ସତ୍ୟଶିଖା (ଭୁବନେଶ୍ୱର) ୦୮/୦୧/୨୦୨୧ : ଆଜି ଖୋଲିବ ସ୍କୁଲ । ପ୍ରସ୍ତୁତ ସ୍କୁଲ, ଛାତ୍ରଛାତ୍ରୀ ଓ ଶିକ୍ଷକ । ୯ ମାସର ଛୁଟି ପରେ ସ୍କୁଲ୍ ଖୋଲୁଥିବାରୁ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି । ଅନଲାଇନ୍ ଛାଡ଼ି ଅଫ୍ ଲାଇନରେ ପାଠ ପଢ଼ିବେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ । ସରକାର ଜାରି କରିଥିବା ଏସ୍.ଓ.ପି ଅନୁସାରେ ସ୍କୁଲ ଗୁଡିକୁ ପ୍ରସ୍ତୁତ କରାଯାଇଛି । ଏହାସହ ସ୍କୁଲରେ କିପରି ଛାତ୍ରଛାତ୍ରୀମାନେ ସାମାଜିକ ଦୂରତା ରକ୍ଷା କରିବେ ସେଥିପାଇଁ ପ୍ରାଧାନ୍ୟ ଦେଉଛନ୍ତି ସ୍କୁଲ୍ କର୍ତ୍ତୃପକ୍ଷ ।
ସ୍କୁଲ ପରିସର ଓ କ୍ଲାସ ରୁମ୍ ସାନିଟାଇଜ କରାଯାଇଛି । ସ୍କୁଲରେ ଛାତ୍ରଛାତ୍ରୀ ପ୍ରବେଶ କରିବା ସମୟରେ ହାତ ସାନିଟାଇଜ କରିବା ଲାଗି ଜଣେ ଶିକ୍ଷକ ସ୍କୁଲ ଗେଟ ପାଖରେ ରହିବେ । କ୍ଲାସ ରୁମକୁ ପଶିବା ସମୟରେ ମଧ୍ୟ ଜଣେ ଶିକ୍ଷକ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ହାତ ସାନଟାଇଜ କରି ଭିତରକୁ ଛାଡିବେ । କ୍ଲାସ ଭିତରେ ୫ ଫୁଟ ଦୁରତାରେ ଛାତ୍ରଛାତ୍ରୀ ବସିବେ ।