

ସତ୍ୟଶିଖା(ନୂଆଦିଲ୍ଲୀ) ୦ ୮ .୦୭.୨୦୨୧: : ଓଡ଼ିଶାବାସୀଙ୍କ ପାଇଁ ଖୁସିଖବର । ପୂର୍ବରୁ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ଧର୍ମେନ୍ଦ୍ର ପ୍ରଧାନ ଏକମାତ୍ର କ୍ୟାବିନେଟ ମନ୍ତ୍ରୀ ଥିବାବେଳେ ସମ୍ପ୍ରସାରଣରେ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବଙ୍କୁ କ୍ୟାବିନେଟ ମନ୍ତ୍ରୀ କରାଯାଇଛି । ଫଳରେ ଓଡ଼ିଶାରୁ ଏବେ ଦୁଇଜଣ କେନ୍ଦ୍ର କ୍ୟାବିନେଟର ପ୍ରତିନିଧିତ୍ୱ କରିବେ । ଆଜି ରେଳ ମନ୍ତ୍ରୀ ଭାବେ ଅଶ୍ୱିନୀ ବୈଷ୍ଣବ ଦାୟିତ୍ୱ ଗ୍ରହଣ କରିଛନ୍ତି ।
ପୂର୍ବତନ ପ୍ରଶାସକ ଅଶ୍ୱିନୀ ବୈଷ୍ଣବ ବିଜେପିରେ ଯୋଗଦେବା ପରେ ବିଜେଡ଼ି ସହଯୋଗରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୧୯୭୦ରେ ରାଜସ୍ଥାନର ଯୋଧପୁରଠାରେ ଜନ୍ମିତ ଶ୍ରୀ ବୈଷ୍ଣବ ୧୯୯୨ରେ ଇଲେକ୍ଟ୍ରୋନିକ୍ସ ଆଣ୍ଡ କମୁନିକେସନରେ ସ୍ୱର୍ଣ୍ଣପଦକ ପାଇଥିଲେ । ପରେ ସେ ଆଇଆଇଟି କାନପୁରରୁ ଏମଟେକ କରିଥିଲେ । ୧୯୯୪ରେ ସେ ଆଇଏଏସ ପାଇଥିଲେ । ବାଲେଶ୍ୱର ଜିଲ୍ଲାପାଳ ଥିବାବେଳେ ତାଙ୍କର କାର୍ଯ୍ୟଦକ୍ଷତାକୁ ଜାତୀୟ ମାନବାଧିକାର କମିଶନ ବି ପ୍ରଶଂସା କରିଥିଲେ । ୧୯୯୯ ମହାବାତ୍ୟା ବେଳେ ତାଙ୍କର ଭୂମିକା ଉଲ୍ଳେଖନୀୟ ଥିଲା । ସେ ଆମେରିକା ନୌବାହିନୀର ୱେବସାଇଟକୁ ଟ୍ରାକ କରି ମହାବାତ୍ୟାର ଗତିପଥ ସମ୍ପର୍କରେ ତାଜା ସୂଚନା ପ୍ରଦାନ କରି ଚର୍ଚ୍ଚା ସୃଷ୍ଟି କରିଥିଲେ । ୨୦୦୩ ପର୍ଯ୍ୟନ୍ତ ସେ ଓଡ଼ିଶାରେ କାର୍ଯ୍ୟ କରିଥିଲେ । ପରେ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ସେ ପିଏମଓର ଉପସଚିବ ଭାବେ କାର୍ଯ୍ୟ କରିଥିଲେ । ପିପିପି ମୋଡ଼ରେ ଭିତିଭୂମି କାର୍ଯ୍ୟ ଆରମ୍ଭ କରି ଶ୍ରୀ ବୈଷ୍ଣବ ଖ୍ୟାତି ଅର୍ଜନ କରିଥିଲେ । ୨୦୦୪ରେ ବାଜପେୟୀ ନିର୍ବାଚନ ହାରିଥିଲେବି ସେ ତାଙ୍କର ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରିବାର ସୌଭାଗ୍ୟ ପାଇଥିଲେ ।