ସତ୍ୟଶିଖା (ଭୁବନେଶ୍ୱର) ୧୦/୦୨/୨୦୨୧ : ରାଜ୍ୟ ସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ ମଞ୍ଜୁରି କର୍ତ୍ତୃପକ୍ଷ ଆଜି ୧୨୪୨ କୋଟି ଟଙ୍କା ମୂଲ୍ୟର ଆଠଟି ନିବେଶ ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରିଛନ୍ତି । ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ପୁଞ୍ଜିନିବେଶ ଖଣି ଓ ଧାତବ, ଆଇଟି ଓ ଇଏସ୍ଡିଏମ୍, ମାନୁଫାକ୍ଚରିଂ, ଲଜିଷ୍ଟିକ୍ ଓ ପର୍ଯ୍ୟଟନ କ୍ଷେତ୍ରରେ ହେବ । ସମସ୍ତ ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ରାଜ୍ୟ ୩୧୩୫ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ଆଜି ମଞ୍ଜୁର ହୋଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରୁ ତିନିଟି ହୋଟେଲ୍ ପ୍ରକଳ୍ପ ରହିଛି । ପ୍ରଭାତ ହସ୍ପିଟାଲିଟି ପକ୍ଷରୁ ପୁରୀରେ ୧୩୫.୬୯ କୋଟି ଟଙ୍କା ବିନିଯୋଗ କରି ଏକ ପଞ୍ଚତାରକ ହୋଟେଲ୍ ଓ ଲକ୍ଜୁରି ରିସୋର୍ଟ ସ୍ଥାପନ କରାଯିବ । ସ୍ଵସ୍ତି ପ୍ରିମିୟମ୍ ତରଫରୁ ମଧ୍ୟ ପୁରୀରେ ୧୩୪ କୋଟି ଟଙ୍କା ବ୍ୟୟରେ ଏକ ପଞ୍ଚତାରକା ଲକ୍ଜୁରି ରିସୋର୍ଟ ସ୍ଥାପନ କରାଯିବ । ହୋଟେଲ୍ ଇଡେନ୍ ରକ୍ ତରଫରୁ ଭୁବନେଶ୍ୱରରେ ୧୧୭ କୋଟି ଟଙ୍କା ବିନିଯୋଗରେ ଏକ ଚାରି ତାରକା ହୋଟେଲ୍ ନିର୍ମାଣ କରାଯିବ । ଏସ୍ଏଲ୍ଏମ୍ ପାଉଡର୍ସ ସୁନ୍ଦରଗଡ଼ର କଲୁଙ୍ଗାରେ ଥିବା ଇଡ୍କୋ ଶିଳ୍ପାଞ୍ଚଳରେ ୬୭.୮୩ କୋଟି ଟଙ୍କା ନିବେଶ କରି ଆଟୋମାଇଜଡ୍ ଆଇରନ୍ ପାଉଡର୍ ପ୍ଲାଣ୍ଟ୍ ସ୍ଥାପନ କରିବ । ଓରିକନ୍ ଏଣ୍ଟରପ୍ରାଇଜେସ୍ ଖୋର୍ଦ୍ଧାରେ ୧୨୦ କୋଟି ଟଙ୍କା ନିବେଶ କରି ପିଇଟି ଫରଫମର୍ସ ଆଣ୍ଡ୍ କ୍ଲୋଜର୍ସ ୟୁନିଟ୍ ସ୍ଥାପନ କରିବ ।
ସେହିପରି, ସୂର୍ଯ୍ୟ ଇଣ୍ଟରନ୍ୟାସନାଲ୍ ତରଫରୁ ଇନ୍ଫୋଭାଲି ଇଏମ୍ସି ପାର୍କରେ ୬୭.୫୦ କୋଟି ଟଙ୍କା ନିବେଶ କରି ସୋଲାର ପ୍ୟାନେଲ୍ ଆଦି ଉତ୍ପାଦନ କରାଯିବ । ଜଗନ୍ନାଥ ଇଣ୍ଡଷ୍ଟ୍ରିଆଲ୍ ଆଣ୍ଡ୍ ଲଜିଷ୍ଟିକ୍ସ ପାର୍କସ୍ ଟାଙ୍ଗିରେ ଏକ ଲଜିଷ୍ଟିକ୍ସ ପାର୍କରେ ୧୪୦ କୋଟି ଟଙ୍କା ନିବେଶ କରିବ । ପୁରୀର କୃଷ୍ଣପ୍ରସାଦ ଠାରେ ଆଇଆର୍ଇଏଲ୍ ଇଡ୍କଲ୍ ଲିମିଟେଡ୍ ୪୬୦ କୋଟି ଟଙ୍କା ନିବେଶ କରି ହେଭି ବିଚ୍ ସ୍ୟାଣ୍ଡସ୍ ପ୍ରକଳ୍ପ ସ୍ଥାପନ କରିବ ବୋଲି ଜଣାପଡ଼ିଛି । ଏହି ସମସ୍ତ ପ୍ରକଳ୍ପ ଯେଭଳି ନିର୍ଧାରିତ ସମୟରେ କାର୍ଯ୍ୟକ୍ଷମ ହେବ ତାହା ନିଶ୍ଚିତ କରିବା ଲାଗି ଶ୍ରୀ ମହାପାତ୍ର ନିର୍ଦେଶ ଦେଇଛନ୍ତି । ଇପିକଲ୍ ବିଭିନ୍ନ ପ୍ରକାର ସହାୟତା ପ୍ରଦାନ କରିବ । ପ୍ରକଳ୍ପଗୁଡ଼ିକ ସମ୍ପର୍କରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା ବିବରଣୀ ପ୍ରଦାନ କରିଥିଲେ ।