ସତ୍ୟଶିଖା (କଟକ) ୨୧/୧୧/୨୦୨୦ : କଟକ ସହର ନୟାସଡ଼କସ୍ଥିତ ଆଇଆଇଏଫ୍ଏଲ୍ ଫାଇନାନ୍ସ ସଂସ୍ଥାରୁ ଗତ ଗୁରୁବାର ହୋଇଥିଲା ବଡ ଧରଣର ଡକାୟତି । ଏଙି ଡକାୟତି ଘଟଣାକୁ ଇତିମଧ୍ୟରେ ୩୬ ଘଣ୍ଟାରୁ ଅଧିକ ସମୟ ବିତିଗଲାଣି । କିନ୍ତୁ ଲୁଟେରାମାନଙ୍କ ସନ୍ଧାନ ପୁଲିସ ଏଯାଏ ପାଇନି । ଅନ୍ୟପଟେ ଲୁଟ୍ ସୁନାର ପରିମାଣକୁ ନେଇ ଏବେ ଦ୍ୱନ୍ଦ୍ୱ ସୃଷ୍ଟି ହେବାରେ ଲାଗିଛି । ଗୁରୁବାର ଦିନ ପ୍ରାୟ ୧୨ କୋଟି ମୂଲ୍ୟର ସୁନା ଲୁଟ୍ ହୋଇଥିବା ନେଇ ଆକଳନ କରାଯାଇଥିଲା । କିନ୍ତୁ ଶୁକ୍ରବାର ଫାଇନାନ୍ସ ସଂସ୍ଥା ପକ୍ଷରୁ ଦିଆଯାଇଥିବା ଏଫଆଇଆରରେ ପ୍ରାୟ ୩୯ କେଜି ଅର୍ଥାତ୍ ୨୦ କୋଟି ଟଙ୍କା ମୂଲ୍ୟର ସୁନା ଲୁଟ୍ ହୋଇଥିବା ଦର୍ଶାଯାଇଛି । ଏହି ପରିମାଣକୁ ନେଇ ପୁଲିସ ଦ୍ୱନ୍ଦ୍ୱରେ ରହିଛି ।
ଅନ୍ୟପଟେ କିନ୍ତୁ ସଂସ୍ଥାର ଏତଲାକୁ ପୋଲିସ ସଂପୂର୍ଣ୍ଣ ବିଶ୍ୱାସ କରିପାରୁନି । ୩୯ କେଜି ଓଜନର ସୁନା ଉକ୍ତ ସଂସ୍ଥାରେ ରହିବା, ଦୁର୍ବୃତ୍ତମାନେ ଦୁଇଟି ଏୟାର ବ୍ୟାଗ୍ରେ ଏତେ ସୁନା ଗହଣା ନେଇ ପଳାଇବା ଦ୍ୱନ୍ଦ୍ୱ ସୃଷ୍ଟି କରିଛି । ପ୍ରକୃତରେ କେତେ ସୁନା ଚୋରି ଯାଇଛି ତାହା ଯାଞ୍ଚ ପରିସରଭୁକ୍ତ ବୋଲି ପୋଲିସ କହିଛି ।