ନ୍ୟୁଜ୍ରାଜନୀତିରାଜ୍ୟ

୨୦ରେ ଅନୁଗୋଳ-ଢେଙ୍କାନାଳ ଓ ୨୨ରେ କନ୍ଧମାଳ ଯିବେ ମୁଖ୍ୟମନ୍ତ୍ରୀ

ସତ୍ୟଶିଖା(ଭୁବନେଶ୍ୱର) ୧୭.୧୧.୨୦୨୧: ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ସ୍ୱାସ୍ଥ୍ୟ କଳ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ ଆଳରେ ବିଭିନ୍ନ ଜିଲ୍ଲା ଗସ୍ତ କରୁଥିବା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୦ ତାରିଖରେ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବାଣ୍ଟିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆସନ୍ତା ୨୦ତାରିଖରେ ଅନୁଗୁଳ ଓ ଢେଙ୍କାନାଳ ଦୁଇଟି ଜିଲ୍ଲାକୁ ଗସ୍ତ କରିବେ। ସେହିପରି ୨୨ତାରିଖରେ କନ୍ଧମାଳ ଜିଲ୍ଲାକୁ ଯିବେ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି। ଆସନ୍ତା ଡିସେମ୍ବର ପହିଲାରୁ ବିଧାନସଭା ଅଧିବେଶନ ଆରମ୍ଭ ହେଉଥିବାରୁ ଚଳିତ ମାସ ଶେଷ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମକୁ ସାରିବା ନିମନ୍ତେ ବିଜେଡି ରଣନୀତି ପ୍ରସ୍ତୁତ କରିଛି । ତା’ଛଡ଼ା ଡିସେମ୍ବର ମାସ ଶେଷ ସୁଦ୍ଧା ରାଜ୍ୟରେ ପଂଚାୟତ ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହେବାର ସମ୍ଭାବନା ମଧ୍ୟ ରହିଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ସରକାରୀ ଭାବେ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମରୁ ବିଜେଡି ରାଜନୀତିକ ଫାଇଦା ନେଇ ନିଜର ସଂଗଠନକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି।

Show More
Back to top button