

ସତ୍ୟଶିଖା ( ଭୁବନେଶ୍ୱର )୨୪/୦୮/୨୦୨୧: ଆଫଗାନିସ୍ତାନରୁ ଲୋକଙ୍କୁ ନେଇ ଯାଉଥିବା ୟୁକ୍ରେନ ବିମାନ ହାଇଜାକ୍ ହୋଇନି । ବିମାନଟି ଇରାନରେ ଲ୍ୟାଣ୍ଡ ହୋଇଥିଲା ସତ କିନ୍ତୁ ଅପହରଣ ଖବର ମିଛ ବୋଲି କହିଛନ୍ତି ଖୋଦ୍ ୟୁକ୍ରେନ ସରକାର ।
ସୂଚନାନୁଯାୟୀ, ଇରାନ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ମୁଖପାତ୍ର ଆବାସ ଅସଲାନି କହିଛନ୍ତି, ୟୁକ୍ରେନର ଉକ୍ତ ବିମାନଟି ଉତ୍ତରପୂର୍ବ ଇରାନରେ ଥିବା ମଶହାଦ ଏୟାରପୋର୍ଟକୁ ଗତକାଲି ଆସିଥିଲା । ବିମାନରେ ଇନ୍ଧନ ଶେଷ ହୋଇଯାଇଥିଲା । ତେଣୁ ଏୟାରପୋର୍ଟରେ ବିମାନଟି ଇନ୍ଧନ ଭର୍ତ୍ତି କରିଥିଲା । ଇନ୍ଧନ ଭର୍ତ୍ତି କରିବା ପରେ ଏହା ୟୁକ୍ରେନ ଅଭିମୁଖେ ଉଡ଼ାଣ ଭରିଥିଲା । ୟୁକ୍ରେନର ରାଜଧାନୀ ଠାରୁ ୭ କିମି ଦୂରରେ ଥିବା କିଭ ଏୟାରପୋର୍ଟରେ ବିମାନଟି ୨୧.୫୦ ମିନିଟ୍ରେ ଅବତରଣ କରିଥିଲା । ତେଣୁ ଅପହରଣ ଖବର ମିଛ ବୋଲି ସେ କହିଛନ୍ତି । ୟୁକ୍ରେନର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ବିମାନ ଅପହରଣ ଖବର ମିଛ ବୋଲି ସ୍ପଷ୍ଟ କରିଛି ।