

ସତ୍ୟଶିଖା(ଭୁବନେଶ୍ୱର) ୩୦ .୧୧.୨୦୨୧: ଆସନ୍ତା ୨୦୨୩ରେ ଓଡ଼ିଶା ରାଜଧାନୀ ଭୁବନେଶ୍ୱର ଓ ରାଉରକେଲାରେ ମିଳିତ ଭାବେ ଆୟୋଜିତ ହେବ ଏଫ୍ଆଇଏଚ୍ ଓଡ଼ିଶା ପୁରୁଷ ବିଶ୍ୱକପ୍ । ଏହି ମହାକୁମ୍ଭ ସକାଶେ ସୋମବାର ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍ଆଇଏଚ୍) ପକ୍ଷରୁ ମ୍ୟାଚ୍ ଅଫିସିଆଲ୍ ତାଲିକା ଘୋଷଣା କରାଯାଇଛି । ଏହି ଘୋଷଣା ଅନୁସାରେ ସୋନିଆ ବାଠଲା ଟେକନିକାଲ୍ ଅଫିସର୍ ଭାବେ ନିଯୁକ୍ତି ପାଇଥିବା ବେଳେ କର୍ଣ୍ଣେଲ୍ ଡା. ବିଭୁ କଲ୍ୟାଣ ନାୟକ ମେଡିକାଲ୍ ଅଫିସର୍ ଦାୟିତ୍ୱ ତୁଲାଇବେ । ସେହିପରି ରଘୁ ପ୍ରସାଦ ଓ ଜାଭେଦ୍ ଶେଖ୍ ବିଶ୍ୱକପ୍ ମ୍ୟାଚ୍ଗୁଡ଼ିକରେ ଅମ୍ପାୟାର୍ ଭାବେ କାର୍ଯ୍ୟ କରିବେ । ମନୋନୀତ ହୋଇଥିବା ଅଫିସିଆଲଙ୍କ ମଧ୍ୟରେ ସୋନିଆ ଏକମାତ୍ର ମହିଳା ଭାବେ ରହିଛନ୍ତି । ସେ ଦିଲ୍ଲୀ ହକି ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ବେଳେ ୨୦୧୦ରୁ ଅଫିସିଆଲ୍ ଭାବେ କାର୍ଯ୍ୟ କରିଆସୁଛନ୍ତି ।
ତାଙ୍କୁ ବିଶ୍ୱକପ୍ ପରି ମର୍ଯ୍ୟାଦାଜନକ ଟୁର୍ଣ୍ଣାମେଣ୍ଟ୍ ପାଇଁ ଟେକନିକାଲ୍ ଅଫିସିଆଲ୍ ଭାବେ ନିଯୁକ୍ତି ମିଳିଥିବାରୁ ସେ ବେଶ୍ ଖୁସି ବୋଲି କହିଛନ୍ତି । ସେହିପରି ଡା. ନାୟକ ସ୍ପୋର୍ଟ୍ସ ଟ୍ରମାଲୋଜି ଓ ସ୍ପୋର୍ଟ୍ସ ଏବଂ ଏକ୍ସରସାଇଜ୍ ଫିଜିଓଲୋଜି ବିଶେଷଜ୍ଞ ଭାବେ ଜଣାଶୁଣା । ପୂର୍ବରୁ ସେ ଏଫ୍ଆଇଏଚ୍ ହେଲ୍ଥ ଓ ସେଫ୍ଟି କମିଟିର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିସାରିଛନ୍ତି ।
ସେ ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍ ଇଭେଣ୍ଟ୍ରେ ମେଡିକାଲ୍ ଅଫିସର୍ ଭାବେ କାର୍ଯ୍ୟ କରିବାର ସୁଯୋଗ ପାଇଥିବାରୁ ଏଥିପାଇଁ ଗର୍ବିତ ଅନୁଭବ କରୁଛନ୍ତି ବୋଲି ଡା. ନାୟକ କହିବା ସହ ଏଥିପାଇଁ ଏଫ୍ଆଇଏଚ୍ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେହିପରି ଜାଭେଦ୍ ଗତ ଟୋକିଓ ଅଲିମ୍ପିକ୍ସରେ ଅମ୍ପାୟାର୍ ଭାବେ କାର୍ଯ୍ୟ କରିଥିବା ବେଳେ ବେଙ୍ଗାଲୁରୁନିବାସୀ ରଘୁ ପ୍ରସାଦ ତାଙ୍କର ୧୬ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟର୍ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଏସିଆନ୍ ଗେମ୍ସ ଓ ତିନିଟି ବିଶ୍ୱକପ୍ ସହ ଟୋକିଓ ଅଲିମ୍ପିକ୍ସରେ ବି ମ୍ୟାଚ୍ ପରିଚାଳନାର ଅଭିଜ୍ଞତା ପାଇଛନ୍ତି । ସମସ୍ତ ଅଫିସିଆଲ୍ମାନଙ୍କୁ ହକି ଇଣ୍ଡିଆ ପକ୍ଷରୁ ସଭାପତି ଜ୍ଞାନେନ୍ଦ୍ରୋ ନିଗୋମ୍ବାମ୍ ଶୁଭେଚ୍ଛା ଜଣାଇଛନ୍ତି ।