୨୦୧୧ ବିଶ୍ୱକପ ଫିକ୍ସିଂ ହୋଇଥିଲା କି? ସାଙ୍ଗାକାରାଙ୍କୁ ୧୦ ଘଣ୍ଟା ଜେରା


କଲମ୍ବୋ: ଦୀର୍ଘ ୨୮ ବର୍ଷ ପରେ ଟିମ ଇଣ୍ଡିଆ ୨୦୧୧ରେ ଶ୍ରୀଲଙ୍କାକୁ ହରାଇ ବିଶ୍ୱକପ ଜିତିଥିଲା। ତେବେ ଏହି ବିଶ୍ୱକପରେ ଶ୍ରୀଲଙ୍କା ଟିମ୍ ଫିକ୍ସିଂ କରି ପରାସ୍ତ ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଶ୍ରୀଲଙ୍କାରେ ହଇଚଇ ସୃଷ୍ଟି ହେବା ପରେ ତଦନ୍ତ ଆରମ୍ଭ ହୋଇଛି।
ଏହିକ୍ରମରେ ଆଜି ତତ୍କାଳୀନ ଶ୍ରୀଲଙ୍କା ଟିମ୍ର ଅଧିନାୟକ କୁମାର ସାଙ୍ଗାକାରା ତଦନ୍ତକାରୀ ଅଧିକାରୀଙ୍କ ଆଗରେ ହାଜର ହୋଇଥିଲେ। ତଦନ୍ତକାରୀ ସଂସ୍ଥା ପକ୍ଷରୁ ତାଙ୍କୁ ପ୍ରାୟ ୧୦ ଘଣ୍ଟାକାଳ ଜେରା କରାଯାଇଛି। ସ୍ପେଶାଲ ଇନଭେଷ୍ଟିଗେସନ ୟୁନିଟ ନିକଟରେ ବୟାନ ରଖିବାର ପରେ ସାଙ୍ଗାକାରା କହିଛନ୍ତି, “ମୁଁ ଏଠାକୁ ମୋର ବୟାନ ଦେବାକୁ ଆସିଥିଲି। କାରଣ ଏହାର ମୋର ଦାୟିତ୍ୱ। ସେହିପରି କ୍ରିକେଟ ପ୍ରତି ଥିବା ମୋ ସମ୍ମାନ ପାଇଁ ମୁଁ ଏଠାକୁ ଆସିଛି।
ମୋର ଆଶା ତଦନ୍ତ ଶେଷ ହେବା ପରେ ପୂରା ସତ ସାମ୍ନାକୁ ଆସିବ। ସେହିପରି ପୂର୍ବତନ କ୍ରୀଡ଼ା ମନ୍ତ୍ରୀ ମହିଦାନନ୍ଦ ଅଲୁଥଗମାଗେ କରିଥିବା ଅଭିଯୋଗର ବି ପର୍ଦ୍ଦାଫାସ ହେବ।”
ତଦନ୍ତକାରୀ ସଂସ୍ଥା ତାଙ୍କୁ କେଉଁ ବିଷୟରେ ଓ କ’ଣ କ’ଣ ପ୍ରଶ୍ନ କରିଛନ୍ତି ସେ ବିଷୟରେ ସାଙ୍ଗାକାରା କିଛି ବି କହିନାହାନ୍ତି। ଆସନ୍ତାକାଲି ଫାଇନାଲ ମ୍ୟାଚ୍ରେ ଶତକ ହାସଲ କରିଥିବା ମାହେଲା ଜୟବର୍ଦ୍ଧନେ ତଦନ୍ତକାରୀ ସଂସ୍ଥା ନିକଟରେ ହାଜର ହେବେ। ଗତକାଲି ଦଳର ଓପନର ଉପୁଲ ଥରଙ୍ଗାଙ୍କୁ ତଦନ୍ତକାରୀ ସଂସ୍ଥା ଜେରା କରିଥିଲା। ସେ ଫାଇନାଲ ମ୍ୟାଚ୍ରେ ୨୦ଟି ବଲ ଖେଳି ୨ ରନ୍ କରିଥିଲେ। ଦଳର ମୁଖ୍ୟ ଚୟନକର୍ତ୍ତା ଅରବିନ୍ଦ ଡି ସିଲଭାଙ୍କୁ ବି ୬ ଘଣ୍ଟା ଧରି ଜେରା କରାଯାଇଥିଲା।
ଆହୁରି ପଢ଼ନ୍ତୁ
ଦେଶର ପୂର୍ବତନ କ୍ରୀଡ଼ା ମନ୍ତ୍ରୀ ମହିନନ୍ଦାନନ୍ଦ ଅଲୁଥଗମାଗେ ନିକଟରେ ଫିକ୍ସିଂ ଅଭିଯୋଗ ଆଣିଥିଲେ। ସେ କହିଥିଲେ, ୨୦୧୧ ବିଶ୍ୱକପରେ ଜାତୀୟ ଟିମ୍(ଶ୍ରୀଲଙ୍କା) ଭାରତ ଠାରୁ କିଛି ଲୋକଙ୍କ ଫିକ୍ସିଂ ଯୋଗୁ ପରାସ୍ତ ହୋଇଥିଲା। ବର୍ତ୍ତମାନର କ୍ରୀଡ଼ା ମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେବା ପରେ କ୍ରୀଡ଼ା ସଚିବ ମନ୍ତ୍ରଣାଳୟର ତଦନ୍ତକାରୀ ୟୁନିଟ୍ ନିକଟରେ ବିଧିବଦ୍ଧ ଭାବେ ଅଭିଯୋଗ କରି ତଦନ୍ତ ପାଇଁ କହିଥିଲେ।
ଅଲୁଥଗମାଗେ ଏକ ଟିଭ ଚ୍ୟାନେଲକୁ ସାକ୍ଷାତକାର ଦେଇ ଫିକ୍ସିଂ ଅଭିଯୋଗ ଆଣିଥିଲେ। ବିଶେଷ କରି ସେ ପୂର୍ବତନ ଅଧିନାୟକ କୁମାର ସାଙ୍ଗାକାରା ଓ ମାହେଲା ଜୟବର୍ଦ୍ଧେନଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ। ସେ କହିଥିଲେ, “ଆଜି ମୁଁ କହିବାକୁ ଚାହୁଁଛେ ଯେ ୨୦୧୧ରେ ଆମେ ବିଶ୍ୱକପକୁ ଆମେ ବିକ୍ରି କରିଦେଇଥିଲୁ।
ଏହି ସମୟରେ ମୁଁ କ୍ରୀଡ଼ା ମନ୍ତ୍ରୀ ଥିଲି। ସତେବେଳେ ବି ମୁଁ ଏହି କଥା କହିଥିଲି। ତେବେ ଦେଶର ମନ୍ତ୍ରୀ ହିସାବରେ ଏକଥା ମୋର କହିବାର ନଥିଲା। ମୁଁ ବି ଘୋଷଣା କରିବାକୁ ଚାହୁଁ ନଥିଲି। ମୋର ପ୍ରକୃତରେ ମନେ ପଡ଼ୁନି ଯେ ଏହା ୨୦୧୧ ଥିଲା କି ୨୦୧୨। କିନ୍ତୁ ଆମେ ନିଶ୍ଚିତ ଭାବେ ଉକ୍ତ ମ୍ୟାଚ୍ରେ ବିଜୟୀ ହୋଇଥାଆନ୍ତୁ। କିଛି ନିର୍ଦ୍ଦିଷ୍ଟ ପାର୍ଟି ଫିକ୍ସିଂ କରିଥିଲେ। ଯେଉଁଥିପାଇଁ ଆମକୁ ବିଶ୍ୱକପ ମିଳି ନଥିଲା। ”
ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ଭାରତ ଆଗରେ ୨୭୫ ରନ୍ର ଟାର୍ଗେଟ ରଖିଥିଲେ। ଗୌତମ ଗମ୍ଭୀରଙ୍କ ୯୭ ଓ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଅପରାଜିତ ୯୧ ରନ୍ ବଳରେ ଭାରତ ମ୍ୟାଚ୍ ଜିତି ବିଶ୍ୱ ବିଜେତା ହୋଇଥିଲା। ଏହି ଫାଇନାଲ ମ୍ୟାଚ୍ ଦେଖିବାକୁ ଅଲୁଥଗମାଗେ ଓ ତତ୍କାଳୀନ ଶ୍ରୀଲଙ୍କାର ରାଷ୍ଟ୍ରପତି ମହିନ୍ଦା ରାଜପାକ୍ଷେଙ୍କୁ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମକୁ ନିମନ୍ତ୍ରଣ କରାଯାଇଥିଲା।
ଆହୁରି ପଢ଼ନ୍ତୁ
[ad_2]