ରାଜ୍ୟ

୨ରେ ଆସୁଛି ଆଉ ଏକ ବାତ୍ୟା !

ସତ୍ୟଶିଖା (ଭୁବନେଶ୍ୱର) ୨୮/୧୧/୨୦୨୦ : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ପୁଣି ଏକ ଲଘୁଚାପ । ଯାହାକି ଘନୀଭୂତ ହୋଇ ବାତ୍ୟା ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି। ଏହି ସମ୍ଭାବ୍ୟ ବାତ୍ୟା ପୁଣି ତାମିଲନାଡ଼ୁ-ପୁଡୁଚେରି ଉପକୂଳ ମୁହାଁ ହେବା ନେଇ ପାଣିପାଗ ବିଶେଷଜ୍ଞମାନେ ଆକଳନ କରୁଛନ୍ତି। ତେବେ ଓଡ଼ିଶାରେ ଏହାର ବିଶେଷ ପ୍ରଭାବ ପଡ଼ିବ ନାହିଁ ବୋଲି ଅନୁମାନ କରାଯାଉଛି। କିନ୍ତୁ ଦକ୍ଷିଣ ଓଡ଼ିଶାର ସ୍ଥାନେ ସ୍ଥାନେ ହାଲୁକା ବର୍ଷା ହେବା ସହ ରାଜ୍ୟରେ ପାଗ କୋହଲା ରହିପାରେ ।

ପାଣିପାଗ ବିଭାଗର  କହିବାନୁସାରେ, ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି  ହୋଇଛି । ଯାହାକି ୩୬ ଘଣ୍ଟା ଭିତରେ ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହେବ। ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଅବପାତ ରୂପ ନେବ । ତା’ ପରେ ଆହୁରି ଘନୀଭୂତ ହେବା ସମ୍ଭାବନା ମଧ୍ୟ ରହିଥିବା ପାଣିପାଗ ବିଭାଗ କହିଛି । ଏହା ପଶ୍ଚିମ ଦିଗରେ ଗତି କରି ଆସନ୍ତା ୨ ତାରିଖବେଳକୁ ତାମିଲନାଡ଼ୁ-ପୁଡୁଚେରି ଉପକୂଳ ଛୁଇଁପାରେ ବୋଲି ଅନୁମାନ କରାଯାଉଛି । ଏହା ବାତ୍ୟା ରୂପ ମଧ୍ୟ ନେଇପାରେ । ଏହା ପ୍ରଭାବରେ ତାମିଲନାଡ଼ୁ, ପୁଡୁଚେରିରେ ପ୍ରବଳ ବର୍ଷା, ପବନ ହେବା ଆଶଙ୍କା ଅଛି ବୋଲି ମଧ୍ୟ ଆକଳନ କରାଯାଉଛି ।ତେବେ ଓଡ଼ିଶାରେ ଏବେ ପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ବର୍ତ୍ତମାନ ପାଗ ମୁଖ୍ୟତଃ ଶୁଖିଲା ରହିଛି ଓ ଆଗକୁ ମଧ୍ୟ ରହିବ । ଆସନ୍ତା ୨-୩ ଦିନ ଭିତରେ ରାଜ୍ୟର ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୩-୪ ଡିଗ୍ରୀ ସେଲସିୟସ୍‌ କମିବାର ସମ୍ଭାବନା ଅଛି । ଫଳରେ ଶୀତ ପ୍ରକୋପ ବଢ଼ିବ । ଡିସେମ୍ବର ୨ କିମ୍ବା ୩ ତାରିଖବେଳକୁ ରାଜ୍ୟରେ ପାଗ ସାମାନ୍ୟ ବଦଳିବ । ଦକ୍ଷିଣ ଓଡ଼ିଶାରେ ପାଗ ଆଂଶିକ ମେଘୁଆ ହେବା ସହ ରାଜ୍ୟରେ ପାଗ କୋହଲା ରହିପାରେ ବୋଲି କହିଛି ପାଣିପାଗ ବିଭାଗ । ଏତତ୍ ବ୍ୟତୀତ, ଗୋଟିଏ ଦୁଇଟି ଜାଗାରେ ସାମାନ୍ୟ ବର୍ଷା ସମ୍ଭାବନା ଅଛି ।

Show More
Back to top button