ଖେଳ

୨୦୨୧ ମହିଳା ବିଶ୍ୱକପକୁ କ୍ୱାଲିଫାଏ କଲା ଭାରତ

ନୂଆଦିଲ୍ଲୀ: ପାକିସ୍ତାନ ବିପକ୍ଷ ହେବାକୁଥିବା ଦିନିକିଆ ଚାମ୍ପିୟନଶିପ୍ ବାତିଲ୍ ହେବା ପରେ ଭାରତୀୟ ମହିଳା କ୍ରିକେଟ୍ ଟିମ୍ ୨୦୨୧ରେ ନ୍ୟୁଜିଲ୍ୟାଣ୍ଡରେ ହେବାକୁଥିବା ଆଇସିସି ମହିଳା ବିଶ୍ୱକପକୁ କ୍ୱାଲିଫାଏ କରିଛି। ଏ ନେଇ ଆଇସିସି ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ଭାରତ ବ୍ୟତୀତ ଆୟୋଜକ ନ୍ୟୁଜିଲ୍ୟାଣ୍ଡ୍‌, ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ଟିମ୍ ମଧ୍ୟ ଏହି ୫୦ଓଭର ବିଶିଷ୍ଟ ବିଶ୍ୱକପରେ ସ୍ଥାନ ପକ୍କା କରିଛନ୍ତି। ଆଇସିସି ମହିଳା ବିଶ୍ୱକପ୍ ଆସନ୍ତାବର୍ଷ ଫେବୃଆରୀ ୬ରୁ ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ।

ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଖେଳିବା ଭାରତୀୟ ଟିମକୁ ସରକାର ଅନୁମତି ପ୍ରଦାନ କରିଥିଲେ। ଭାରତ ଓ ପାକିସ୍ତାନ ମଧ୍ୟରେ ଏହି ମ୍ୟାଚ୍ ଗତବର୍ଷ ଜୁଲାଇ ଏବଂ ନଭେମ୍ବର ମଧ୍ୟରେ ଖେଳାଯିବାକୁ ଥିଲା। କିନ୍ତୁ ଏହା ସରକାରଙ୍କ ମଞ୍ଜୁରୀ ମିଳିବା ଉପରେ ନିର୍ଭର ଥିଲା। ଦୁଇ ଟିମ୍ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ସିରିଜ୍ ବାତିଲ୍ ହେବା ଦ୍ୱାରା ପଏଣ୍ଟ ଭାଗ କରାଯାଇଛି।

ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ପକ୍ଷରୁ କୁହାଯାଇଛି, ଭାରତ ଓ ପାକିସ୍ତାନ ମଧ୍ୟରେ ସିରିଜ୍ ସମ୍ବନ୍ଧରେ ଟେକନିକ୍ କମିଟି ନିଷ୍ପତ୍ତି ନେଇଛି ଯେ କିଛି ବିଶେଷ କାରଣ ଯୋଗୁ ସିରିଜ୍ ଖେଳାଯାଇପାରିବ ନାହିଁ। କାରଣ ବିସିସିଆଇ (ଭାରତୀୟ କ୍ରିକେଟ୍ ବୋର୍ଡ) କହିଛି ଯେ ପାକିସ୍ତାନ ବିପକ୍ଷ ଦ୍ୱିପାକ୍ଷିକ ସିରିଜ୍ ଖେଳିବାକୁ ସରକାର ଅନୁମତି ପ୍ରଦାନ କରୁନାହାନ୍ତି। ଏହି ସିରିଜ୍ ଆଇସିସି ମହିଳା ଚାମ୍ପିୟନଶିପର ଅଂଶବିଶେଷ। ଭାରତ ଓ ପାକିସ୍ତାନ ମଧ୍ୟରେ ସିରିଜ୍ ପ୍ରତିଯୋଗିତାର ଷଷ୍ଠ ରାଉଣ୍ଡରେ ସାମିଲ୍ ଥିଲା, ଯାହାର ଆୟୋଜନ ୨୦୧୯ ଜୁଲାଇ ଓ ନଭେମ୍ବର ଭିତରେ ହେବାର ଥିଲା, କିନ୍ତୁ ଉଭୟ ବୋର୍ଡର ପ୍ରୟାସ ସତ୍ତ୍ୱେ ଏହି ସିରିଜ୍ ସମ୍ଭବ ହୋଇପାରିଲା ନାହିଁ। ଏହାର ଅର୍ଥ ୨୦୧୭ ସଂସ୍କରଣରେ ରନର୍ସଅପ୍ ରହିଥିବା ଭାରତ ନ୍ୟୁଜିଲ୍ୟାଣ୍ଡରେ ୨୦୨୧ରେ ହେବାକୁଥିବା ବିଶ୍ୱକପ୍ ପାଇଁ କ୍ୱାଲିଫାଏ କରିନେଇଛି।

ଆହୁରି ପଢ଼ନ୍ତୁ

ଆଇସିସି ମହିଳା ଚାମ୍ପିୟନଶିପରେ ୨୦୧୭ରୁ ୨୦୨୦ ମଧ୍ୟରେ ସମସ୍ତ ୮ଟି ଯାକ ଟିମ୍ ପରସ୍ପର ବିରୋଧରେ ୩ଟି ଲେଖାଏ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳିଛନ୍ତି। ଆୟୋଜକ ନ୍ୟୁଜିଲ୍ୟାଣ୍ଡ୍ ଓ ତାଲିକାର ଶୀର୍ଷରେ ଥିବା ପରବର୍ତ୍ତୀ ଚାରୋଟି ଟିମ୍ ଏହି ଟୁର୍ଣ୍ଣାମେଣ୍ଟକୁ ସିଧାସଳଖ କ୍ୱାଲିଫାଏ କରିଛନ୍ତି। ଅଷ୍ଟ୍ରେଲିଆ (୩୭ ପଏଣ୍ଟ), ଇଂଲଣ୍ଡ (୨୯ ପଏଣ୍ଟ), ଦକ୍ଷିଣ ଆଫ୍ରିକା (୨୫ ପଏଣ୍ଟ) ଓ ଭାରତ (୨୩ ପଏଣ୍ଟ) ଶୀର୍ଷ-୪ରେ ସ୍ଥାନ ହାସଲ କରିଥିବାରୁ କ୍ୱାଲିଫାଏ କରିଛନ୍ତି। ପାକିସ୍ତାନ (୧୯ ପଏଣ୍ଟ), ନ୍ୟୁଜିଲ୍ୟାଣ୍ଡ୍ (୧୭ ପଏଣ୍ଟ), ୱେଷ୍ଟଇଣ୍ଡିଜ୍ (୧୩) ଓ ଶ୍ରୀଲଙ୍କା (୫ ପଏଣ୍ଟ) ଯଥାକ୍ରମେ ପଞ୍ଚମରୁ ଅଷ୍ଟମ ସ୍ଥାନରେ ରହିଛନ୍ତି।

ଭାରତ ଆଇସିସି ମହିଳା ଚାମ୍ପିୟନଶିପରେ ଖେଳିଥିବା ୨୧ଟି ମ୍ୟାଚରୁ ୧୦ ବିଜୟ ଏବଂ ୮ ପରାଜୟବରଣ କରିଛି। ମିତାଲୀ ରାଜଙ୍କ ନେତୃତ୍ୱରେ ଭାରତ ତା’ର ଶେଷ ମ୍ୟାଚ୍ ଗତବର୍ଷ ନଭେମ୍ବରରେ ଖେଳିଥିଲା। ଭାରତୀୟ ମହିଳା ଟିମ୍ ତା’ର ଶେଷ ସିରିଜରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୨-୧ରେ ବିଜୟ ହାସଲ କରିଥିଲା।

ସୂଚନାଯୋଗ୍ୟ, କୋଭିଡ୍‌-୧୯ ମହାମାରୀ ଯୋଗୁ ଅନ୍ୟ ରାଉଣ୍ଡ ମ୍ୟାଚକୁ ବାତିଲ୍ କରିବାକୁ ପଡ଼ିଛି। ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ୍ ଓ ଶ୍ରୀଲଙ୍କା ମଧ୍ୟରେ ସିରିଜ୍ ଖେଳାଯିବାକୁ ଥିଲା। ଯେହେତୁ ଏହି ସିରିଜ୍ ବାତିଲ୍ ହୋଇଛି, ତେଣୁ ସବୁ ଦଳକୁ ସମାନ ପଏଣ୍ଟ ପ୍ରଦାନ କରାଯାଇଛି। ବିଶ୍ୱକପ୍ କ୍ୱାଲିଫାୟର୍ ଚଳିତ ବର୍ଷ ଜୁଲାଇ ୩ରୁ ୧୯ ତାରିଖ ପର୍ଯ୍ୟନ୍ତ ଶ୍ରୀଲଙ୍କାରେ ଖେଳାଯିବ, କିନ୍ତୁ ଏବେ କରୋନାଭାଇରସର ସ୍ଥିତି ଉପରେ ସବୁକିଛି ନିର୍ଭର କରୁଛି। କ୍ୱାଲିଫାୟରରେ ବାକି ତିନୋଟି ସ୍ଥାନ ପାଇଁ ୧୦ ଟିମ୍ ପରସ୍ପର ବିରୋଧରେ ଲଢ଼ିବେ। ଶ୍ରୀଲଙ୍କା, ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ୍ ବ୍ୟତୀତ ଦିନିକିଆ ମାନ୍ୟତା ପାଇଥିବା ବାଂଲାଦେଶ ଓ ଆୟର୍ଲ୍ୟାଣ୍ଡ୍ ତଥା ରିଜିଓନାଲ୍ କ୍ୱାଲିଫାୟରର ବିଜେତା ଥାଇଲ୍ୟାଣ୍ଡ୍ (ଏସିଆ), ଜିମ୍ବାୱେ (ଆଫ୍ରିକା), ପପୁଆ ନ୍ୟୁ ଗିନୀ (ପୂର୍ବ ଏସିଆ ପ୍ୟାସିଫିକ୍‌), ଆମେରିକା, ନେଦରଲ୍ୟାଣ୍ଡ୍ (ୟୁରୋପ୍‌) ଭାଗ ନେବେ।



[ad_2]

Show More
Back to top button