ସତ୍ୟଶିଖା ୨୭/୦୧/୨୦୨୧ : ୩୨ତମ ସଡ଼କ ସୁରକ୍ଷା ଦିବସ ଉପଲକ୍ଷେ ମାଗଣାରେ ହେଲମେଟ ବଂଟାଯାଇଛି । ଭୁବନେଶ୍ୱର ବାପୁଜୀନଗରରେ ମାଗଣାରେ ହେଲମେଟ ବଂଟନ କରାଯାଇଛି । ଭୁବନେଶ୍ୱର ଟ୍ରାଫିକ ଏସପି କେକେ ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଯେଉଁମାନଙ୍କର ହେଲମେଟ ନଥିଲା ସେମାନଙ୍କୁ ହେଲମେଟ ବଂଟାଯାଇଥିଲା । ବାପୁଜୀ ନଗର ହେଲମେଟ ମୋବାଇଲ ଦୋକାନ ତରଫରୁ ସମସ୍ତ ହେଲମେଟ ଯୋଗାଇ ଦିଆଯାଇଥିଲା ।
ସେପଟେ, ଏହି ଅବସରରେ ଜେନାପୁର ପୁଲିସ ଓ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଚଣ୍ତିଖୋଲ–ଡୁବୁରି ୫୩ ନମ୍ବର ଜାତୀୟ ରାଜପଥର ବ୍ରାହ୍ମଣୀ ବ୍ରିଜ୍ ନିକଟରେ ସଡ଼କ ସୁରକ୍ଷା ପାଇଁ ଲୋକଙ୍କୁ ସଚେତନ କରାଯାଇଥିଲା । ମଞ୍ଚର ଆବାହକ ପଙ୍କଜ କୁମାର ମଲ୍ଲଙ୍କ ଅଧ୍ୟକ୍ଷତାରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଜେନାପୁର ଥାନା ଆଇଆଇସି ଆଶିଷ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଟ୍ରାଫିକ୍ ନିୟମ ପାଳନ କରିବାକୁ କହିଥିଲେ ।