ରାଜନୀତି

ଘର ଭିତରେ ରହି ବିଜୁଙ୍କ ଶ୍ରାଦ୍ଧ ପାଳନ ପାଇଁ ନେତାମାନଙ୍କୁ ତାଗିଦ୍‌

ଭୁବନେଶ୍ୱର(ସତ୍ୟଶିଖା): କରୋନା ପାଇଁ ଲକଡାଉନ୍ ହୋଇଥିବାରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୩ତମ ଶ୍ରାଦ୍ଧବାର୍ଷିକୀ ଉତ୍ସବକୁ ନିଜଘରେ ରହି ନିରାଡ଼ମ୍ବର ଭାବେ ପାଳନ କରିବା ନିମନ୍ତେ ବିଜେଡି ନେତାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ପରିସ୍ଥିତିରେ ବି ଯେଭଳି ଦଳୀୟ ନେତାମାନେ ଘରୁ ବାହାରେ କୌଣସି କାର୍ଯ୍ୟକ୍ରମ ଆୟୋଜନ ନକରିବେ ସେଥିପାଇଁ ନବୀନ ନିବାସରୁ ବିଜେଡି ନେତାମାନଙ୍କୁ ବ୍ୟକ୍ତିଗତ ଭାବେ ଫୋନ୍ ମାଧ୍ୟମରେ ତାଗିଦ୍ କରାଯାଇଛି।

ଆହୁରି ପଢ଼ନ୍ତୁ

ମିଳିଥିବା ସୂଚନା ଅନୁସାରେ, କରୋନା ଲକଡାଉନ୍ ଯୋଗୁ ବିଜୁ ଜନତା ଦଳ ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀକୁ ନିରାଡ଼ମ୍ବର ଭାବେ ପାଳନ କରିବାକୁ ନିଷ୍ପତ୍ତି ହୋଇଛି । ତେବେ ଗତ କିଛିଦିନ ଧରି ଦଳର ନେତାମାନେ କରୋନା ଲକଡାଉନ୍ ସତ୍ୱେ ଭତ୍ତା ଓ ସହାୟତା ଆଦି ବଣ୍ଟନ ନାଁରେ ସାମାଜିକ ଦୂରତ୍ୱକୁ ଖୋଲାଖୋଲି ଉଲ୍ଲଘଂନ କରୁଥିବାରୁ ରାଜ୍ୟ ସରକାରଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏହି କାରଣରୁ ଦଳୀୟ ନେତାମାନଙ୍କୁ ବିଜୁ ବାବୁଙ୍କ ଶ୍ରାଦ୍ଧବାର୍ଷିକୀକୁ ନିଜ ଘରେ ବିଜୁବାବୁଙ୍କ ଫଟୋ ରଖି ପାଳନ ନିମନ୍ତେ ପରାମର୍ଶ ଦିଆଯାଇଛି। ଏପରିକି ପୂର୍ବରୁ ଦଳର ସଭାପତି ନବୀନ ପଟ୍ଟନାୟକ ଏପ୍ରିଲ ୧୭ରେ ବିଜୁବାବୁଙ୍କ ଶ୍ରାଦ୍ଧ ଉତ୍ସବରେ ଦେଶ ପାଇଁ ବିଜୁବାବୁଙ୍କ ବଳିଦାନ ଓ ଦୁଃସାହାସିକ କାର୍ଯ୍ୟ ସମ୍ପର୍କରେ ନିଜ ପରିବାର ସଦସ୍ୟଙ୍କୁ ଅବଗତ କରିବାକୁ ଦଳୀୟ ନେତାମାନଙ୍କୁ ପରାମର୍ଶ ଦେଇଥିଲେ।

ତେବେ ସାମାଜିକ ଦୂରତ୍ୱକୁ ବଜାୟ ରଖି ଦଳର ରାଜ୍ୟ କାର୍ଯ୍ୟାଳୟରେ ହାତଗଣତି ନେତା ଓ କର୍ମୀଙ୍କୁ ନେଇ ବିଜୁ ଶ୍ରାଦ୍ଧବାର୍ଷିକୀ ପାଳନ କରାଯିବ ବୋଲି ସୂଚନା ମିଳିଛି। ଦଳର ସାଧାରଣ ସମ୍ପାଦକ(ମୁଖ୍ୟାଳୟ) ସଞ୍ଜୟ ଦାସବର୍ମା ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ କିଛି ଆଗଧାଡ଼ିର ନେତାମାନେ ଉପସ୍ଥିତ ରହି ଦଳୀୟ ମୁଖ୍ୟାଳୟରେ ବିଜୁବାବୁଙ୍କ ଶ୍ରାଦ୍ଧ ଉତ୍ସବ ପାଳନ କରିବେ। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନିଜ ଘରେ ରହି ଏହି ଶ୍ରାଦ୍ଧ ଉତ୍ସବ ପାଳିବେ ବୋଲି ସୂଚନା ମିଳିଛି।

[ad_2]
Show More
Back to top button