

ସତ୍ୟଶିଖା(ଭୁବନେଶ୍ୱର) ୧୭.୧୨.୨୦୨୧: ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ରାଜ୍ୟ ସରକାରଙ୍କ ମାଗଣା ପାଠ୍ୟପୁସ୍ତକ ଯୋଗାଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଭୁବନେଶ୍ୱରସ୍ଥିତ ପାଠ୍ୟପୁସ୍ତକ ଉତ୍ପାଦନ ବିକ୍ରୟ କେନ୍ଦ୍ରଠାରେ ଗୁରୁବାର ସଂସ୍ଥାର ନିଦେ୍ର୍ଧଶକ ବିକାଶ ଚନ୍ଦ୍ର ମହାପାତ୍ର, ପ୍ରାଥମିକ ଶିକ୍ଷା ନିଦେ୍ର୍ଧଶକ ବୃନ୍ଦାବନ ଶତପଥୀଙ୍କ ଉପସ୍ଥିତିରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର ପରି ଉପାନ୍ତ ଜିଲ୍ଲା ସହ ପୁରୀ ଓ କେନ୍ଦୁଝର ଜିଲ୍ଲାକୁ ୧ ଲକ୍ଷ ୯୬ ହଜାର ୩୯୫ ଖଣ୍ଡ ପାଠ୍ୟପୁସ୍ତକ ପଠାଯାଇଛି । ପୁରୀ ଜିଲ୍ଲାକୁ ୨୮ ହଜାର ୫୨ ଖଣ୍ଡ, କେନ୍ଦୁଝର ଜିଲ୍ଲାକୁ ୨୮ ହଜାର ୩୧୧, ମାଲକାନଗିରିକୁ ୪୮ ହଜାର ୨୩୨, ନବରଙ୍ଗପୁରକୁ ୪୫ ହଜାର ୩୧୮ ଓ କୋରାପୁଟ ଜିଲ୍ଲାକୁ ୪୬ ହଜାର ୮୮୨ ଖଣ୍ଡ ବହି ପଠାଯାଇଛି ।
ଆଗାମୀ ଶିକ୍ଷାବର୍ଷ ଏପ୍ରିଲ ମାସରୁ ଆରମ୍ଭ ହେଉଥିବାରୁ ଏହି ପୁସ୍ତକ ଯୋଗାଣ କାର୍ଯ୍ୟ ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ନିଦେ୍ର୍ଧଶକ ଶ୍ରୀ ମହାପାତ୍ର କହିଛନ୍ତି । ସୂଚନାଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ନିଦେ୍ର୍ଧଶ କ୍ରମେ ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନରତ ୪୭ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ୪ କୋଟିରୁ ଅଧିକ ବହି ଆବଶ୍ୟକତା ରହିଛି । ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ପାଠ୍ୟପୁସ୍ତକ ଉତ୍ପାଦନ ଓ ବିକ୍ରୟ ନିଦେ୍ର୍ଧଶାଳୟ ପକ୍ଷରୁ ସମସ୍ତ ବ୍ଲକ୍ ଓ ପୌରାଞ୍ଚଳରେ ତାହାକୁ ପହଞ୍ଚାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।
କୋଭିଡ୍ କଟକଣା ମଧ୍ୟରେ ପାଠ୍ୟପୁସ୍ତକ ଯୋଗାଣ କାର୍ଯ୍ୟ ଆରମ୍ଭ କରାଯାଇଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ବିଭାଗୀୟ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ସଂସ୍ଥାର ସମସ୍ତ କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଛନ୍ତି ।