ସତ୍ୟଶିଖା ୧୨/୧୨/୨୦୨୦ : କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଦେଶର ସବୁଠୁ ବଡ଼ ତଦନ୍ତକାରୀ ସଂସ୍ଥା । କିନ୍ତୁ ଖୋଦ୍ ସିବିଆଇ ହେପାଜତରୁ ଗାଏବ ହୋଇଯାଇଛି ୧୦୩ କିଲୋଗ୍ରାମ ଓଜନର ସୁନା । ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଏହିପରି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି । ସିବିଆଇ ହେପାଜତରୁ ଗାଏବ ହୋଇଯାଇଥିବା ସୁନାର ମୂଲ୍ୟ ପ୍ରାୟ ୪୫ କୋଟି ଟଙ୍କା ହେବ ବୋଲି ସୂଚନା ମିଳିଛି । ମାଡ୍ରାସ ହାଇକୋର୍ଟ ସିବି-ସିଆଇଡିକୁ ଏହି ଘଟଣାର ତଦନ୍ତ ନିର୍ଦେଶ ଦେବା ପରେ ଏହା ଲୋକଲୋଚନକୁ ଆସିଛି ।
ସିବିଆଇ ଦାବି କରି କହିଛି ଯେ, ଯେତେବେଳେସୁନା ଜବତ ହୋଇଥିଲା ସେତେବେଳେ ସୁନାର ସମସ୍ତ ରଡ୍କୁ ଏକାସଙ୍ଗେ ଓଜନ କରାଯାଇଥିଲା । ଏବେ ଏସବିଆଇ ଏବଂ ସୁରାନା ମଧ୍ୟରେ ବୁଝାମଣା ହେବା ପରେ ସୁନାକୁ ଅଲଗା ଅଲଗା ଓଜନ କରାଗଲା, ଯେଉଁଥିରେ ଗଡ଼ବଡ଼ ହୋଇଛି । ହାଇକୋର୍ଟ ବିଚାରପତି ଜଷ୍ଟିସ ପ୍ରକାଶ ସିବିଆଇର ଏହି ଦାବିକୁ ମାନିବାକୁ ମନା କରିଦେଇଛନ୍ତି । ସେ ସିବି-ସିଆଇଡିର ଏସପି ପାହ୍ୟାର ଜଣେ ଅଧିକାରୀଙ୍କୁ ମାମଲାର ତଦନ୍ତ ଦାୟିତ୍ଵ ଦେବା ସହିତ ୬ମାସ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛନ୍ତି ।
ଅନ୍ୟପଟେ ସିବିଆଇ ପକ୍ଷରୁ ବିଚାରପତିଙ୍କୁ କୁହାଯାଇଥିଲା ଯେ, ଯଦି ସ୍ଥାନୀୟ ପୁଲିସ ଏହି ମାମଲାର ଯାଞ୍ଚ କରେ, ତେବେ ସେମାନଙ୍କ ପ୍ରତିଷ୍ଠା ଉପରେ ପ୍ରଭାବ ପଡ଼ିବ । ଏହା ଉପରେ ବିଚାରପତି କହିଥିଲେ ଯେ, ଏହାର ଅର୍ଥ ହେଉଛି କେବଳ ସିବିଆଇ ହିଁ ବଡ଼ ବଡ଼ ମାମଲାର ଯାଞ୍ଚ କରିପାରିବ, ସ୍ଥାନୀୟ ପୁଲିସ ବେକାର । କିନ୍ତୁ ଆଇନ ଏପରି ଆକ୍ଷେପକୁ ଅନୁମତି ଦିଏ ନାହିଁ । ସମସ୍ତ ପୁଲିସ କର୍ମୀଙ୍କ ଉପରେ ଭରସା କରାଯିବା ଦରକାର ବୋଲି କୋର୍ଟ କହିଥିଲେ ।