
ସତ୍ୟଶିଖା (ଭୁବନେଶ୍ୱର) ୦୩/୦୨/୨୦୨୧ : ଚଳିତ ବର୍ଷ ଜାନୁଆରିରେ ରାଜ୍ୟରେ ୩୧୩୭.୪୦ କୋଟି ଟଙ୍କାର ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ସଂଗୃହୀତ ହୋଇଛି । ଗତବର୍ଷ ଜାନୁଆରିରେ ହୋଇଥିବା ୨୫୦୩.୯୭ କୋଟି ଟଙ୍କା ତୁଳନାରେ ଏହା ୨୫.୩୦ ପ୍ରତିଶତ ଅଧିକ । ଏହି ବୃଦ୍ଧି ହାର ସର୍ବଭାରତୀୟ ସ୍ତରରେ ସର୍ବାଧିକ ବୋଲି ବାଣିଜ୍ୟ କର ଓ ଜିଏସ୍ଟି ଆୟୁକ୍ତଙ୍କ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ।
ସମନ୍ବିତ ଜିଏସ୍ଟି (ଆଇଜିଏସ୍ଟି) ସଂଗ୍ରହରେ ୭୧.୮୮%, କେନ୍ଦ୍ରୀୟ ଜିଏସ୍ଟିରେ (ସିଜିଏସ୍ଟି) ୮.୧୭ ପ୍ରତିଶତ ଓ ରାଜ୍ୟ ଜିଏସ୍ଟିରେ (ଏସ୍ଜିଏସ୍ଟି) ୪.୪୮ ପ୍ରତିଶତ ବୃଦ୍ଧି ଘଟିଛି । ଆଇଜିଏସ୍ଟି ଆୟ ୧୧୫୮.୭୭ କୋଟି ଟଙ୍କା ହୋଇଛି ଯାହା ବର୍ଷକ ପୂର୍ବେ ୬୭୪.୧୮ କୋଟି ଟଙ୍କା ଥିଲା । ରାଜ୍ୟରେ ଉତ୍ପାଦିତ ହେଉଥିବା ଲୌହ ଇସ୍ପାତ, ଆଲୁମିନିୟମ ଓ କୋଇଲା ଆଦିର ଚାହିଦା ଅନ୍ୟ ରାଜ୍ୟରେ ବୃଦ୍ଧି ପାଇବାରୁ ଆଇଏସ୍ଟିରେ ବୃଦ୍ଧି ହୋଇଛି । ସେହିପରି ଏସ୍ଜିଏସ୍ଟି ବାବଦରେ ୭୭୭.୭୧ କୋଟି ଟଙ୍କା ଆୟ ହୋଇଛି ଯାହା ୨୦୨୦ ଜାନୁଆରିରେ ୭୪୪.୩୩ କୋଟି ଟଙ୍କା ଥିଲା । ରାଜ୍ୟରେ ପେଟ୍ରୋଲ୍ ଓ ମଦରୁ ଭାଟ୍ ଆକାରରେ ୮୩୧.୭୮ କୋଟି ଟଙ୍କା ସଂଗ୍ରହ ହୋଇଛି ଯାହା ୨୦୨୦ ଜାନୁଆରିରେ ହୋଇଥିବା ୬୮୭.୫୦ କୋଟି ଟଙ୍କା ତୁଳନାରେ ୨୦.୬୬ ପ୍ରତିଶତ ଅଧିକ ।
ପେଟ୍ରୋଲ୍ରୁ ଭାଟ୍ ସଂଗ୍ରହ ୨୪.୧୪ ପ୍ରତିଶତ ବୃଦ୍ଧି ପାଇ ୬୫୫.୧୫ କୋଟି ଟଙ୍କା ହୋଇଛି ଯାହା ବର୍ଷକ ପୂର୍ବେ ୫୨୭.୭୭ କୋଟି ଟଙ୍କା ଥିଲା । ସେହିପରି ମଦରୁ ଭାଟ୍ ଆୟ ୧୦.୬୦ ପ୍ରତିଶତ ବୃଦ୍ଧି ପାଇ ୧୭୬.୬୨ କୋଟି ଟଙ୍କାରେ ପହଞ୍ଚିଛି । ୨୦୨୦ ଜାନୁଆରିରେ ମଦରୁ ୧୫୬.୭୩ କୋଟି ଟଙ୍କାର ଭାଟ୍ ଆଦାୟ ହୋଇଥିଲା । ରିଟର୍ଣ୍ଣ ଦାଖଲ ନିୟମକୁ ପାଳନ କରିବା ଲାଗି ଉଦ୍ୟମ କରାଯାଇଥିବାରୁ ସେପ୍ଟେମ୍ବରରେ ରିଟର୍ଣ୍ଣ ଦାଖଲରେ ୯୧.୭୯ ପ୍ରତିଶତ, ଅକ୍ଟୋବରରେ ୯୧.୨୫%, ନଭେମ୍ବରରେ ୮୮.୬୧ ପ୍ରତିଶତ ଓ ଡିସେମ୍ବରରେ ୭୭.୨୬ ପ୍ରତିଶତ ବୃଦ୍ଧି ଘଟିଛି । ତଥ୍ୟ ବିଶ୍ଳେଷଣ ବ୍ୟବସ୍ଥା ଓ ଆଭ୍ୟନ୍ତରୀଣ ଗୁଇନ୍ଦା ବ୍ୟବସ୍ଥାକୁ ଆଧାର କରି ଜାଲ୍ ବିଲ୍ ଜରିଆରେ ସମ୍ପୃକ୍ତ ଥିବା ଅନେକ ରୢାକେଟ୍ର ପର୍ଦାଫାସ କରି ଏପର୍ଯ୍ୟନ୍ତ ୧୭ ଜଣଙ୍କୁ ଗିରଫ କରାଯାଇଛି ବୋଲି ବାଣିଜ୍ୟ କର ଓ ଜିଏସ୍ଟି ଆୟୁକ୍ତଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।






