୨୪ ଘଣ୍ଟାରେ ସର୍ବାଧିକ କରୋନା ଆକ୍ରାନ୍ତ ସୁସ୍ଥ


ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨,୦୦୦ ଟପିଛି। ସୋମବାର ଅପରାହ୍ନରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୨,୫୩୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୭୨ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨ ହଜାର ୫୫୩ ଛୁଇଁଛି। ସେହିପରି ମୃତକଙ୍କ ସଂଖ୍ୟା ୧,୩୭୩ ଛୁଇଁଛି। ଏବେ ଦେଶରେ ୨୯, ୪୫୩ ଜଣ କରୋନା ସଂକ୍ରମିତ ଚିକିତ୍ସାଧୀନ ରହିଛନ୍ତି।
ସେହିପରି ପୂର୍ବ ଅପେକ୍ଷା ଗୋଟିଏ ଦିନରେ ସର୍ବାଧିକ ଆରୋଗ୍ୟ ହୋଇଛନ୍ତି। ଏଯାବତ ୧୨ ହଜାର ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗତ ୨୪ ଘଣ୍ଟା ଭିତରେ ଦେଶରେ ସର୍ବାଧିକ ୧ ହଜାର ୭୪ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ କରୋନାର ଆରୋଗ୍ୟ ହାର ୨୭ ଦଶମିକ ୫୨କୁ ବୃଦ୍ଧି ପାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ୱାଲ।
ଆହୁରି ପଢ଼ନ୍ତୁ
ଅନ୍ୟପକ୍ଷରେ କରୋନା ପରୀକ୍ଷା ଆଗ ଅପେକ୍ଷା ଅଧିକ ହୋଇଛି ବୋଲି ଆଇସିଏମଆର କହିଛି। ଏବେ ୭୦, ୦୦୦ କରୋନା ପରୀକ୍ଷା ଗୋଟିଏ ଦିନରେ ହେଉଛି। ଶନିବାର ସଂଧ୍ୟା ସୁଦ୍ଧା ୧୦, ୪୦,୦୦ କରୋନା ପରୀକ୍ଷା ହୋଇଛି ବୋଲି ଆଇସିଏମଆର କହିଛି। ମାର୍ଚ୍ଚ ୨୪ରେ ପ୍ରଥମ ପର୍ଯ୍ୟାୟ ଲକଡାଉନ୍ ହେବା ବେଳେ ଦେଶର ଗୋଟିଏ ଦିନରେ ୧୪,୦୦୦ କରୋନା ପରୀକ୍ଷା ହେଉଥିଲା। ଏବେ କିନ୍ତୁ ୭୦, ୦୦୦ କରୋନା ପରୀକ୍ଷା ହେଉଛି।
.ମହାରାଷ୍ଟ୍ରରେ ୧୨ ହଜାର ୯୭୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଠାରେ ମୃତ୍ୟୁ ସଂଖ୍ୟା ୫୪୮ ଛୁଇଁଛି। ସେହିଭଳି ଗୁଜରାଟରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୪୨୮ ପହଞ୍ଚିଥିବା ବେଳେ ମୃତକଙ୍କ ସଂଖ୍ୟା ୨୯୦କୁ ବଢ଼ିଛି। ୪ ହଜାର ୫୪୯ ଆକ୍ରାନ୍ତଙ୍କ ସହ ଦିଲ୍ଲୀ ତୃତୀୟ ଓ ୨ ହଜାର ୯୪୨ ଆକ୍ରାନ୍ତଙ୍କ ସହ ମଧ୍ୟପ୍ରଦେଶ ଚତୁର୍ଥ ସ୍ଥାନରେ ରହିଛି।






