ସତ୍ୟଶିଖା (ଭଦ୍ରକ) ୨୬/୧୨/୨୦୨୦ : ଭଦ୍ରକରେ ଗାଁ ଗାଁ ବୁଲି ଲୁଟ୍ କରୁଥିଲେ । ରାତି ସମୟରେ ଟାର୍ଗେଟ୍ କରୁଥିଲେ ମେଡିକାଲ ଓ ପଞ୍ଚାୟତ ଅଫିସ୍ । କେହି ନଥିବାର ସୁଯୋଗ ନେଇ ଗ୍ୟାସ୍ କଟରରେ କାଟି ଲୁଟୁ ଥିଲେ ସାମଗ୍ରୀ । ଏମିତି ଏକ ଗ୍ୟାଙ୍ଗକୁ ଧରିଛି ଭଦ୍ରକ ଜିଲ୍ଲା ଧୂଷୁରୀ ପୋଲିସ ।
ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ହସନାବାଦ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ର ଓ ଓଲଡିଂ ଦୋକାନରୁ ଲୁଟ୍ ହୋଇଥିଲା । ଏନେଇ ଧୂଷୁରୀ ଥାନାରେ ମାମଲା ରୁଜୁ ହେଲା । ସେହିପରି ଅନ୍ୟ ଏକ ଲୁଟ୍ ଘଟଣାରେ ମାମଲା ରୁଜୁ ହୋଇଥିଲା । ଏହାପରେ ଧୂଷୁରୀ ପୋଲିସ ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରିଥିଲା । ପ୍ରଥମେ ହସନାବାଦରୁ ୨ ଜଣଙ୍କୁ ଧରିବା ପରେ ଅନ୍ୟମାନଙ୍କୁ ଖୋଜିଥିଲା ପୋଲିସ । ପୂର୍ବରୁ ଗିରଫ ଅଭିଯୁକ୍ତଙ୍କ ତଥ୍ୟ ଆଧାରରେ ଗ୍ୟାଙ୍ଗ୍ ଲିଡ଼ରକୁ ଭୁବନେଶ୍ବରରୁ କାବୁ କରିଥିଲା । ସମସ୍ତେ ଗୋଟିଏ ଗ୍ୟାଙ୍ଗର ବୋଲି ଜଣାପଡିଛି । ସେମାନଙ୍କ ନିକଟରୁ ୩ଲକ୍ଷରୁ ଅଧିକ ମୂଲ୍ୟର ଚୋରି ସାମଗ୍ରୀ ଜବତ ହୋଇଛି ।