ଦେଶ

୪୬୦ କରୋନା ମୃତ୍ୟୁକୁ ୨୨୪ ଦର୍ଶାଇଛି ତାମିଲନାଡୁ, ଏବେ ପୂରା ତଥ୍ୟ ସାମ୍ନାକୁ ଆସିଲା

ଚେନ୍ନାଇ: କରୋନା ଯୋଗୁ ମହାରାଷ୍ଟ୍ର ପରେ ତାମିଲନାଡୁ ସ୍ଥିତି ବେକାବୁ ହୋଇଛି। ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୩୭ ହଜାର ନିକଟରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ବି ହୁହୁ ହୋଇ ବଢ଼ୁଛି। ବୁଧବାର ରେକର୍ଡ ୧୯ ଶହରୁ ଅଧିକ ପଜିଟିଭ କେସ ସାମ୍ନାକୁ ଆସିଥିଲା। ତେବେ ତାମିଲନାଡୁ ସରକାର କରୋନା ଜନିତ ମୃତ୍ୟୁସଂଖ୍ୟାକୁ ଲୁଚାଇ ରଖିଥିବା ଖବର ଏବେ ସାମ୍ନାକୁ ଆସିଛି।

ଜୁନ୍‌ ୮ରୁ ରାଜ୍ୟର ରାଜଧାନୀ ଚେନ୍ନାଇରେ କରୋନା ଯୋଗୁ ୪୬୦ ଜଣ ପ୍ରାଣ ହରାଇଛନ୍ତି। ହେଲେ ରାଜ୍ୟ ସରକାର କେବଳ ୨୨୪ ଜଣଙ୍କ ମୃତ୍ୟୁ ଚେନ୍ନାଇରେ ହୋଇଥିବା ଦର୍ଶାଇଛନ୍ତି। ମୃତ୍ୟୁ ପଞ୍ଜୀକରଣର ଯାଞ୍ଚ କରୁଥିବା ଡିରେକ୍ଟୋରେଟ ଅଫ ପବ୍ଲିକ ହେଲଥ ଏହି ତଥ୍ୟକୁ ସାମ୍ନାକୁ ଆଣିଛି। ଡିପିଏଚ୍‌ ଅଧିକାରୀମାନେ ମଙ୍ଗଳବାର ଗ୍ରେଟର ଚେନ୍ନାଇ କର୍ପୋରେସନର ଅଧିକାରୀମାନେ ମୃତ୍ୟୁ ପାଇଁ ପଞ୍ଜୀକରଣ କରିଥିବା ଫାଇଲର ଛାନଭିନ କରିଥିଲେ।

ଏହି ସମୟରେ ଚେନ୍ନାଇରେ ରିପୋର୍ଟ ହୋଇଥିବା ମୋଟ ମୃତ୍ୟୁସଂଖ୍ୟା ତୁଳନାରେ ଅଧିକ ୨୩୬ ଜଣଙ୍କ ନାଁ ରହିଛି। ଅର୍ଥାତ ସରକାର କହିଛନ୍ତି ଯେ ଚେନ୍ନାଇରେ କରୋନା ଯୋଗୁ ୨୨୪ ଜଣଙ୍କ ମୃତ୍ୟୁ ଘଟିଛି। ହେଲେ ବାସ୍ତବରେ କେବଳ ଚେନ୍ନାଇରେ ହିଁ ୪୬୦ ଜଣ ପ୍ରାଣ ହରାଇଥିବା ତଥ୍ୟ ମିଳିଛି।

ଆହୁରି ପଢ଼ନ୍ତୁ

ଯଦି ସରକାର ଦେଇଥିବା ତଥ୍ୟ ସହ ଏହାକୁ ମିଶାଯାଏ, ତା’ହେଲେ ରାଜ୍ୟରେ କରୋନା ମୃତ୍ୟୁହାର ୧.୫% ହେବ। କିନ୍ତୁ ବର୍ତ୍ତମାନ ତାମିଲନାଡୁରେ ମୃତ୍ୟୁହାର ୦.୭% ରହିଛି।

ଏହାପୂର୍ବରୁ ପ୍ରେମାବୁର ରେଳବାଇ ହସ୍ପିଟାଲରେ କରୋନା ଯୋଗୁ ୨୦ ଜଣଙ୍କ ମୃତ୍ୟୁ ଘଟିଥିଲେ ହେଁ ପ୍ରଶାସନ ପକ୍ଷରୁ ଏହାର ରିପୋର୍ଟ କରାଯାଇ ନଥିଲା। ତେବେ ତାମିଲନାଡୁ ସ୍ୱାସ୍ଥ୍ୟମନ୍ତ୍ରୀ ସି ବିଜୟଭାସ୍କର କହିଛନ୍ତି, କରୋନା ମୃତ୍ୟୁସଂଖ୍ୟା ଲୁଚାଇବାକୁ ଆମର କୌଣସି ଉଦ୍ଦେଶ୍ୟ ନାହିଁ। ଆମେ ସ୍ୱଚ୍ଛ। ପୁନଃ ଆକଳନ ବେଳେ ନିଶ୍ଚିତ ଭାବେ ଏହାକୁ କରୋନା ଜନିତ ମୃତ୍ୟୁ ତାଲିକାରେ ସ୍ଥାନ ଦିଆଯିବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଆଜି ସୁଦ୍ଧା ତାମିଲନାଡୁରେ ମୋଟ ୩୬,୮୪୧ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୩୨୬ ଜଣଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରୁ କେବଳ ଚେନ୍ନାଇରେ ୨୨୪ ଜଣଙ୍କ ମୃତ୍ୟୁ ଘଟିଥିବା ସରକାର କହିଛନ୍ତି।

[ad_2]
Show More
Back to top button