୭୫ ଦିନରେ ୧୦ ହଜାର, କିନ୍ତୁ ଏହାପରେ ଦେଶରେ ଦ୍ରୁତଗତିରେ ମାଡ଼ୁଛି କରୋନା


ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ କରୋନା ଭାଇରସ ଦ୍ରୁତ ଗତିରେ ମାଡ଼ି ଚାଲିଛି। ସ୍ଥିତି ଏପରି ହୋଇଛି ଯେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷ ପାର କରିଯାଇଛି। ଦେଶରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୧,୧୩୯ ଥିବା ବେଳେ ମୃତ୍ୟୁସଂଖ୍ୟା ୩୧୬୩ ରହିଛି। ସେହିପରି ୩୯,୧୭୪ ଜଣ ସୁସ୍ଥ ହୋଇଛନ୍ତି।
ଆହୁରି ପଢ଼ନ୍ତୁ
୨୦୨୦ ଜାନୁଆରୀ ୩୦ରେ ଦେଶରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଏହାପରେ ୧୪ ଏପ୍ରିଲରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ରହିଥିଲା। ଦେଶରେ ପ୍ରଥମ ୧୦ ହଜାର କରୋନା ରୋଗୀ ଚିହ୍ନଟ ହେବା ପାଇଁ ୭୫ ଦିନର ସମୟ ଲାଗିଥିଲା।
କିନ୍ତୁ ଏହାପରେ କରୋନା ରୋଗୀଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ପ୍ରଥମ ୧୦ ହଜାର ମାମଲା ପାଇଁ ୭୫ ଦିନ ଲାଗିଥିବା ବେଳେ ଦ୍ୱିତୀୟ ୧୦ ହଜାର ପାଇଁ ୮ ଦିନର ସମୟ ଲାଗିଥିଲା। ସେହିପରି ୨୦ରୁ ୩୦ ହଜାର ହେବା ପାଇଁ ୭ ଦିନ, ୩୦ରୁ ୪୦ ହଜାର ପାଇଁ ୪ ଦିନ, ୪୦ରୁ ୫୦ ହଜାର ପାଇଁ ୪ ଦିନ, ୫୦ରୁ ୬୦ ହଜାର ପାଇଁ ୩ ଦିନ, ୬୦ରୁ ୭୦ ହଜାର ପାଇଁ ୨ ଦିନ, ୭୦ରୁ ୮୦ ହଜାର ପାଇଁ ୩ ଦିନର ସମୟ ଲାଗିଥିଲା। ଏହାପରେ ୮୦ରୁ ୯୦ ହଜାର ଓ ୯୦ରୁ ୧ ଲକ୍ଷ କରୋନା ଆକ୍ରାନ୍ତ ମାତ୍ର ୨ ଦିନରେ ସାମ୍ନାକୁ ଆସିଛି। ତେଣୁ ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଛି।






