

ସତ୍ୟଶିଖା(କଣ୍ଟିଲୋ )୨୮.୦୪.୨୦୨୨: କଣ୍ଟିଲୋ ନୀଳମାଧବ ପୀଠର ପାରିପାଶ୍ୱିର୍କ ବିକାଶ ପାଇଁ ପ୍ରସ୍ତୁତ ମାଷ୍ଟରପ୍ଲାନ୍ କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏଥିନିମନ୍ତେ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ୧୮ ମାସ ମଧ୍ୟରେ କାମ ଶେଷ ହେବ । ସମନ୍ୱିତ ଐତିହ୍ୟ ଓ କୀର୍ତ୍ତିରାଜି ବିକାଶ ଯୋଜନାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ପ୍ରକଳ୍ପର ସଫଳ କାର୍ଯ୍ୟକାରିତା ନିମନ୍ତେ ମୁଖ୍ୟମନ୍ତ୍ରୀ ସ୍ଥାନୀୟ ଜନସାଧାରଣ ଓ ସେବାୟତମାନଙ୍କ ସହଯୋଗ କାମନା କରିଛନ୍ତି ।


ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଗତ ସପ୍ତାହରେ ନୀଳମାଧବ ପୀଠ ପରିଦର୍ଶନ କରି ବିକାଶ ଯୋଜନା ସଂପର୍କରେ ସେବାୟତ ତଥା ସ୍ଥାନୀୟ ଜନସାଧାରଣଙ୍କ ଓ ଜିଲ୍ଲା ପ୍ରଶାସନ ସହ ବିସ୍ତୃତ ଆଲୋଚନା କରି ମାଷ୍ଟର ପ୍ଲାନ ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ନୀଳମାଧବ ପୀଠର ବିକାଶ ପାଇଁ ପ୍ରସ୍ତୁତ ମାଷ୍ଟର ପ୍ଲାନ ଉପରେ ବିଚାର ବିମର୍ଷ ପରେ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଥିଲେ ।


ଏହି ମାଷ୍ଟରପ୍ଲାନରେ ମୁଖ୍ୟତଃ ମନ୍ଦିରର ପୁନରୁଦ୍ଧାର, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ପରିକ୍ରମା ପଥ, ଚନ୍ଦନ ପୁଷ୍କରିଣୀର ପୁନଃରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ସହିତ ଚତୁପାର୍ଶ୍ବ ରାସ୍ତାର ଉନ୍ନତୀକରଣ, ଛାୟାପ୍ରଦ ବୃକ୍ଷ, ଉଦ୍ୟାନ,ପାର୍କିଂ, ମହାନଦୀର କୂଳ ସୁରକ୍ଷା ଓ ନଦୀପାର୍ଶ୍ବର ସୌନ୍ଦର୍ଯ୍ୟକରଣ ଆଦି ବିଷୟରେ ଗୁରୁତ୍ବ ଦିଆଯାଇଛି ।








