ମାର୍ଚ୍ଚରେ ୪ଜି ସ୍ପେକ୍ଟ୍ରମ ନିଲାମ

ସତ୍ୟଶିଖା (ନୂଆଦିଲ୍ଲୀ) ୧୭/୧୨/୨୦୨୦ : ଚାରି ବର୍ଷର ବ୍ୟବଧାନ ପରେ କେନ୍ଦ୍ର ସରକାର ପୁଣି ଥରେ ସ୍ପେକ୍ଟ୍ରମ୍ ନିଲାମ କରିବେ । ଏଥର କେବଳ ୪ଜି ସ୍ପେକ୍ଟ୍ରମ ନିଲାମ କରାଯିବ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁର କରାଯାଇଛି । ସରକାର ୨୦ ବର୍ଷ ଲାଗି ସ୍ପେକ୍ଟ୍ରମ୍ ଆବଣ୍ଟନ କରିବେ । ଫଳରେ ଟେଲିକମ୍ କଂପାନିଗୁଡ଼ିକ ଦୀର୍ଘମିଆଦୀ ଲକ୍ଷ୍ୟ ରଖି ନିଜର ଯୋଜନା ପ୍ରସ୍ତୁତ କରିପାରିବେ । ଆସନ୍ତା ମାର୍ଚ୍ଚରେ ଏହି ନିଲାମ ହେବ ବୋଲି ପୂର୍ବାନୁମାନ କରାଯାଉଛି । ସରକାର ୭୦୦,୮୦୦, ୯୦୦, ୧୮୦୦, ୨୧୦୦, ୨୩୦୦ ଓ ୨୫୦୦ ମେଗାହର୍ଚରେ ସ୍ପେକ୍ଟ୍ରମ୍ ନିଲାମ କରି ୩,୯୨,୩୩୨.୭୦ କୋଟି ଟଙ୍କା ପାଇବାକୁ ଲକ୍ଷ୍ୟ ରଖିଛନ୍ତି ।ସ୍ପେକ୍ଟ୍ରମ ନିଲାମ କରିବାକୁ ମୁକେଶ ଅମ୍ବାନିଙ୍କ ଜିଓ ଦୀର୍ଘ ଦିନରୁ ଦାବି କରୁଥିଲା । କିନ୍ତୁ ସ୍ପେକ୍ଟ୍ରମ୍ର ମୂଲ୍ୟକୁ ନେଇ ଏହାର ଅନ୍ୟ ଦୁଇ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆ ଆପତ୍ତି ଉଠାଇଥିଲେ । ନିଜ ୪ଜି ସେବାରେ ଉନ୍ନତି ଆଣିବା ଲାଗି ୮୦୦ ମେଗାହର୍ଚ ବ୍ୟାଣ୍ଡ୍ରେ ଯେତେ ଅଧିକ ସମ୍ଭବ ସେତେ ସ୍ପେକ୍ଟ୍ରମ କିଣିବାକୁ ଜିଓ ଚାହୁଛି । ଏବେ ଜିଓ ପକ୍ଷରୁ ମୁକେଶଙ୍କ ସାନ ଭାଇ ଅନିଲ ଅମ୍ବାନିଙ୍କ ବୁଡ଼ି ଯାଇଥିବା ଟେଲିକମ୍ କଂପାନି ରିଲାଏନ୍ସ କମ୍ୟୁନିକେସନ୍ର ୮୦୦ ମେଗାହର୍ଚ ସ୍ପେକ୍ଟ୍ରମ୍ ବ୍ୟବହାର କରାଯାଉଛି । ସେହି ସ୍ପେକ୍ଟ୍ରମ୍ର ଲାଇସେନ୍ସ ଆସନ୍ତା ବର୍ଷ ଅଗଷ୍ଟରେ ଶେଷ ହେବ । ତେଣୁ ଜିଓ ପାଇଁ ନୂଆ ସ୍ପେକ୍ଟ୍ରମ୍ ଅତ୍ୟନ୍ତ ଜରୁରୀ ହୋଇପଡ଼ିଥିଲା ।