
ସତ୍ୟଶିଖା ୧୬/୦୧/୨୦୨୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ‘ପ୍ରାରମ୍ଭ: ଷ୍ଟାର୍ଟ ଅପ ଇଣ୍ଡିଆ ଇଣ୍ଟରନେଶନାଲ’ ଶିଖର ବୈଠକରେ ଉଦବୋଧନ ଦେବେ ଓ ଷ୍ଟାର୍ଟ ଅପ୍ କମ୍ପାନୀଗୁଡ଼ିକ ସହ ବାର୍ତ୍ତାଳାପ କରିବେ । ଏହି ଦୁଇଦିନିଆ ଶିଖର ବୈଠକରେ ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ବିକାଶ ବିଭାଗ ଏବଂ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରଣାଳୟ ଦ୍ୱାରା ମିଳିତ ଭାବେ ଆୟୋଜନ କରାଯାଉଛି । ପ୍ରଧାନମନ୍ତ୍ରୀ ଏଥିପାଇଁ ୨୦୧୮ରେ କାଠମାଣ୍ଡୁରେ ଅନୁଷ୍ଠିତ ଚତୁର୍ଥ ବିମ୍ଷ୍ଟେକ୍ ଶିଖର ବୈଠକରେ ପ୍ରତିଶ୍ରୁତି ଦେଇଥିଲେ । ଭାରତ ବିମ୍ଷ୍ଟେକ୍ ଷ୍ଟାର୍ଟ ଅପ୍ ସମ୍ମିଳନୀର ଆୟୋଜନ କରିବାକୁ ପ୍ରଧାନମନ୍ତ୍ରୀ ଏହି ପ୍ରତିଶ୍ରୁତି ଦେଇଥିଲେ ।
ଏହି ଭର୍ଚୁଆଲ୍ ଶିଖର ବୈଠକରେ ସମଗ୍ର ବିଶ୍ୱରୁ ବକ୍ତାମାନେ ଅଂଶଗ୍ରହଣ କରିବେ । ଶିଖର ବୈଠକରେ ବୈଷୟିକ ଜ୍ଞାନ, ନବୀକରଣ, ଉନ୍ନତ ନୀତି ଓ ପଦକ୍ଷେପ ଭଳି ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ହେବ । ଏଥିରେ ସରକାର ଓ ବିଭିନ୍ନ ଆନ୍ତର୍ଜାତିକ ସଙ୍ଗଠନ ପରସ୍ପର ମଧ୍ୟରେ ମତର ଆଦାନ ପ୍ରଦାନ କରିବେ । ଏହି ଶିଖର ବୈଠକ ଯୁବ ଭାରତୀୟ ଉଦ୍ୟୋଗପତିମାନଙ୍କୁ ଉତ୍ସାହିତ କରିବ ଓ ସେମାନଙ୍କ ସମ୍ମୁଖରେ ଥିବା ସମସ୍ୟା ଓ ଚ୍ୟାଲେଞ୍ଜ୍ଗୁଡ଼ିକର ମୁକାବିଲାରେ ସେମାନଙ୍କୁ ସାହାଯ୍ୟ କରିବ । ଏହି ଶିଖର ବୈଠକ ସହ ଷ୍ଟାର୍ଟ ଅପ୍ ଇଣ୍ଡିଆ କାର୍ଯ୍ୟକ୍ରମ ୫ ବର୍ଷ ପୂରଣ କରିବ । ପ୍ରଧାନମନ୍ତ୍ରୀ ୨୦୧୬ ଜାନୁୟାରୀ ୧୬ ତାରିଖରେ ଷ୍ଟାର୍ଟ ଅପ୍ ଇଣ୍ଡିଆ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବିଶ୍ୱର ୨୫ଟି ଦେଶ ଓ ୨୦୦ରୁ ଅଧିକ ଆନ୍ତର୍ଜାତିକ ସ୍ତରୀୟ ବକ୍ତା ଏଥିରେ ଅଂଶଗ୍ରହଣ କରୁଥିବାରୁ ଏହା ସର୍ବବୃହତ୍ ଷ୍ଟାର୍ଟ ଅପ୍ ସମ୍ମିଳନୀ ହେବାକୁ ଯାଉଛି ।