ନ୍ୟୁଜ୍ରାଜନୀତିରାଜ୍ୟ

୧୮ରେ ରାଷ୍ଟ୍ରପତି ନିର୍ବାଚନ: ବିଧାନସଭା ଭୋଟ୍ କେନ୍ଦ୍ର ର ସ୍ଥିତି ପରଖିଲେ ସିଇଓ

ସତ୍ୟଶିଖା( ଭୁବନେଶ୍ୱର )୧୫.୦୭ . ୨୦୨୨:  ରାଷ୍ଟ୍ରପତି ନିର୍ବାଚନ-୨୦୨୨ ଆସନ୍ତା ଜୁଲାଇ ୧୮ରେ ହେବ । ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ଭୋଟ୍ ଦାନ ପାଇଁ ପୂର୍ବାହ୍ନ ୧୦ରୁ ଅପରାହ୍ନ ୫ ଯାଏ ସମୟ ଧାର୍ଯ୍ୟ କରିଛନ୍ତି । ଓଡ଼ିଶା ବିଧାନସଭାର ପ୍ରକୋଷ୍ଠ ନମ୍ବର-୫୪ରେ ଭୋଟର୍‌ମାନେ ମତଦାନ ସାବ୍ୟସ୍ତ କରିବେ । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ବିଧାନସଭା ଯାଇ ସ୍ଥିତି ପରଖିଛନ୍ତି । ଗୁରୁବାର ଅପରାହ୍ନରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ବିଧାନସଭା ପରିଦର୍ଶନ କରିଛନ୍ତି । ଆସନ୍ତା ୧୮ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ କାର୍ଯ୍ୟର ସମୀକ୍ଷା ସହ ବିଧାନସଭା ଗୃହର ୫୪ ନଂ ପ୍ରକୋଷ୍ଠରେ ହୋଇଥିବା ଭୋଟିଂ କମ୍ପାଟ୍‌ମେଣ୍ଟ ଓ ଭୋଟର୍‌ଙ୍କ ପ୍ରତୀକ୍ଷା କକ୍ଷ, ଗଣମାଧ୍ୟମ ପ୍ରତିନିଧିଙ୍କ ଖବର ସଂଗ୍ରହ ସ୍ଥାନ ପରିଦର୍ଶନ କରିଥିଲେ ।

ରାଷ୍ଟ୍ରପତି ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବା ପୁଲିଙ୍ଗ୍ ଅଧିକାରୀ, ସୁରକ୍ଷା ଅଧିକାରୀ ଓ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବା ସମସ୍ତ କର୍ମଚାରୀଙ୍କ ସହ ଆଲୋଚନା କରି ଶାନ୍ତିଶୃଙ୍ଖଳା ସହିତ ନିର୍ବାଚନ କାର୍ଯ୍ୟ ପରିଚାଳନା କରିବାକୁ ସେ ପରାମର୍ଶ ଦେଇଥିଲେ । ରାଷ୍ଟ୍ରପତି ନିର୍ବାଚନରେ ଭୋଟରମାନେ ଯେପରି ସୁରୁଖୁରୁରେ ମତଦାନ କରିପାରିବେ ସେ ନେଇ ସେ ପ୍ରତ୍ୟେକ ପୁଲିଙ୍ଗ ଅଧିକାରୀଙ୍କର କାର୍ଯ୍ୟ ସଂପର୍କରେ ଅବଗତ କରାଇଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ ରିଟର୍ଣ୍ଣିଂ ଅଧିକାରୀ ଆର୍ ରଘୁରାମ ଆୟାର ଓ ଗଙ୍ଗାଧର ମଲ୍ଲିକ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ, ସମସ୍ତ ପୁଲିଙ୍ଗ ଅଧିକାରୀ, ବିଧାନସଭା ସୁରକ୍ଷା ଅଧିକାରୀ ଗୋପାଳ କୃଷ୍ଣ ବେହେରା, ଅତିରିକ୍ତ ଏସ୍‌ପି, ସହକାରୀ ମାର୍ଶାଲଙ୍କ ସହ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।

ଗତ ମଙ୍ଗଳବାର ରାତିରେ ନୂଆଦିଲ୍ଲୀରୁ ଭୋଟ୍ ବାକ୍ସ ଓ ଅନ୍ୟାନ୍ୟ ସାମଗ୍ରୀସବୁ ଆସି ପହଞ୍ଚିଛି । ଭୋଟ୍ ବାକ୍ସଗୁଡ଼ିକୁ ବିଧାନସଭାରେ ସୁରକ୍ଷିତ ସ୍ଥାନରେ ରଖାଯାଇଛି । ଏଥର ଦୁଇ ଜଣ ପ୍ରାର୍ଥୀ ରାଷ୍ଟ୍ରପତି ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି । ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିଲାବେଳେ ‘ଉପା’ର ପ୍ରାର୍ଥୀ ଭାବେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଯଶୋବନ୍ତ ସିହ୍ନା ଛିଡ଼ା ହୋଇଛନ୍ତି । ତେବେ ସଂଖ୍ୟା ଗଣିତ ଦୃଷ୍ଟିରୁ ଶ୍ରୀମତୀ ମୁର୍ମୁଙ୍କ ପଲ୍ଲା ଭାରି ରହିଛି । ସେ ହେବେ ଦେଶର ଷୋହଳତମ ରାଷ୍ଟ୍ରପତି ।

Show More
Back to top button