ଆଉଥରେ ପିଆଜ ଦାମ ରେ ବୃଦ୍ଧି ଆସିଲା

ସତ୍ୟଶିଖା (ନୂଆଦିଲ୍ଲୀ) ୨୩/୧୦/୨୦୨୦ : ସାଧାରଣତଃ ନବରାତ୍ରି ଓ ଦୁର୍ଗାପୂଜା ସମୟରେ ପିଆଜ ଦାମ କମ୍ ଥାଏ । ମାତ୍ର ଏଥର ନବରାତ୍ରିରେ ମଧ୍ୟ ପିଆଜ ଦର ଆକାଶଛୁଆଁ ରହିଛି । କ୍ରମାଗତ ପିଆଜ ଦର ବଢ଼ୁଥିବାରୁ ସାଧାରଣ ଲୋକଙ୍କ ପକେଟ୍ ଉପରେ ଏହାର ପ୍ରଭାବ ପଡ଼ିଛି । କେବଳ ପିଆଜ ନୁହେଁ ଆଳୁ, ରସୁଣ ଦାମ ମଧ୍ୟ ଆକାଶଛୁଆଁ । ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ ଗୁରୁବାର ପିଆଜ ମୂଲ୍ୟ ମୁମ୍ବାଇ ରିଟେଲରେ ୧୦୦ ଟଙ୍କା ପାର୍ କରିଛି ।ସେହିପରି ଚେନ୍ନାଇରେ ପିଆଜ ଗତକାଲି ୭୦-୯୦ ଟଙ୍କା, ଦିଲ୍ଲୀରେ ୫୦-୬୦ ଟଙ୍କା, କଲିକତାରେ ୬୦-୭୦ ଟଙ୍କା ଓ ଭୋପାଲରେ ୬୫ ଟଙ୍କାରେ ବିକ୍ରି ହୋଇଛି । ଅନ୍ୟପଟେ ଗତମାସରେ ବେଙ୍ଗାଲୁରୁରେ ୨୨ ଟଙ୍କାରେ କିଲୋ ପ୍ରତି ଏହା ବିକ୍ରି ହେଉଥିବା ବେଳେ ଏବେ କିଲୋ ପ୍ରତି ୮୮ ଟଙ୍କାରେ ବିକ୍ରି ହେଉଛି । ସେହିପରି ତିରୁବନ୍ତପୁରମରେ ପିଆଜ ୯୦ ଟଙ୍କା କିଲୋ ପ୍ରତି ବିକ୍ରି ହେଉଛି । ଗତ ସପ୍ତାହରେ ପିଆଜ ଦାମ କିଲୋ ପ୍ରତି ୮ ଟଙ୍କା ବଢ଼ିଥିଲା । ପିଆଜ ଦାମ ବଢ଼ୁଥିବାରୁ ଏବେ ସୋସିଆଲ ମିଡ଼ିଆରେ ଏହାକୁ ନେଇ ମିମ୍ସ ଦେଖିବାକୁ ମିଳିଛି । ଫନି ମିମ୍ସ ମାଧ୍ୟମରେ ସରକାରଙ୍କୁ ଟାର୍ଗେଟ କରିବାକୁ ଚେଷ୍ଟା ଚଳାଇଛନ୍ତି । ଏହା ସହ ପିଆଜର ଦାମକୁ ନେଇ ସୋସିଆଲ ମିଡ଼ିଆରେ ସେମାନେ କ୍ରୋଧ ବ୍ୟକ୍ତ କରିଛନ୍ତି । ସରକାର ଗୋଟିଏ ଦିନ ପୂର୍ବରୁ ପିଆଜ ଦର ଉପରେ ନିୟନ୍ତ୍ରଣ ଆଣିବା ଉପରେ ବଡ଼ ନିଷ୍ପତ୍ତି ନେଇଛନ୍ତି । ତେବେ ବଜାରର ବର୍ତମାନ ସ୍ଥିତି ଦେଖି ଲାଗୁଛି ଆଗାମୀ ଦିନରେ ପିଆଜ ଦାମ କମି ନ ପାରେ ।