ଅପରାଧରାଜ୍ୟ

IIFL ଫାଇନାନ୍ସ କମ୍ପାନୀ ରୁ ଲୁଟ୍ ହୋଇଛି ୩୯ କେଜି ସୁନା ! ଦ୍ୱନ୍ଦ୍ୱରେ ପୋଲିସ

ସତ୍ୟଶିଖା (କଟକ) ୨୧/୧୧/୨୦୨୦ : କଟକ ସହର ନୟାସଡ଼କସ୍ଥିତ ଆଇଆଇଏଫ୍‌ଏଲ୍‌  ଫାଇନାନ୍ସ ସଂସ୍ଥାରୁ ଗତ ଗୁରୁବାର ହୋଇଥିଲା ବଡ ଧରଣର ଡକାୟତି । ଏଙି ଡକାୟତି ଘଟଣାକୁ ଇତିମଧ୍ୟରେ ୩୬ ଘଣ୍ଟାରୁ ଅଧିକ ସମୟ ବିତିଗଲାଣି । କିନ୍ତୁ ଲୁଟେରାମାନଙ୍କ ସନ୍ଧାନ ପୁଲିସ ଏଯାଏ ପାଇନି । ଅନ୍ୟପଟେ ଲୁଟ୍‌ ସୁନାର ପରିମାଣକୁ ନେଇ ଏବେ ଦ୍ୱନ୍ଦ୍ୱ ସୃଷ୍ଟି ହେବାରେ ଲାଗିଛି । ଗୁରୁବାର ଦିନ ପ୍ରାୟ ୧୨ କୋଟି ମୂଲ୍ୟର ସୁନା ଲୁଟ୍‌ ହୋଇଥିବା ନେଇ ଆକଳନ କରାଯାଇଥିଲା । କିନ୍ତୁ ଶୁକ୍ରବାର ଫାଇନାନ୍ସ ସଂସ୍ଥା ପକ୍ଷରୁ ଦିଆଯାଇଥିବା ଏଫଆଇଆରରେ ପ୍ରାୟ ୩୯ କେଜି ଅର୍ଥାତ୍‌ ୨୦ କୋଟି ଟଙ୍କା ମୂଲ୍ୟର ସୁନା ଲୁଟ୍‌ ହୋଇଥିବା ଦର୍ଶାଯାଇଛି । ଏହି ପରିମାଣକୁ ନେଇ ପୁଲିସ ଦ୍ୱନ୍ଦ୍ୱରେ ରହିଛି ।ମିଳିଥିବା ସୂଚନା ଅନୁସାରେ,  ଲୁଟ୍‌ ପରେ ୪ ଅଭିଯୁକ୍ତ ସହରରେ ଏକ ଚକ୍କର ମାରିଥିଲେ । ସେମାନେ ରିଂ ବନ୍ଧକୁ ଆସିବା ପରେ ଖାନ୍‌ନଗର ମଣି ମନ୍ଦିର ପାଖରେ ଏନ୍‌ଏଚ୍‌ରେ ଚଢ଼ି ବାହାରକୁ ଚମ୍ପଟ ମାରିଥିଲେ। ଲୁଟେରାଙ୍କ ଗତିବିଧିକୁ ନଜରରେ ରଖି ବହୁ ବରିଷ୍ଠ ପୁଲିସ ଅଧିକାରୀ ଏବେ ଅନ୍ୟ ଜିଲ୍ଲାରେ ତଦନ୍ତ ଚଳାଇଛନ୍ତି ।ସୂଚନାଯୋଗ୍ୟ, ଗୁରୁବାର ସକାଳ ୧୦ଟା ବେଳେ ଆଇଆଇଏଫ୍‌ଏଲ୍‌ ଫାଇନାନ୍ସ ସଂସ୍ଥାରେ ହଠାତ୍‌ ୪ ଦୁର୍ବୃତ୍ତ ପଶିଥିଲେ । ସେମାନେ ୧୦ ମିନିଟ୍‌ ଭିତରେ ସମସ୍ତ କର୍ମଚାରୀଙ୍କୁ ଭୟଭୀତ କରି ପ୍ରାୟ ୧୨ କୋଟି ଟଙ୍କାର ସୁନା ଗହଣା ଓ ୪ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲେ ବୋଲି ସୂଚନା ମିଳିଥିଲା । ମାତ୍ର ଫାଇନାନ୍ସ ସଂସ୍ଥା ପକ୍ଷରୁ ଆକଳନ କରାଯାଇ ଲୁଟ୍‌ ସୁନାର ପରିମାଣ ୩୯ କିଲୋ ଅର୍ଥାତ୍‌ ପ୍ରାୟ ୨୦ କୋଟି ଟଙ୍କା ମୂଲ୍ୟର ବୋଲି ଲାଲ୍‌ବାଗ ଥାନାରେ ଏତଲା ଦିଆଯାଇଛି । ଏତେ ପରିମାଣର ସୁନା ଲୁଟ୍‌ ହୋଇଥିବା ଶୁଣି ପୁଲିସ ବି ଅକଳରେ ପଡ଼ିଯାଇଛି ।

ଅନ୍ୟପଟେ କିନ୍ତୁ ସଂସ୍ଥାର ଏତଲାକୁ ପୋଲିସ ସଂପୂର୍ଣ୍ଣ ବିଶ୍ୱାସ କରିପାରୁନି । ୩୯ କେଜି ଓଜନର ସୁନା ଉକ୍ତ ସଂସ୍ଥାରେ ରହିବା, ଦୁର୍ବୃତ୍ତମାନେ ଦୁଇଟି ଏୟାର ବ୍ୟାଗ୍‌ରେ ଏତେ ସୁନା ଗହଣା ନେଇ ପଳାଇବା ଦ୍ୱନ୍ଦ୍ୱ ସୃଷ୍ଟି କରିଛି । ପ୍ରକୃତରେ କେତେ ସୁନା ଚୋରି ଯାଇଛି ତାହା ଯାଞ୍ଚ ପରିସରଭୁକ୍ତ ବୋଲି ପୋଲିସ କହିଛି ।ଏତତ୍ ବ୍ୟତୀତ, ଅଭିଯୁକ୍ତମାନେ ଗୋଟିଏ କଳା ପଲ୍‌ସର ଓ ଗୋଟିଏ କଳା ହୋଣ୍ଡା ବାଇକ୍‌ରେ ଆସିଥିଲେ ବୋଲି ସୂଚନା ମିଳିଛି । ସେମାନେ ଲୁଟ୍‌ କରିବା ପରେ ଦୁଇ ଦୁଇ ଜଣ କରି ଦୁଇଟି ବାଇକ୍‌ରେ ନୟାସଡ଼କରୁ ବାହାରି ପ୍ରଥମେ ବାଲୁବଜାର ଅଭିମୁଖେ ଯାଇଥିଲେ । ପରେ ଏକ ଗଳିରେ ପଶି ହାଇକୋର୍ଟ ଛକରେ ବାହାରିଥିଲେ । ଏହା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ହୋଇ ଡିପିଓ ଗଡ଼ାରେ ରିଂ ବନ୍ଧକୁ ଉଠିଥିଲେ । ପରେ ସିଧା ଯାଇ ଖାନ୍‌ନଗର ମଣି ମନ୍ଦିର ପାଖରେ ଓଭରବ୍ରିଜ୍‌ରେ ଜାତୀୟ ରାଜପଥକୁ ଉଠିଥିଲେ । ଏହା ପରେ ଅଭିଯୁକ୍ତମାନେ ଜଗତପୁର ଛକ ହୋଇ ସାଲେପୁର ଅଭିମୁଖେ ପଳାଇଥିଲେ। କିଛି ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଲୁଟେରାଙ୍କୁ ଅତି ଶୀଘ୍ରରେ ଧରାଯିବ ଓ ତଦନ୍ତ ଠିକ୍ ଦିଗରେ ଚାଲିଛି ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

Show More
Back to top button