ହସ୍ପିଟାଲରେ ବେଡ ନିଅଣ୍ଟ ହେବାର ଆଶଙ୍କା କଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦେଶରେ ଲାଗୁ ହୋଇଥିବା ୪ର୍ଥ ପର୍ଯ୍ୟାୟ ଲକଡାଉନରେ ହିଁ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିଛି। ଏକଥାକୁ ନିଜେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସ୍ୱୀକାର କରିଛନ୍ତି। ତେବେ ସେ ଆଦୌ ଆତଙ୍କିତ ନ ହେବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ତେବେ ବର୍ଦ୍ଧିତ ରୋଗୀଙ୍କ ସଂଖ୍ୟା ଯୋଗୁ ହସ୍ପିଟାଲରେ ବେଡ୍‌ ସଂଖ୍ୟା ନିଅଣ୍ଟିଆ ପଡ଼ିପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି।

ସେ କହିଛନ୍ତି, ଆମେ ମାନୁଛୁ ଯେ ଦିଲ୍ଲୀରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ୁଛି। ମେ’୧୪ ପରେ କରୋନା ସଂକ୍ରମିତ ଖୁବ କମ ସମୟରେ ଦୁଇ ଗୁଣ ହେଉଛି।

ଆମେ ଏବେ ଦେଶର ୩ ପ୍ରଭାବିତ ରାଜ୍ୟ। କିନ୍ତୁ ବର୍ଦ୍ଧିତ ସଂକ୍ରମଣକୁ ଦେଖି ଆମେ ଆଦୌ ଆତଙ୍କିତ ହେବାନାହିଁ। ଯଦି ରୋଗୀଙ୍କ ମୃତ୍ୟୁସଂଖ୍ୟା ବଢ଼ିଲା ଓ ହସ୍ପିଟାଲରେ ବେଡ ସଂଖ୍ୟା ନିଅଣ୍ଟ ହେଲା, ତା’ହେଲେ ଆମେ କ’ଣ କରିବା? ଏହି ଦୁଇଟି କଥା ମୋତେ ଚିନ୍ତାରେ ପକାଇଛି। ସୋମବାର ଠାରୁ ଏକ ଆପ ଲଞ୍ଚ କରାଯିବ। ଏଥିରେ ହସ୍ପିଟାଲର ବେଡ ସଂଖ୍ୟା ଓ ଭେଣ୍ଟିଲେଟର ସମ୍ପର୍କରେ ଅପଡେଟ ଖବର ରହିବ।

ଆହୁରି ପଢ଼ନ୍ତୁ

ଦିଲ୍ଲୀରେ ସଂକ୍ରମଣ ବଢ଼ୁଥିଲେ ହେଁ ବହୁତ କମ ଲୋକଙ୍କୁ ହସ୍ପିଟାଲ ଆଣିବାକୁ ପଡ଼ୁଛି। ଏଯାଏ ଆକ୍ରାନ୍ତ ହୋଇଥିବା ୧୭ ହଜାର ଲୋକଙ୍କ ମଧ୍ୟରୁ କେବଳ ୨୧ଶହ ଲୋକଙ୍କୁ ହସ୍ପିଟାଲରେ ଚିକିତ୍ସା ନେବାର ଆବଶ୍ୟକତା ଦେଖାଦେଇଛି। ଅନ୍ୟମାନଙ୍କୁ ସେମାନଙ୍କ ଘରେ ହିଁ ସବୁ ସୁବିଧା ଯୋଗାଇ ଦିଆଯାଉଛି।

କରୋନା ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ ସ୍ଥାୟୀ ସମାଧାନ ନୁହେଁ। କରୋନା ଭାଇରସ ସହ ଆମକୁ ଆଗକୁ ବଢ଼ିବାକୁ ପଡ଼ିବ। ତେବେ ଏଥିପାଇଁ ଆମକୁ ଅଧିକ ସତର୍କ ରହିବାକୁ ହେବ। ଆମେ ବର୍ତ୍ତମାନ ସୁଦ୍ଧା ମଧ୍ୟ କରୋନା ଠାରୁ ୪ ପାଦେ ଆଗରେ ରହିଛୁ ବୋଲି ସେ କହିଛନ୍ତି।

ଆଜି ସୁଦ୍ଧା ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭ ହଜାର ଡେଇଁଥିବା ବେଳେ ପ୍ରାୟ ୪୦୦ ଲୋକଙ୍କ ଜୀବନ ଯାଇଛି।

[ad_2]
Exit mobile version