ୍‌ପି ଶକ୍ତି ଓ ୪୦୦ ଏନ୍‌ଏମ୍‌ ଟର୍କ ସୃଷ୍ଟି କରିବ । ଏଥିରେ ୮ ସ୍ପିଡ୍ ଅଟୋମେଟିକ୍ ଟ୍ରାନ୍ସମିସନ୍ ରହିବ ବୋଲି ଆଶା କରାଯାଉଛି ।

୨୦୨୧ ଜିପ୍ କମ୍ପାସ୍ ‌: ଚଳିତ ମାସରେ ବଜାରକୁ ଆସିଥିବା ୨୦୨୧ ଜିପ୍ କମ୍ପାସ୍‌ ବଜାରରେ ହୁଣ୍ଡାଇ ଟସ୍‌କନ୍, ସ୍କୋଡା କୋରାକ୍, ଟାଟା ହାରିୟର ଓ ଏମ୍‌ଜି ହେକ୍ଟର ସହିତ ପ୍ରତିଦ୍ବନ୍ଦ୍ବିତା କରିବ। ଏହା ଉଭୟ ପେଟ୍ରୋଲ୍ ଓ ଡିଜେଲ୍ ଇଞ୍ଜିନ ବିକଳ୍ପ ସହ ଆସିଛି । ଏଥିରେ ୬ ସ୍ପିଡ୍ ମାନୁଆଲ୍‌ ଟ୍ରାନ୍ସମିସନ୍‌ ରହିଛି । ଗ୍ରାହକମାନେ ୭ ସ୍ପିଡ୍‌ର ଡୁଆଲ୍ କ୍ଲଚ୍‌ ଅଟୋମେଟିକ୍ ମଡେଲ୍‌ ମଧ୍ୟ କିଣିପାରିବେ ।

ଟାଟା ଆଲ୍‌ଟ୍ରୋଜ୍ ଟର୍ବୋ : ଟାଟା ମୋଟର୍ସର ଆଲ୍‌ଟ୍ରୋଜ୍ ଟର୍ବୋ ମଡେଲ୍‌ ଚଳିତ ମାସରେ ବଜାରକୁ ଆସିଛି । ଏହାର ମୂଲ୍ୟ ୮ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି । ଏଥିରେ ଡୁଆଲ୍ କ୍ଲଚ୍‌ ଅଟୋମେଟିକ୍ ଟ୍ରାନ୍ସମିସନ୍ ବ୍ୟବସ୍ଥା ରହିଛି । ଏହ‌ା ୧୧୦ ଏଚ୍‌ପି ଶକ୍ତି ଓ ୧୪୦ ଏନ୍‌ଏମ୍‌ ଟର୍କ ସୃଷ୍ଟି କରିବ ।

Show More
Back to top button