ସତ୍ୟଶିଖା (ନୂଆଦିଲ୍ଲୀ) ୦୪/୧୨/୨୦୨୦ : ବଜାରରେ ବିଭିନ୍ନ ପ୍ରତିଷ୍ଠିତ କଂପାନି ବିକ୍ରି କରୁଥିବା ମହୁ ଶୁଦ୍ଧତା ପରୀକ୍ଷାରେ ବିଫଳ ହୋଇଛନ୍ତି । ସେଣ୍ଟର ଫର ସାଇନ୍ସ ଆଣ୍ଡ୍ ଏନର୍ଭାର୍ଣ୍ଣମେଣ୍ଟ୍ (ସିଏସ୍ଇ) ତରଫରୁ ଏହି ପରୀକ୍ଷା କରାଯାଇଥିଲା । ମହୁ ବିଶୁଦ୍ଧ ବୋଲି ଦାବି କରିବା ପୂର୍ବରୁ ୧୮ଟି ମାନଦଣ୍ଡ ପୂରଣ କରିବାକୁ ପଡ଼ିଥାଏ । ଦେଶରେ ଡାବର୍, ପତଞ୍ଜଳି, ବୈଦ୍ୟନାଥ ଓ ଝଣ୍ଡୁ ଭଳି ବ୍ରାଣ୍ଡ୍ ନାମରେ ବିକ୍ରି ହେଉଥିବା ୧୩ଟି ମହୁ ବ୍ରାଣ୍ଡ୍ର ଶୁଦ୍ଧତା ପରୀକ୍ଷା କରାଯାଇଥିଲା । ତେବେ ମହୁର ଶୁଦ୍ଧତା ସମ୍ପର୍କରେ ସିଏସ୍ଇ ପକ୍ଷରୁ ଯେଉଁ ଦାବି କରାଯାଇଛି ତାହାକୁ ଖାଦ୍ୟ କ୍ଷେତ୍ରର ନିୟାମକ ସଂସ୍ଥା ଏଫ୍ଏସ୍ଏସ୍ଏଆଇ ତରଫରୁ ତଜର୍ମା କରାଯାଉଛି । ଆସନ୍ତାକାଲି ସିଏସ୍ଇର ଏକ ଟିମ୍ ଏଫ୍ଏସ୍ଏସ୍ଏଆଇରେ ପହଞ୍ଚି ତଦନ୍ତ ରିପୋର୍ଟ ଦାଖଲ କରିବେ ।
ରିପୋର୍ଟକୁ ଭଲ ଭାବେ ତର୍ଜମା କରିବା ପରେ ଏଫ୍ଏସ୍ଏସ୍ଏଆଇ ପକ୍ଷରୁ ପରବର୍ତୀ କାର୍ଯ୍ୟପନ୍ଥା ଧାର୍ଯ୍ୟ କରାଯିବ ବୋଲି ଜଣାପଡ଼ିଛି । ମହୁ ଅପମିଶ୍ରଣ ଖବରକୁ ଡାବର ହନି ପକ୍ଷରୁ ଦୃଢ଼ ଭାବେ ଖଣ୍ଡନ କରାଯାଇଛି। ଜର୍ମାନିର କଂପାନି ବ୍ରୁକେର୍ ଜରିଆରେ କଂପାନି ଏହାର ମହୁର ପରୀକ୍ଷା କରାଇଛି । ଚିନି ସିରପ୍ ମିଶିଥିବାର କୌଣସି ପ୍ରମାଣ ମିଳିନାହିଁ । ଡାବର ହେଉଛି ଭାରତର ଏକ ମାତ୍ର କଂପାନି ଯାହାର ଲାବୋରେଟୋରିରେ ଏନ୍ଏମ୍ଆର ପରୀକ୍ଷା ଉପକରଣ ରହିଛି ଓ ଦେଶ ଭିତରେ ବିକ୍ରି ହେଉଥିବା ମହୁକୁ ନିୟମିତ ବ୍ୟବଧାନରେ ପରୀକ୍ଷା କରାଯାଇଥାଏ ବୋଲି ବୋଲି କଂପାନି ତରଫରୁ ଦାବି କରାଯାଇଛି ।