୩୨୪୫ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ୨୮ ଶିଳ୍ପ ସଂସ୍ଥାକୁ ଜମି ଦେଲା ଇଡ୍କୋ

ସତ୍ୟଶିଖା (ଭୁବନେଶ୍ୱର) ୧୧/୧୨/୨୦୨୦ : ରାଜ୍ୟରେ ସ୍ଥାପନ ହେବାକୁ ଥିବା ଶିଳ୍ପ ପ୍ରକଳ୍ପ ଲାଗି ୨୮ଟି ସଂସ୍ଥାକୁ ଇଡ୍କୋ ଜରିଆରେ ରାଜ୍ୟ ସରକାର ଜମି ଆବଣ୍ଟନ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକରେ ୫୮୮ କୋଟି ଟଙ୍କାର ପୁଞ୍ଜିନିବେଶ ହେବ ଏବଂ ୩୨୪୫ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି ହେବ । ଲୋକସେବା ଭବନରେ ମୁଖ୍ୟ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚ କ୍ଷମତା ସମ୍ପନ୍ନ ଜମି ଆବଣ୍ଟନ କମିଟି ବୈଠକରୁ ଏହା ଜଣାପଡ଼ିଛି । ନିର୍ଧାରିତ ସମୟ ଭିତରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ ନିର୍ଦେଶ ଦେଇଛନ୍ତି ।
ପ୍ରକଳ୍ପଗୁଡ଼ିକ ବିଷୟରେ ସୂଚନା ଦେଇ ଇଡ୍କୋର ସିଏମ୍ଡି ସଞ୍ଜୟ କୁମାର ସିଂହ କହିଛନ୍ତି ଯେ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, କୃଷି ଉତ୍ପାଦର ପ୍ରକ୍ରିୟାକରଣ, ମୋଟର ଯାନ, ପର୍ଯ୍ୟଟନ, ହାଲୁକା ଯନ୍ତ୍ରପାତି, ଭଣ୍ଡାର ବ୍ୟବସ୍ଥା, ବିହନ ପ୍ରକ୍ରିୟାକରଣ ଏବଂ ସରଞ୍ଜାମ ନିର୍ମାଣ ଆଦି କ୍ଷେତ୍ରରେ ପୁଞ୍ଜିନିବେଶ ହେବ । ଜମି ଆବଣ୍ଟନ କରାଯାଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରୁ ରାଜ୍ୟ ସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ ମାଧ୍ୟମରେ ୧୨ଟି ଓ ଜିଲ୍ଲା ସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ ମାଧ୍ୟମରେ ୧୫ଟି ନିବେଶ ପ୍ରସ୍ତାବ ଆସିଥିଲା । ବି-ୱାନ୍ ବିଜନେସ୍ ହାଉସ୍ର ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ, ଫାଲ୍କନ୍ର ସାମୁଦ୍ରିକ ଚିଙ୍ଗୁଡ଼ି ପ୍ରକ୍ରିୟାକରଣ, ଇନ୍ଟେକ୍ ଇଣ୍ଡିଆର ଚିଙ୍ଗୁଡ଼ି ଖାଦ୍ୟ ଉତ୍ପାଦ ଉଦ୍ୟୋଗ ଲାଗି ଡେରାସ ସି-ଫୁଡ୍ ପାର୍କରେ ଜମି ଦିଆଯିବ ।
ୟୁବିଏନ୍ ସଫଟ୍ଓୟାର ୟୁନିଟ୍ ଓ ରାଜ୍ୟ ଡାଟା ସେଣ୍ଟର୍ ପାଇଁ ଇନ୍ଫୋଭାଲି-୨ ଶିଳ୍ପାଞ୍ଚଳ, ବିଶ୍ୱ କୌଶଳ କେନ୍ଦ୍ର ପାଇଁ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ, ଅଟୋମୋବାଇଲ୍ କ୍ଲଷ୍ଟର୍ ପାଇଁ ଖୋର୍ଦ୍ଧାର ବାଲିଅନ୍ତାରେ ଏବଂ ପାହାଳ ରସଗୋଲା କମନ ଫାସିଲିଟି ସେଣ୍ଟର୍ ପାଇଁ ଖୋର୍ଦ୍ଧାର ଅନନ୍ତପୁର ଠାରେ ଜମି ଦିଆଯିବ । ଜିଲ୍ଲା ସିଙ୍ଗଲ୍ ୱିଣ୍ଡୋ ଜରିଆରେ ଆସିଥିବା ୧୬ଟି ଏମ୍ଏସ୍ଏମ୍ଇ ପ୍ରକଳ୍ପ ପାଇଁ ଭୁବନେଶ୍ୱର, ଛତାବର, ଖୋର୍ଦ୍ଧା ଖାଦ୍ୟ ପ୍ରକ୍ରିୟାକରଣ ପାର୍କ, ଯାଆଁଳା ଏବଂ ଚନ୍ଦକା ଆଦି ଶିଳ୍ପାଞ୍ଚଳରେ ଜମି ଦେବାକୁ ଆଜିର ବୈଠକରେ ନିଷ୍ପତ୍ତି ହୋଇଛି ।
ଡିଜିଟାଲ୍ ମାଧ୍ୟମରେ ଆୟୋଜନ କରାଯାଇଥିବା ଏହି ବୈଠକରେ ଜଙ୍ଗଲ ଓ ପରିବେଶ, ଶିଳ୍ପ, ସାଧାରଣ ପ୍ରଶାସନ ଓ ଅଭିଯୋଗ, ଏମ୍ଏସ୍ଏମ୍ଇ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ସୂଚନା ଓ ପ୍ରଯୁକ୍ତି ବିଭାଗର ମୁଖ୍ୟ ଶାସନ ସଚବି ଓ ପ୍ରମୁଖ ସଚିବମାନେ, ବିଏମ୍ସି କମିସନର ଓ ଖୋର୍ଦ୍ଧା ଜିଲ୍ଲାପାଳ ଅଂଶଗ୍ରହଣ କରିଥିଲେ ।