ପୁରୁଣା ଗାଡି ରେଜିଷ୍ଟ୍ରେସନ ନବୀକରଣ ପାଇଁ ଦେବାକୁ ପଡ଼ିବ ୫ ହଜାର

ସତ୍ୟଶିଖା,(ନୂଆଦିଲ୍ଲୀ) ୧୮.୦୩ .୨୦୨୧ : ଦେଶରେ ଆସନ୍ତା ଅକ୍ଟୋବରରୁ ଲାଗୁ ହେବାକୁ ଯାଉଛି ନୂଆ ନିୟମ। ଏହି ନିୟମ ଅନୁଯାୟୀ ୧୫ ବର୍ଷରୁ ଅଧିକ ପୁରୁଣା କାର୍‌ର ରେଜିଷ୍ଟ୍ରେସନ ନମ୍ବର ନବୀକରଣ ପାଇଁ ୬୦୦ ଟଙ୍କା ପରିବର୍ତ୍ତେ ୫ ହଜାର ଟଙ୍କା ପୈଠ କରିବାକୁ ପଡ଼ିବ। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ନବୀକରଣ ନିମନ୍ତେ ବର୍ଦ୍ଧିତ ଫି’ ଧାର୍ଯ୍ୟ କରିଥିବା ବେଳେ ଏହାର ଡ୍ରାଫ୍ଟ ପ୍ରସ୍ତୁତ ସରିଛି। ଭେଇକିଲ ସ୍କ୍ରାପେଜ୍‌ ପଲିସି ଅଧୀନରେ ଏହି ବ୍ୟବସ୍ଥା କରାଯାଇଛି।

ସେହିପରି ୧୫ ବର୍ଷରୁ ଅଧିକ ପୁରୁଣା ବାଇକ୍‌ର ରେଜିଷ୍ଟ୍ରେସନ ନମ୍ବର ନବୀକରଣ ଏବେ ୩ଶହ ଟଙ୍କା ଥିବାବେଳେ ଆଗକୁ ୧୦୦୦ ଟଙ୍କା ଦେବାକୁ ପଡ଼ିବ। ପୁରୁଣା ଟ୍ରକ୍‌ କିମ୍ବା ବସ୍‌ର ଫିଟନେସ୍‌ ନବୀକରଣ ପ୍ରମାଣପତ୍ର ପାଇଁ ୧୨,୫୦୦ ଟଙ୍କା ଦେବାକୁ ପଡ଼ିବ। ବର୍ତ୍ତମାନର ଫି’ ଠାରୁ ୨୧ ଗୁଣା ଅଧିକ। ୩ ଚକିଆ ଯାନର ପଞ୍ଜୀକରଣ ୬୦୦ ଟଙ୍କାରେ ରହିଥିବା ବେଳେ ନବୀକରଣ ପାଇଁ ୨,୫୦୦ ଟଙ୍କା ଧାର୍ଯ୍ୟ ହୋଇଛି। ବିଦେଶକୁ ଯାଉଥିବା କାର୍‌ ବା ତା’ ଠାରୁ ବଡ଼ ଗାଡ଼ିର ପଞ୍ଜୀକରଣ ପାଇଁ ୫ ହଜାର ଟଙ୍କା ଓ ନବୀକରଣ ପାଇଁ ଦେବାକୁ ପଡ଼ିବ ୪୦ ହଜାର ଟଙ୍କା।

ଏହାବ୍ୟତୀତ ନୂଆ ନିୟମ ଅନୁଯାୟୀ ବାଇକର ଫିଟନେସ୍‌ ପ୍ରମାଣପତ୍ର ପାଇଁ ୫୦୦ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ନବୀକରଣ ପାଇଁ ୧ ହଜାର ଟଙ୍କା ଦେବାକୁ ପଡ଼ିବ। ୩ ଚକିଆ ଯାନର ନୂଆ ଫିଟନେସ ପ୍ରମାଣପତ୍ର ପାଇଁ ୧୦୦୦ ଟଙ୍କା ଓ ନବୀକରଣ ୩,୫୦୦ ଟଙ୍କା, ଟ୍ୟାକ୍ସ/କ୍ୟାବ ପାଇଁ ୧ହଜାର ଓ ୭,୦୦୦, ମିଡିୟମ ଗୁଡ୍ସ/ପ୍ୟାସେଞ୍ଜର ଗାଡ଼ି ପାଇଁ ୧୩ଶହ ଓ ୧୦,୦୦୦ ଏବଂ ବଡ଼ ଗୁଡ୍ସ/ପ୍ୟାସେଞ୍ଜର ଗାଡ଼ିଗୁଡ଼ିକ ନୂଆ ଫିଟନେସ ପ୍ରମାଣପତ୍ର ପାଇଁ ୧୫ ଶହ ଟଙ୍କା ଓ ନବୀକରଣ ପାଇଁ ୧୨,୫୦୦ ଟଙ୍କା ଧାର୍ଯ୍ୟ ହୋଇଛି। ଘରୋଇ ଗାଡ଼ି ଗୁଡ଼ିକର ପଞ୍ଜୀକରଣରେ ବିଳମ୍ବ କଲେ ମାସିକ ୩୦୦ରୁ ୫ଶହ ଟଙ୍କା ଜୋରିମାନା ଲାଗୁ ହେବ। ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହୃତ ଗାଡ଼ିର ଫିଟନେସ ନବୀକରଣରେ ବିଳମ୍ବ କଲେ ଦୈନିକ ୫୦ ଟଙ୍କା ଦେବାକୁ ପଡ଼ିବ।

ସରକାର ପ୍ରଦୂଷଣ ଓ ପୁରୁଣା ଗାଡ଼ିକୁ ବ୍ୟାନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ଏପରି ବର୍ଦ୍ଧିତ ଫି’ ଲାଗୁ କରାଯିବ। ଘରୋଇ ଗାଡ଼ିଗୁଡ଼ିକ ୧୫ ବର୍ଷ ପୁରୁଣା ହୋଇଗଲା ପରେ ପ୍ରତି ୫ ବର୍ଷରେ ଥରେ ଏହାର ଆରସିକୁ ନବୀକରଣ କରିବାକୁ ପଡ଼ିଥାଏ। ସେହିପରି ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହୃତ ଗାଡ଼ି ୮ ବର୍ଷ ପୁରୁଣା ହୋଇଯିବା ପରେ ପ୍ରତିବର୍ଷ ଏହାର ଫିଟନେସ ପ୍ରମାଣପତ୍ରକୁ ନବୀକରଣର କରାଯିବାର ନିୟମ ରହିଛି।

ପୁରୁଣା ଗାଡ଼ିକୁ ସହଜରେ ବଦଳାଇ ନୂଆ ଗାଡ଼ି ପାଇବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ପ୍ରସ୍ତୁତ ଡ୍ରାଫ୍ଟରେ କୁହାଯାଇଛି ପୁରୁଣା ଗାଡ଼ି ଚଳାଉଥିବା ଲୋକମାନେ ଦେଶର ଯେକୌଣସି ସ୍କ୍ରାପିଂ ସେଣ୍ଟରକୁ ଯାଇ ବଦଳାଇ ପାରିବେ। ପୁରୁଣା ଗାଡ଼ି ବଦଳ କରୁଥିବା ଲୋକଙ୍କୁ ନୂଆ ଗାଡ଼ି ପାଇଁ ଆର୍ଥିକ ସହାୟତା ମିଳିବ। ସ୍କ୍ରାପିଂ ସେଣ୍ଟର ଗାଡ଼ିଗୁଡ଼ିକୁ ରଖିବା ପୂର୍ବରୁ ପ୍ରକୃତ ମାଲିକଙ୍କ ସମ୍ପର୍କରେ ଯାଞ୍ଚ କରିବେ। ବଜାରରେ ଗାଡ଼ିର ମୂଲ୍ୟ ଯେତିକି ହୋଇଥିବ ସେହି ଅନୁଯାୟୀ ମାଲିକଙ୍କୁ ଟଙ୍କା କମ୍ପାନୀ ଦେବ। ଏଥିପାଇଁ ସରକାର କୌଣସି ମୂଲ୍ୟ ଧାର୍ଯ୍ୟ କରିନଥିବା ସୂଚନା ମିଳିଛି।

Exit mobile version