
ସତ୍ୟଶିଖା (ନୂଆଦିଲ୍ଲୀ) ୨୪/୧୧/୨୦୨୦ : ଜାମ୍ମୁ କାଶ୍ମୀରରେ ୨୫ ହଜାର କୋଟି ଟଙ୍କାର ଜମି ଦୁର୍ନୀତି ମାମଲାରେ ନାମୀ ଲୋକଙ୍କ ନାଁ ସାମ୍ନାକୁ ଆସିଛି । ଏହି ତାଲିକାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ସ ଡେମକ୍ରାଟିକ ପାର୍ଟିର ଅଧ୍ୟକ୍ଷ ମେହବୁବା ମୁଫତି, ନ୍ୟାସନାଲ କନ୍ଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲାଙ୍କ ସମେତ ଅନେକ ସାଥିଙ୍କ ନାଁ ସାମିଲ ଅଛି । ଜାମ୍ମୁ କାଶ୍ମୀର ହାଇକୋର୍ଟଙ୍କ ଆଦେଶରେ ୟୁଟି ଆଡମିନିଷ୍ଟ୍ରେସନ ଏବଂ ସିବିଆଇ ଯାଞ୍ଚ ଅନୁଯାୟୀ, ଅବଦୁଲ୍ଲା ୧୯୯୮ ମସିହାରେ ଜାମ୍ମୁ ଡିଭିଜନ ସଞ୍ଜବାନ ଅଞ୍ଚଳରେ ଭିନ୍ନ ଭିନ୍ନ ଲୋକଙ୍କ ଠାରୁ ତିନିଟି କେନାଲ ଜମି କିଣିଥିଲେ । ଏହାସହ ପାଖାପାଖି ଅଞ୍ଚଳର ୭ଟି କେନାଲ ଜଙ୍ଗଲ ଜମି ଉପରେ କବଜା କରି ଘର ନିର୍ମାଣ କରିଛନ୍ତି ।ସିବିଆଇ ଯାଞ୍ଚ ଅନୁଯାୟୀ, ଫାରୁକ ଅବଦୁଲ୍ଲା ଜାମ୍ମୁ ଓ ଶ୍ରୀନଗରରେ ରୋଶନୀ ଆକ୍ଟ ଅନୁଯାୟୀ ଜମି ଆବଣ୍ଟନ କରିଛନ୍ତି । ଭଉଣୀ ସୁରେୟା ଭଟ୍ଟୁଙ୍କୁ ମଧ୍ୟ ଜମି ଦେଇଥିଲେ । ତାଛଡା ତାଙ୍କର କିଛି ସମ୍ପର୍କୀୟ ମଧ୍ୟ ଜଙ୍ଗଲ ଜମି ଓ ସରକାରୀ ଜମି ଉପରେ କବଜା କରିଛନ୍ତି । ଏହି ତାଲିକାରେ ଏନସି ନେତା ସେଯଦ ଅଲି ଅଖୁନଙ୍କ ନାଁ ମଧ୍ୟ ସାମିଲ ଅଛି । ଫାରୁକ ଅବଦୁଲ୍ଲା ଯେଉଁ ୭ଟି ଜମି ଉପରେ ଅବୈଧ କବଜା କରିଛନ୍ତି ତାର ମୂଲ୍ୟ ପାଖାପାଖି ୧୦ କୋଟି ଟଙ୍କା । ସେହି ଅଞ୍ଚଳରେ ଯେଉଁ ୩୦ଟି କେନାଲ ଜମି ଉପରେ ଭିନ୍ନ ଭିନ୍ନ ଲୋକ ଅବୈଧ କବଜା କରିଛନ୍ତି ତାର ମୂଲ୍ୟ ପାଖାପାଖି ୪୦ କୋଟି ଟଙ୍କା ।
୨୦୦୧ ରେ ରୋଶନୀ ଆକ୍ଟ ଗଠନ ହୋଇଥିଲା । ଯେତେବେଳେ ସରକାରୀ ଜମିରେ ଅବୈଧ ତରିକାରେ କବଜା କରୁଥିବା ଲୋକଙ୍କୁ ଏକା ରାଶି ଜମା କଲେ ଏହି ଜମିର ମାଲିକାନା ଦେବାକୁ ଏହି ଆଇନ ଗଠନ କରାଯାଇଥିଲା । ଏହି ଆଇନ ବାହାନାରେ କାଶ୍ମୀରର ବଡ ବଡ ଲୋକ ହଜାର କୋଟି ଟଙ୍କାର ଜମି କିଣିଥିଲେ । ମାମଲା କୋର୍ଟକୁ ଯିବାପରେ ବର୍ତ୍ତମାନ ସିବିଆଇ ଯାଞ୍ଚ କରୁଛି । ସୂଚନା ଅନୁଯାୟୀ, ଜମି ଦୁର୍ନୀତି ମାମଲାରେ ବଡ ଦଳ, ନ୍ୟାସନାଲ କନ୍ଫରେନ୍ସ, ପିଡିପି ଓ କଂଗ୍ରେସର ପାଖାପାଖି ୨୦୦ ନେତାଙ୍କ ନାଁ ସାମିଲ ଅଛି । କିଛି ବଡ ଆଇଏଏସ ଅଧିକାରୀ, ବଡ ବ୍ୟବସାୟୀ ଓ ହୋଟେଲ ମାଲିକଙ୍କ ନାଁ ମଧ୍ୟ ସାମିଲ ରହିଛି ।