ହାଇଆଲର୍ଟରେ ୩ ସେନା, ସୀମାରେ ରାସ୍ତା କାମ ଜୋରଦାର କରିବାକୁ ଭାରତର ଘୋଷଣା


ନୂଆଦିଲ୍ଲୀ: ଲଦାଖର ଗଲୱାନ ହିଂସା ପରେ ଏବେ ଭାରତ ଓ ଚାଇନା ମଧ୍ୟରେ ତିକ୍ତତା ଆହୁରି ବଢ଼ି ଯାଇଛି। ସ୍ଥିତି ବିଗିଡ଼ିବାରୁ ଲଦାଖ ସୀମାକୁ ଅଧିକ ସଂଖ୍ୟକ ଯବାନ ପଠାଯାଇଛି। ସେହିପରି ୩ ସେନା ବାହିନୀକୁ ହାଇଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସ୍ଥଳ ସେନା, ନୌସେନା ଓ ବାୟୁସେନାକୁ ସବୁ ପ୍ରକାରର ସ୍ଥିତିର ସାମ୍ନାକୁ କରିବା ପାଇଁ ପ୍ରସ୍ତୁତ ରହିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଚାଇନା ସହ ଲାଗିଥିବା ପ୍ରାୟ ୩ ହଜାର ୫ଶହ କିମି ସୀମାକୁ ଭାରତୀୟ ସ୍ଥଳସେନା ଓ ବାୟୁସେନା ଜଗି ରହିଛି।
ଗଲୱାନ ସଂଘର୍ଷ ପରେ ସେମାନଙ୍କୁ ହାଇଆଲର୍ଟ ଜାରି କରାଯାଇଛି। ସେହିପରି ଇଣ୍ଡିଆନ ଓସେନ ଅଞ୍ଚଳରେ ଚାଇନା ସର୍ବଦା ଚକର ମାରୁଥିବାରୁ ନୌସେନାକୁ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି।
ଆହୁରି ପଢ଼ନ୍ତୁ
ସୋମବାର ରାତିର ସଂଘର୍ଷ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସିଡିଏସ ବିପିନ ରାୱତ ଓ ୩ ସେନା ମୁଖ୍ୟଙ୍କ ସହ ଘନଘନ ବୈଠକ କରିଥିଲେ। ଗତକାଲି ଓ ଆଜି ଦୁଇ ଦିନ ବୈଠକ କରିବା ପରେ ସେନା ବାହିନୀକୁ ହାଇଆଲର୍ଟ ଜାରି କରାଯାଇଛି।
ଅନ୍ୟପକ୍ଷରେ ଯେଉଁ ରାସ୍ତାକାମ ପାଇଁ ଚାଇନା ଭାରତକୁ ବିରୋଧ କରୁଥିଲା ପୂର୍ବଭଳି ସେଗୁଡ଼ିକ ଚାଲୁ ରଖିବାକୁ ନୂଆଦିଲ୍ଲୀ ପକ୍ଷରୁ ଆଜି ଘୋଷଣା କରାଯାଇଛି। ବର୍ଡର ମ୍ୟାନେଜମେଣ୍ଟ ଏଜେନ୍ସି ଓ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମଧ୍ୟରେ ଅନୁଷ୍ଠିତ ବୈଠକ ପରେ ଏଭଳି ଘୋଷଣା କରାଯାଇଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପୂର୍ବାପେକ୍ଷା ଏବେ ଦ୍ରୁତଗତିରେ ସୀମାରେ ରାସ୍ତାକାମ ଓ ଅନ୍ୟାନ୍ୟ ଭିତ୍ତିଭୂମି କାମ ଜାରି ରଖିବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ସୀମାରେ ରାସ୍ତା କାମକୁ ନେଇ ଆଜି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସହ ହୋଇଥିବା ବୈଠକରେ ବର୍ଡର ରୋଡ୍ସ ଅର୍ଗାନାଇଜେସନ, ଆଇଟିବିପି, ଆର୍ମି ଓ ସିପିଡବ୍ଲ୍ୟୁଡିର ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଫେଜ-୨ରେ ଭାରତ ସରକାର ଚାଇନା ସୀମାରେ ୩୨ଟି ରାସ୍ତା ନିର୍ମାଣ କରିବାକୁ ଯୋଜନା କରିଛନ୍ତି।