ଶ୍ରୀନଗର: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ ଅଟକ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଶେଷରେ ଛାଡ଼ ପାଇଛନ୍ତି। ଆଜି ମଧ୍ୟାହ୍ନରେ ଜମ୍ମୁ-କଶ୍ମୀର ପ୍ରଶାସନ ତାଙ୍କୁ ମୁକ୍ତ କରିଛି। ଅଟକ ଦଣ୍ଡରୁ ମୁକୁଳିବା ପରେ ଓମାର ପ୍ରଥମ ଟ୍ୱିଟ କରିଛନ୍ତି। ଏଥିରେ ସେ କହିଛନ୍ତି, “ଆଜି ଏକ ଭିନ୍ନ ପୃଥିବୀ ଦେଖିବାକୁ ପାଇଛି।”
ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ। ସେବେଠାରୁ ଓମାରଙ୍କ ସମେତ ପିଡିପି ମୁଖ୍ୟ ମେହେବୁବା ମୁଫତି ଓ ଅନ୍ୟ ରାଜନେତାମାନଙ୍କୁ ପ୍ରଶାସନ ଅଟକ ରଖିଥିଲା। ଓମାର ଆଜି ମୁକୁଳିଥିଲେ ହେଁ ମେହେବୁବା କେବେ ମୁକୁଳିବେ, ତାହା ଜଣାପଡ଼ିନାହିଁ। ସେହିପରି ଓମାରଙ୍କ ବାପା ଫାରୁକ ଅବଦୁଲ୍ଲାଙ୍କୁ ପ୍ରଶାସନ କିଛି ଦିନ ତଳେ ଛାଡ଼ିଥିଲା।
ଆହୁରି ପଢ଼ନ୍ତୁ
ଓମାର ଟ୍ୱିଟର କରି କହିଛନ୍ତି, “ଦୀର୍ଘ ୨୩୨ ଦିନ ଅଟକ ରହିବା ପରେ ଶେଷରେ ମୁଁ ଆଜି ହରି ନିବାସ ଛାଡ଼ିଛି। ୨୦୧୯ ଅଗଷ୍ଟ ୫ ପରେ ଏକ ନୂଆ ଓ ଭିନ୍ନ ପୃଥିବୀ ମୁଁ ଦେଖିବାକୁ ପାଇଛି।” ମାର୍ଚ୍ଚ ୧୦ରେ ଓମାର ୫୦ ବର୍ଷ ବୟସରେ ପାଦ ଥାପିଥିଲେ। ତାଙ୍କୁ ଶ୍ରୀନଗର ସ୍ଥିତ ତାଙ୍କ ଅଫିସିଆଲ ବାସଭବନ ନିକଟ ହରି ନିବାସ ଗେଷ୍ଟ ହାରସରେ ଅଟକ ରଖାଯାଇଥିଲା।
ଆଜି ସେ ଲମ୍ବା ଦାଢ଼ି ସହ ଉକ୍ତ ଗେଷ୍ଟ ହାଉସରୁ ବାହାରିଛନ୍ତି। ତାଙ୍କୁ ଅଟକ ରଖାଯାଇଥିବାରୁ ସେ ପ୍ରତିବାଦ ସ୍ୱରୂପ ଦାଢ଼ି କାଟି ନଥିଲେ। ଫଳରେ ଆଜି ସେ ଏକ ଭିନ୍ନ ଅବତାରରେ ସାମ୍ନାକୁ ଆସିଛନ୍ତି। ମୁକ୍ତ ହେବା ପରେ ଗଣମାଧ୍ୟମକୁ କହିଛନ୍ତି, “ଆଜି ମୁଁ ଭାବୁଛି ଯେ ଆମେ ଜୀବନ ଓ ମୃତ୍ୟୁ ପାଇଁ ଯୁଦ୍ଧ କରୁଛେ। ଏହି ସମୟରେ ଅଟକ ଥିବା ସମସ୍ତ ଲୋକଙ୍କୁ ପ୍ରଶାସନ ଛାଡ଼ିବା ଦରକାର। କରୋନା ଭାଇରସ ବିରୋଧରେ ଲଢ଼େଇ କରିବାକୁ ହେଲେ ଆମ ସମସ୍ତଙ୍କୁ ସରକାରଙ୍କ ଧାର୍ଯ୍ୟ ନିୟମକୁ ପାଳନ କରିବାକୁ ପଡ଼ିବ। ଅନେକ କିଛି ଘଟିଛି। ହେଲେ ବର୍ତ୍ତମାନ କରୋନା ଭାଇରସ ହିଁ ସବୁଠାରୁ ବଡ଼ ପ୍ରସଙ୍ଗ।”
ଅଟକ ଦଣ୍ଡରୁ ମୁକ୍ତି ପାଇବା ପରେ ଓମାର ତାଙ୍କ ବାପା ଫାରୁକ ଅବଦୁଲ୍ଲା ଓ ମା’ଙ୍କ ସହ ଲଞ୍ଚ କରିଥିଲେ।