ମାର୍ଚ୍ଚ ପହିଲାରୁ ଅନଲାଇନ୍‌ରେ ପଢିବେ ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀ

ସତ୍ୟଶିଖା(ଭୁବନେଶ୍ୱର)୨୫.୦୨.୨୦୨୧ : ମାର୍ଚ୍ଚ ୧ରୁ ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଅନ୍‌ଲାଇନ୍‌ରେ ପାଠପଢ଼ା ଆରମ୍ଭ ହେବ। ଏନେଇ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଶାଶ୍ବତ ମିଶ୍ର ବିଶ୍ବବିଦ୍ୟାଳୟ କୁଳପତି ଓ ସରକାରୀ ଏବଂ ଘରୋଇ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ଚିଠି ଲେଖିଛନ୍ତି ।ରାଜ୍ୟରେ ସ୍ନାତକ ଓ ସ୍ନାତକୋତ୍ତର ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ୨୦୨୧ ଜାନୁଆରୀ ୧୧ ତାରିଖଠାରୁ ଅଫ୍‌ଲାଇନ୍‌ରେ ପାଠପଢ଼ା ଆରମ୍ଭ ହୋଇଯାଇଛି । ସେହିପରି ୨୦୨୧ ଫେବ୍ରୁଆରୀ ୧୦ ତାରିଖଠାରୁ ସ୍ନା‌ତକୋତ୍ତର ପ୍ରଥମ ବର୍ଷ ଏବଂ ତିନି ବର୍ଷୀୟ ସ୍ନାତକ ପାଠ୍ୟକ୍ରମର ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ସହ ୪ ବର୍ଷୀୟ ସ୍ନା‌ତକ ପାଠ୍ୟକ୍ରମର ତୃତୀୟ ବର୍ଷର ପିଲାଙ୍କ ପାଠପଢ଼ା ଅଫ୍‌ଲାଇନ୍‌ ମାଧ୍ୟମରେ ଆରମ୍ଭ ହୋଇଯାଇଛି ।କୋଭିଡ୍-୧୯ ସଂକ୍ରମଣ ନିୟନ୍ତ୍ରଣକୁ ଆସିପାରି ନଥିବାରୁ ଯୁକ୍ତ ୩ ପ୍ରଥମ ବର୍ଷର ପିଲାଙ୍କ ପାଠପଢ଼ା ଅଫ୍‌ଲାଇନ୍‌ରେ ହୋଇପାରୁନାହିଁ। କିନ୍ତୁ ପାଠପଢ଼ା ଶୀଘ୍ର ଆରମ୍ଭ ନ କରାଗଲେ ଯୁକ୍ତ ୩ ଶ୍ରେଣୀର ପିଲାମାନେ ଅସୁବିଧାର ସମ୍ମୁଖୀନ ହେବାର ଆଶଙ୍କା ଦେଖାଯାଇଛି । ଏହାକୁ ଦୃଷ୍ଟିରେ ରଖି ଯୁକ୍ତ ୩ ପ୍ରଥମ ଶ୍ରେଣୀର ପାଠପଢ଼ା ମାର୍ଚ୍ଚ ୧ରୁ ଆରମ୍ଭ ହେବାକୁ କୁହାଯାଇଛି ।

Exit mobile version